ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଥିଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଶେଷ ପ୍ରଚାର । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରାଣମୂର୍ଚ୍ଛା ପ୍ରଚାର କରିଛନ୍ତି । ଶେଷ ସମୟରେ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରାଯାଇଛି । ବିଜେଡିର ବିଧାୟକ ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଶ୍ରୀରମପୁରଠାରେ ଏକ ସମାବେଶରେ ଯୋଗ ଦେଇ ଜଳେଶ୍ୱରର କେତେକ ବିକାଶ ସଂପର୍କରେ ଟିପ୍ପଣୀ ରଖିଥିଲେ । ଆସନ୍ତା ୫ବର୍ଷ ପାଇଁ କରିବାକୁ ଥିବା ଅନ୍ୟାନ୍ୟ ବିକାଶ ସଂପର୍କରେ ମଧ୍ୟ କେତେକ ତଥ୍ୟ ରଖିଥିଲେ । ବିଜେଡିର ଇସ୍ତାହାର ପାଳନ ସଂପର୍କରେ ମଧ୍ୟ ତଥ୍ୟ ରଖି ଲୋକଙ୍କର ପ୍ରିୟଭାଜନ ହେବାକୁ ଚେଷ୍ଟା ଅବ୍ୟାହତ ରଖିବେ ବୋଲି କହିଥିଲେ । ପରେ ଗୋବର୍ଦ୍ଧନପୁର, ଗୋପ, ନଟାକଟା, ପୁଟୁରା, ତାଡଦା ଓ ଜଳେଶ୍ୱର ମ୍ୟୁନିସିପାଲ୍ଟିର ପ୍ରଚାର କାର୍ଯ୍ୟ ଓ ନିର୍ବାଚନୀ ସଭା କରିଥିଲେ । ତାଙ୍କ ସହିତ ଦଳୀୟ ନେତୃସ୍ଥାନୀୟ ବ୍ୟକ୍ତି ମାନେ ବିଜେଡିର ସାଂସଦ ପ୍ରାର୍ଥୀ ରବିନ୍ଦ୍ର ଜେନା ଓ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ପାତ୍ରଙ୍କୁ ଅଧିକ ଶଂଖ୍ୟାରେ ମୋହର ମାରି ଜିତାଇବା ସହିତ ନବୀନ ପଟ୍ଟନାୟକଙ୍କୁ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବାକୁ ନିବେଦନ କରିଥିଲେ ।
କଂଗ୍ରେସର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ ମଧ୍ୟ ପ୍ରଚାର କାର୍ଯ୍ୟ ଜାରି ରଖିଥିଲେ । କର୍ମୀମାନଙ୍କ ସହିତ ରାୟାଁରାମଚନ୍ଦ୍ରପୁର, କୋଟସାହି, ସନ୍ତୋଷପୁର, ଜଳେଶ୍ୱର ମ୍ୟୁନିସିପାଲଟିର ବିଭିନ୍ନ ସ୍ଥାନରେ ତାଙ୍କର ଶେଷ ନିର୍ବଚନ ପ୍ରଚାର କରି ରାଜ୍ୟରେ ଚାଲିଥିବା ୧୯ବର୍ଷର ବିଜେଡି ସରକାରଙ୍କୁ ଗାଦିଚ୍ୟୁତ କରିବାପାଇଁ ହାତ ଚିହ୍ନରେ ଭୋଟ ଦେବାକୁ କହିଥିଲେ । କଂଗ୍ରେସ ଦୁର୍ନିତୀ, ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତଳନ କରିବା ସହ କୃଷକ, ମହିଳା ଓ ଗରିବ ଲୋକଙ୍କ ପାଇଁ ସଦା ସର୍ବଦା ଚିନ୍ତିତ ରହିଥିବା କହିଛନ୍ତି । ଆସନ୍ତା ଦିନରେ ଗ୍ୟାରେଣ୍ଟି ଯୋଜନା ଓ ଧାନର ସହାୟକ ମୂଲ୍ୟ ପ୍ରଦାନ ଏବଂ ମହିଳା କାର୍ଡ ପ୍ରଚଳନ କରିବାକୁ ରାହୁଲ ଗାନ୍ଧିଙ୍କ ପ୍ରତିଶୃତି ପାଳନ କରାଯିବା ବୋଲି ଦୃଢ୍ୟକ୍ତି ପ୍ରକାଶ କରିଥିଲେ ।
ସେହିପରି ବିଜେପି ପ୍ରାର୍ଥୀ ଜୟନାରାୟଣ ମହାନ୍ତି ନରେନ୍ଦ୍ର ମୋଦିଙ୍କ ନାରା, କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ଜୟଜବାନ, ଜୟକିଷାନ, ବାଜପେୟୀଙ୍କ ଜୟ ବିଜ୍ଞାନ ସହିତ ନରେନ୍ଦ୍ର ମୋଦିଙ୍କ ଅନୁସନ୍ଧାନକୁ ଆଧାର କରି ଭୋଟ ହତେଇବାକୁ ଜାରି ରଖିଛନ୍ତି । ଯୁବକର୍ମୀଙ୍କ ସହିତ ରୋଡ ସୋ, ପଥପ୍ରାନ୍ତ ସଭା କରିବା ସହିତ ଭୋଟର ମାନଙ୍କ ମନ କିଣିବାକୁ ଚେଷ୍ଟା ଜାରି ରଖିଛନ୍ତି ।
ସ୍ୱାଧିନ ବିଧାୟକ ପ୍ରାର୍ଥୀ ଯୁବନେତା ମଧୁସୂଦନ ଦାସ ପ୍ରଥମ ଥରପାଇଁ ନିର୍ବାଚନ ଲଢୁଛନ୍ତି । ମାଟିର ପୁଅ ହିସାବରେ ଜଳେଶ୍ୱରରୁ ପ୍ରଥମଥର ପାଇଁ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣରେ ହୋଇ ଗାଁକୁ ଗାଁ ବୁଲି ଭୋଟର ମାନଙ୍କୁ ଆକୃଷ୍ଟ କରାଇବାରେ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ଯୁବ ନେତା ହିସାବରେ ଯୁବ ଗୋଷ୍ଠୀଙ୍କୁ ହାତକୁ ନେଇ ପ୍ରଚାର କାର୍ଯ୍ୟ ଯୋରଦାର ଚଳାଇଛନ୍ତି । କେନ୍ଦ୍ରରେ ମେଣ୍ଟ ସରକାର ହେବାର ଲକ୍ଷ୍ୟ ରଖି ସେ ୪୯ଟି ପଂଚାୟତ ସମେତ ଜଳେଶ୍ୱର ପୌରପରିଷଦର ସମସ୍ତ ସଂଚଳର ଭୋଟର ମାନଙ୍କ ସହ ସଂପର୍କ ସ୍ଥାପନ କରିଛନ୍ତି ।
ସେହିପରି ସମତାକ୍ରାନ୍ତି ଦଳରୁ ସାନ୍ତନୁ ଦାସ, ତୃଣମୂଳ କଂଗ୍ରେସର ଦୀପକ କାପୁଡି, ପିଆଇବିର ପ୍ରଦୀପ ସିଂ, ସ୍ୱାଧିନ ପ୍ରାର୍ଥୀ ଧ୍ରୁବଚରଣ ନାୟକ ଓ କାର୍ତ୍ତୀ ଚନ୍ଦ୍ର ଘୋଷ ପ୍ରମୁଖ ନିର୍ବାଚନ ରଣାଙ୍ଗନରେ ଅବତ୍ତିର୍ଣ୍ଣ ହୋଇ ପ୍ରଚାର କାର୍ଯ୍ୟ ଶେଷ କରିଛନ୍ତିି । ଆଜି ଅପରାହ୍ନ ୫ଟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବାରୁ କର୍ମୀମାନେ ଘରକୁ ଘର ବୁଲି ଭୋଟର ମାନଙ୍କୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା ଚଳାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା