

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ରର ମୋଦି ସରକାରର ଜନ ବିରୋଧୀ ଆର୍ଥିକ ନୀତି ତଥା ଶ୍ରମ ସଂସ୍କାର ନାଁରେ ଦେଶୀ ବିଦେଶୀ କର୍ପୋରେଟଙ୍କ ସୁପର ମୁନାଫା ପାଇଁ ଶ୍ରମିକ ଓ କର୍ମଚାରୀଙ୍କ କାଷ୍ଠାର୍ଜିତ ଶ୍ରମ ଅଧିକାର ଉପରେ ଆକ୍ରମଣ ବିରୁଦ୍ଧରେ ଆସନ୍ତା ଜାନୁଆରୀ ୮ ତାରିଖରେ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଡାକରା ଦିଆଯାଇଛି । ସର୍ବ ଭାରତୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟରେ ସମ୍ପୂର୍ଣ୍ଣ ଭାବେ ଯୋଗଦେଇ ତାକୁ ସଫଳ କରିବାକୁ ଆଜି ବ୍ରହ୍ମପୁର ଠାରେ ଅନୁଷ୍ଠିତ ଶ୍ରମିକ ଓ କର୍ମଚାରୀ କନଭେନସନରେ ଘୋଷଣା କରାଯାଇଛି । ସର୍ବ ଭାରତୀୟ ଶ୍ରମିକ ସଂଗଠନ ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ଼ ୟୁନିଅନସ (ଇଫଟୁ) ପକ୍ଷରୁ ଆଜି ସ୍ଥାନୀୟ ଉତ୍କଳ ଆଶ୍ରମ ପରିସରରେ ଅନୁଷ୍ଠିତ ଏହି କନଭେନସନରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଶ୍ରମିକ ଏବଂ କର୍ମଚାରୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ଧର୍ମଘଟକୁ ସଫଳ କରିବାକୁ ନିଜର ମତ ପ୍ରକାଶ କରିଥିଲେ । ଇନଭେନସନକୁ ଉଦଘାଟନ କରି ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ମୋଦି ସରକାରର ତ୍ରୁଟିପୂର୍ଣ୍ଣ ନୀତି ଏବଂ କାର୍ଯ୍ୟକଳାପ ଯୋଗୁଁ ଆଜି ଦେଶର ଅର୍ଥନୀତି ଗଭୀର ସଙ୍କଟର ସମ୍ମୁଖୀନ ହୋଇ ମାନ୍ଦାବସ୍ଥାରେ ପହଞ୍ଚିଛି । ଦେଶର କୃଷିକ୍ଷେତ୍ର ଭୟଙ୍କର ସଙ୍କଟ ଦେଇ ଗତି କରୁଥିବା ବେଳେ ଶିଳ୍ପକ୍ଷେତ୍ରରେ ବ୍ୟାପକ ଉତ୍ପାଦନ ହ୍ରାସ, ତାଲାବନ୍ଦ ଏବଂ ଶ୍ରମିକ ଛଟେଇ ହୋଇ ଦେଶର ଶ୍ରମିକ ଏବଂ କର୍ମଚାରୀଙ୍କ ପାଇଁ ଭୟଙ୍କର କ୍ଷତି ପହଞ୍ଚିଛି ବୋଲି କହିଥିଲେ । ତେବେ ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ବା ସଙ୍କଟ ନାହିଁ ବୋଲି କହି ଆସୁଥିବା ସରକାର ଏବେ ସଙ୍କଟରୁ ଉଦ୍ଧାର ପାଇଁ ଯେଉଁ ଉପଚାର ନେଇଛନ୍ତି ତାହା ସଙ୍କଟ କାରଣରୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଶ୍ରମଜୀବୀ ଜନତାଙ୍କୁ ରିହାତି ଦେବା ପରିବର୍ତ୍ତେ ଦେଶୀ ବିଦେଶୀ ବୃହତ କମ୍ପାନୀଙ୍କୁ ୧.୪୫ ଲକ୍ଷ କୋଟି ଟଙ୍କାର କର ଟିକସ ଛାଡିଛନ୍ତି ଏବଂ ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ଉପରେ ଗତ ବଜେଟରେ ଧାର୍ଯ୍ୟ କରିଥିବା ହଜାର ହଜାର କୋଟି ଟଙ୍କାର ସରଚାର୍ଜକୁ ପ୍ରତ୍ୟାହାର କରି ନେଇଛନ୍ତି । କର୍ପୋରେଟମାନଙ୍କ ପାଇଁ ନିଆଯାଇଥିବା ଉପରୋକ୍ତ ପଦକ୍ଷେପ ଫଳରେ ସରକାରଙ୍କ ଆୟରେ ହ୍ରାସ ଦେଖାଦେବା ସହ ବଜେଟ ନିଅଣ୍ଟ ମାତ୍ର ୬ ମାସ ମଧ୍ୟରେ ୯୩%ରେ ଯାଇ ପହଞ୍ଚିଛି । ଅଯୋଗ୍ୟ ସ୍ୱାମୀ ଘରର ସମ୍ପତ୍ତି ବିକ୍ରି କରି ଘର ଚଳାଇବା ପରି ସରକାର ବ୍ୟାଙ୍କ, ବୀମା, ତୈଳ ଉଦ୍ୟୋଗ ଆଦି ଦେଶର ଲାଭଜନକ ରାଷ୍ଟ୍ରାୟତ ସଂସ୍ଥା ଏବଂ କାରଖାନାଗୁଡିକୁ ଘରୋଇକରଣ ଜରିଆରେ ବିକ୍ରି କରି ଦେଶ ଚଳାଇବାକୁ ବାହାରିଛନ୍ତି ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଇଫଟୁର ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୋଦି ସରକାର ଦ୍ୱାରା ଗତ ୬ ମାସ ମଧ୍ୟରେ ଦେଶର କୋଟି କୋଟି ଶ୍ରମିକ ଏବଂ କର୍ମଚାରୀଙ୍କ ଉପରେ ଜୋରଦାର ଆକ୍ରମଣ ହୋଇଛି ବୋଲି କହିଥିଲେ । ଇତି ମଧ୍ୟରେ ସଂସଦରେ ମଜୁରୀ କୋଡ଼ ବିଲ ଗୃହୀତ ହେବା ତଥା କାର୍ଯ୍ୟସ୍ଥଳରେ ନିରାପ । ସମ୍ପର୍କିତ କୋଡ଼ ଓ ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସମ୍ପର୍କିତ ଲୋଡ଼ ଏବଂ ସର୍ବୋପରି ଶିଳ୍ପ ସମ୍ପର୍କ କୋଡ଼ ସଂସଦରେ ଉପସ୍ଥାପିତ ହେବା ମଧ୍ୟ ଦେଇ ସରକାର ଦେଶର ଶ୍ରମିକ ଶ୍ରେଣୀ ଉପରେ ନିଜର ଆକ୍ରମଣକୁ ପୂର୍ବାପେକ୍ଷା ଡେଜିୟାନ କରିଥିବା ପ୍ରମାଣିତ ହୋଇଛି ବୋଲି କହିଥିଲେ । ଗତ ନଭେମ୍ବର ୨୮ ତାରିଖରେ ଆଗତ ହୋଇଥିବା ଶିଳ୍ପ ସମ୍ପର୍କ କୋଡ଼ ଜରିଆରେ ସରକାର ଦେଶର ଶ୍ରମିକମାନଙ୍କ ବିଭିନ୍ନ ଅଧିକାରକୁ ଦୁର୍ବଳ କରିବା ସହିତ ପ୍ରଥମ ଥର ପାଇଁ ଏକ ନିର୍ଦ୍ଧିଷ୍ଟ ଅବଧି ନିଯୁକ୍ତିର ବ୍ୟବସ୍ଥାକୁ ସାମିଲ କରିଛନ୍ତି ବୋଲି କହିଥିଲେ । ଉପରୋକ୍ତ ତିନୋଟି ଶ୍ରମ କୋଡ଼ ସହିତ ପୂର୍ବରୁ ଗୃହୀତ ହୋଇଥିବା ସାମାଜିକ ସୁରକ୍ଷା କୋଡ଼ ଦେଶର ଶ୍ରମିକ ଓ କର୍ମଚାରୀଙ୍କ ବର୍ତ୍ତମାନ ରହିଥିବା ଶ୍ରମ ଅଧିକାରଗୁଡିକୁ ଯାହାକି ଅତୀତରେ ଅନେକ ସଂଗ୍ରାମ ଓ ତ୍ୟାଗ ମଧ୍ୟରେ ଦେଇ ଦେଶର ଶ୍ରମିକ ଶ୍ରେଣୀ ହାସଲ କରିଥିଲା, ତାକୁ ଦୁର୍ବଳ ଓ କୁପ୍ରଭାବି କରିବାକୁ ଚେଷ୍ଟା କରାଯାଇଛି । ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ସ୍ୱାର୍ଥରେ ସରକାର ଏହା ଜରିଆରେ ଶ୍ରମ ଆଲଗୁଡିକୁ ଦୁର୍ବଳ କରିବା ସହ ଶ୍ରମ ସମ୍ପର୍କିତ ନିଷ୍ପତି ଓ ପରିଚାଳନାକୁ କେନ୍ଦ୍ରୀକରଣ କରି ନିଜ ହାତକୁ ନେବାକୁ ବସିଛନ୍ତି । ଏଭଳି ପରିସ୍ଥିତିରେ ନିଜର କଷ୍ଟଲବ୍ଧ ଶ୍ରମ ଅଧିକାରର ରକ୍ଷା ଏବଂ ଜୀବନସ୍ତରରେ ଉନ୍ନତି ପାଇଁ ଧର୍ମଘଟ କରିବା ବ୍ୟତିତ ଶ୍ରମିକ କର୍ମଚାରୀଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ ବୋଲି କହିଥିଲେ । କନଭେନସନରେ ଅନ୍ୟମାନଙ୍କ ମଧ୍ୟରେ ଇଫଟୁର ରାଜ୍ୟ ସମ୍ପାଦକ ଧର୍ମେନ୍ଦ୍ର ନାୟକ, ଶ୍ରମିକ ନେତା କେଦାର ଶବର, କେ.ଶ୍ରୀନୁ, ସନ୍ତୋଷ ମହାନ୍ତି, କେ. ଚୂଡ଼ାମଣି, ବୈଜୟନ୍ତୀ ସାହୁ, ମଞ୍ଜୁଶ୍ରୀ ଦାଶ, ସରସ୍ୱତୀ ନାହାକ, ପ୍ରଦୀପ ସେଠି, ଆଉଟସୋରସିଂ କର୍ମଚାରୀ ନେତା ପ୍ରଶାନ୍ତ କୁମାର ପରିଚ୍ଛା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସର୍ବ ସମ୍ମତି କ୍ରମେ ମାସିକ ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା ଘୋଷଣା କରିବା, ମାସିକ ସର୍ବନିମ୍ନ ପେନସନ ୧୦ ହଜାର ଟଙ୍କା ଦେବା, ମନରେଗାରେ ଅଧିକ ଶ୍ରମ ଦିବସ ଏବଂ ଅଧିକ ଅନୁଦାନ ଯୋଗାଇବା, ଗ୍ରାମାଞ୍ଚଳରେ ଖରାପ ସ୍ଥିତିକୁ ସୁଧାରିବାକୁ ଅଧିକ ସରକାରୀ ପୁଞ୍ଜି ବିନିଯୋଗ କରିବା, ସମାନ କାମକୁ ସମାନ ମଜୁରୀ, ନିୟମିତ କାମକୁ ନିୟମିତ ନିଯୁକ୍ତି ଦେବା, ଠିକା ଓ ଆଉଟସୋରସିଂ ବ୍ୟବସ୍ଥାକୁ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଅଙ୍ଗନୱାଡି, ଆଶା, ପାଚିକା ପରି ବିଭିନ୍ନ ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ଦମନକାରୀ କଳା ଆଇନଗୁଡିକୁ ପ୍ରତ୍ୟାହାର ଆଦି ଦାବିରେ ସାଧାରଣ ଧର୍ମଘଟରେ ହଜାର ହଜାର ସଂଖ୍ୟାରେ ଯୋଗଦେବା ସହ ତାକୁ ସଫଳ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ବୋଲି ଇଫଟୁ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

