

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଟାଏକୋଣ୍ଡୋ ଭଳି ଏକ ଆନ୍ତର୍ଜାତିକ ଶାରିରୀକ କୌଶଳ ଉପରେ ପର୍ଯ୍ୟବେସିତ କ୍ରୀଡ଼ାର ପ୍ରଚାର ଓ ପ୍ରସାର ପାଇଁ ପୁରୁଷୋତ୍ତମପୁର ଠାରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଆରମ୍ଭ ହୋଇଯାଇଛି । ପ୍ରଶିକ୍ଷକ ଇ. ଲଳିତ କୁମାରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି, ମୂଖ୍ୟ ବକ୍ତା ଭାବେ ଓଡିଶା ଟାଏକୋଣ୍ଡୋ ସଂଘ ସହ ସମ୍ପାଦକ ତଥା ଆନ୍ତର୍ଜାତୀୟ ରେଫରୀ କେ ମନୋଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଟାଏକୋଣ୍ଡୋ ଟ୍ରେନିଂ ସ୍କୁଲର ପ୍ରଶିକ୍ଷକ ଜନୋଜ ମହାରଣା, ହୋପ ଟାଏକୋଣ୍ଡୋ ଏକାଡେମୀର କୋଚ ସି ଏଚ ପ୍ରସାଦ ନାୟକ ଓ ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀର କୋଚ ବାସୁ ନାୟକ ଯୋଗ ଦେଇଥିଲେ । ଟାଏକୋଣ୍ଡୋ ଭଳି ଅଲମ୍ପିକ କ୍ରୀଡ଼ା ମାନ୍ୟତା ପାଇଥିବା ଖେଳରେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ରହୁଥିବା କ୍ରୀଡ଼ାବିତମାନେ ଯେଉଁଭଳି ଭାବେ ସଠିକ ଦିଗଦର୍ଶନ ପାଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଦକ୍ଷତା ପ୍ରଦର୍ଶନ କରି ପାରିବେ ସେଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ଅତିଥି ମାନେ ମତ ଦେଇଥିଲେ । ଓଡିଶା ଅଲମ୍ପିକ ଆସୋସିଏସନ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମାନ୍ୟତା ପାଇଥିବା ଓଡିଶା ଟାଏକୋଣ୍ଡୋ ଏସୋସିଏସନ (ପୁରୀ) ସହବନ୍ଧିତ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଅଧିନରେ ଏହି ଏକାଡେମୀ ପ୍ରଶିକ୍ଷଣ ପ୍ରଦାନ କରିବ ବୋଲି ସୂଚନା ଦିଆଯାଇଛି । ଓଡିଶା ଟାଏକୋଣ୍ଡୋ ସଂଘ ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଅନୁଷ୍ଠାନର ଉତ୍ତରୋତ୍ତର ଅଭିବୃଦ୍ଧି କାମନା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


