ଶ୍ରାବଣୀ ଉପାକର୍ମ ଓ ରକ୍ଷା ବନ୍ଧନ

ପ୍ରାଚୀନ ବୈଦିକ୍ ଆର୍ଯ୍ୟ ପର୍ବ-ପର୍ବାଣୀ ମଧ୍ୟରେ ଶ୍ରାବଣୀ ଉପାକର୍ମ ହେଉଛି ଏକ ମହତ୍ୱପୂର୍ଣ୍ଣ ପର୍ବ । ଶ୍ରାବଣ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଭ୍ରାଦ୍ରବ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ନଅଦିନ ଧରି ଏହାକୁ ମହା ସମାରୋହରେ ପାଳନ କରାଯାଏ । ପୂର୍ଣ୍ଣିମା ଦିନ ଯଜ୍ଞରେ ସାମୂହିକ ଭାବେ ଯଜ୍ଞୋପବୀତ ପରିବର୍ତ୍ତନ କରିବାକୁ ହୁଏ ।
ମହର୍ଷି ଦୟାନନ୍ଦଙ୍କ ମତରେ ବେଦ ହେଉଛି ସମସ୍ତ ସତ୍ୟବିଦ୍ୟାର ଗ୍ରନ୍ଥ। ବେଦକୁ ପଢିବା ପଢେଇବା ଶୁଣିବା ଶୁଣେଇବା ପ୍ରତ୍ୟେକ ଆର୍ଯ୍ୟଙ୍କ ପରମ କର୍ତବ୍ୟ। ମହର୍ଷି ମନୁ ମହାରାଜଙ୍କ ଅନୁସାରେ ବେଦ ହେଉଛି ‘ସନାତନ ଚକ୍ଷୁ (ମନୁ ସ୍ମୃତି ୧୨/୯୪) ଏହି ଶ୍ରୁତି ପରମ୍ପରାକୁ ଚିର ଅମ୍ଳାନ ରଖିବା ପାଇଁ ଶ୍ରବଣା ନକ୍ଷତ୍ରଯୁକ୍ତ ଶ୍ରାବଣ ପୂର୍ଣ୍ଣିମା ତିଥିକୁ ସର୍ବତ୍ର ଶ୍ରାବଣୀ ପର୍ବ ବା ବେଦଶ୍ରବଣପର୍ବ ରୁପେ ପାଳନ ହୋଇ ଆସୁଛି। ଶ୍ରବଣର ଅର୍ଥ ଶୁଣିବା ଓ ଶ୍ରାବଣର ଅର୍ଥ ଶୁଣାଇବା। ତେଣୁ ଏହି ମାସରେ ବେଦ ଶୁଣିବା ଓ ଶୁଣାଇବାକୁ ଏକ ପବିତ୍ର ଉତ୍ସବ ଆକାରରେ ପାଳନ କରାଯାଉଥିଲା। ପୂର୍ବ କାଳରେ ମୁନିଋଷିମାନେ ଉତ୍ତରାୟଣରେ ବିଭିନ୍ନ ଜନପଦ ଭ୍ରମଣ କରି ଲୋକକଲ୍ୟାଣ ପାଇଁ ନାନା ଉପଦେଶ ପ୍ରଦାନ କରୁଥିଲେ । ସ୍ମୃତିକାରଙ୍କ ମତରେ ବିଦ୍ୱାନ୍‌, ବ୍ରାହ୍ମଣାଦି ବର୍ଣ୍ଣ ଶ୍ରାବଣ ପୂର୍ଣ୍ଣିମାଠାରୁ ଚାରିମାସ ପନ୍ଦର ଦିନ ପର୍ଯ୍ୟନ୍ତ ବେଦ ଅଧ୍ୟୟନ ଅଧ୍ୟାପନା କାର୍ଯ୍ୟ କରିବେ ।

ଶ୍ରାବଣ୍ୟାଂ ପ୍ରୌଷ୍ଟପଦ୍ୟାଂ ବାହ ପୁ୍ୟପାକୃତ୍ୟ ଯଥାବିଧି ।
ଯୁକ୍ତଶ୍ଛନ୍ଦାଂସ୍ୟଧୀୟୀତ ମାସାନ୍‌ ବିପ୍ରୋହର୍ଦ୍ଧ ପଞ୍ଚମାନ୍‌ ॥ମନୁ ସ୍ମୃତି ୪/୯୫ ॥

ଶ୍ରାବଣ ମାସର ପୂର୍ଣ୍ଣିମାରେ ଅଥବା ଭାଦ୍ର ମାସର ପୂର୍ଣ୍ଣିମାରେ ବ୍ରାହ୍ମଣ ଶାସ୍ତ୍ରୋକ୍ତ ବିଧାନ ଅନୁସାରେ ଉପାକର୍ମ (ଅର୍ଥାତ୍‌ ବେଦପାଠାରମ୍ଭ) ନାମକ କର୍ମ କରି ତନ୍ମୟ ହୋଇ ସାଡ଼େ ଚାରିମାସ କାଳ ବେଦସମୂହ ଅଧ୍ୟୟନ ଅଧ୍ୟାପନା କରିବ ।

ପୁଷ୍ୟେ ତୁ ଛନ୍ଦସାଂ କୁର୍ଯାଦ୍ୱହିରୁତ୍‌ସର୍ଜନଂ ଦ୍ୱିଜଃ ।
ମାଘଶୁକ୍ଳସ୍ୟ ବା ପ୍ରାପ୍ତେ ପୂର୍ବାହ୍ନେ ପ୍ରଥମେହହନି ॥ ମନୁ ସ୍ମୃତି ୪/୯୬ ॥

ଦ୍ୱିଜ (ପୂର୍ବ ଶ୍ଳୋକୋକ୍ତ ସାଢ଼େ ଚାରିମାସ ପରେ) ପୌଷ ମାସର ପୁଷ୍ୟାନକ୍ଷତ୍ରରେ ଅଥବା ମାଘ ମାସର ଶୁକ୍ଳପକ୍ଷର ପ୍ରଥମ ଦିନରେ ପୂର୍ବାହ୍ନରେ ଗ୍ରାମର ବାହାରେ (ଅନାବୃତ ସ୍ଥାନରେ) ଉତ୍‌ସର୍ଜନ ଅର୍ଥାତ୍‌ ବେଦୋତ୍‌ସର୍ଗ ନାମକ କର୍ମାନୁଷ୍ଠାନ କରିବେ ।
(ଯେଉଁମାନେ ଶ୍ରାବଣୀ ପୂର୍ଣ୍ଣିମାରେ ‘ଉପାକର୍ମ’ କରିବେ, ସେମାନେ ସାଢ଼େ ଚାରିମାସ ପରେ ପୌଷ ମାସରେ ପୁଷ୍ୟାନକ୍ଷତ୍ରରେ ‘ଉତ୍‌ସର୍ଗ’ କରିବେ ଏବଂ ଯେଉଁମାନେ ଭାଦ୍ର ପୂର୍ଣ୍ଣିମାରେ ‘ଉପାକର୍ମ’ କରିବେ, ସେମାନେ ସାଢ଼େ ଚାରିମାସ ପରେ ମାଘ ମାସରେ ଶୁକ୍ଳା ପ୍ରତିପଦ୍‌ ତିଥିରେ ‘ଉତ୍‌ସର୍ଗ’ କରିବେ।)

ଏହା ହେଉଛି ବେଦ ସ୍ୱାଧ୍ୟାୟର ପର୍ବ । ଶ୍ରବଣ ଓ ଶ୍ରାବଣର ମହାନ ପର୍ବହେଉଛି ଏହି ‘ଶ୍ରାବଣୀ ଉପାକର୍ମ’।

ପୂର୍ବ କାଳରେ ଗ୍ରୀଷ୍ମ ଅବକାଶ ପରେ ଶ୍ରାବଣ ପୂର୍ଣ୍ଣିମା ଦିନ ହିଁ ଗୁରୁକୁଳ ମାନଙ୍କରେ ବିଦ୍ୟାଦାନ ଆରମ୍ଭ ହେଉଥିଲା । ପ୍ରାଚୀନ ଗୁରୁକୁଳରେ ଏହିଦିନ ନୂତନ ଶିଷ୍ୟମାନଙ୍କର ନାମ ଲେଖା ଯାଉଥିଲା । ଯଜ୍ଞୋପବୀତ ପାଇ ନଥିବା ନୂତନ ଶିଷ୍ୟମାନଙ୍କୁ ଯଜ୍ଞୋପବୀତ ଦିଆଯାଉଥିଲା ଓ ବିଦ୍ୟାର୍ଥୀ ମାନେ ଶିଖାଧାରଣ କରୁଥିଲେ। ଶ୍ରାବଣୀ ପର୍ବରେ ପୁରାତନ ପଇତା ବଦଳା ଯାଇଥାଏ । ଶିଖା ସିଞ୍ଚନ ଓ ଯଜ୍ଞୋପବୀତ ନବୀକରଣ ଏକ ପ୍ରକାର ବାର୍ଷିକ ସଂସ୍କାର ଅଟେ । ଶିଖା ଭାରତୀୟ ସଂସ୍କୃତିର ଧର୍ମଧ୍ୱଜା । ଏହା ଏକ ଚୂଡ଼ାକର୍ମ । ପ୍ରତ୍ୟେକ ବର୍ଣ୍ଣ ପାଇଁ ଉଦ୍ଦିଷ୍ଟ । ଆୟୁର୍ବେଦରେ ବର୍ଣ୍ଣିତ ମୋଟ ଶହେ ସାତ ମର୍ମସ୍ଥଳ ମଧ୍ୟରୁ ବ୍ରହ୍ମରନ୍ଧ୍ରକୁ ମର୍ମସମ୍ରାଟ କୁହାଯାଏ । ଏହାର ରକ୍ଷା ପାଇଁ ଏହା ଉପରେ ଶିଖା ରଖିବା ନିମନ୍ତେ ଋଷିମାନେ ବିଧାନ କରିଯାଇଛନ୍ତି । ବ୍ରହ୍ମାଣ୍ଡୀୟ ଊର୍ଜା ପ୍ରାପ୍ତ କରୁଥିବା ଏହି ଶିଖାକୁ ଇନ୍ଦ୍ରଯୋନି ବୋଲି ଆୟୁର୍ବେଦରେ କୁହାଯାଇଛି । ପ୍ରାଚୀନ କାଳରୁ ଲୋକମାନେ ଶିଖା ଧାରଣ କରି ଆସୁଥିଲେ । ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଶିଖା ମସ୍ତିଷ୍କର କେନ୍ଦ୍ରବିନ୍ଦୁ । ଏହାକୁ ସ୍ପର୍ଶ କଲେ ଶକ୍ତିର ସଞ୍ଚାର ହୁଏ । ଯାହାର ଶିରରେ ଶିଖା ଥାଏ, ସେ ଅନ୍ତରୀକ୍ଷରୁ ଆସୁଥିବା ସତ୍‌ ପ୍ରେରଣାର ତରଙ୍ଗଗୁଡ଼ିକୁ ସରଳ ଭାବରେ ଗ୍ରହଣ କରିପାରନ୍ତି । ଶିଖା ଧାରଣ କରିବା ଦ୍ୱାରା ବାସନା ଉପରେ ମଧ୍ୟ ନିୟନ୍ତ୍ରଣ ରକ୍ଷା କରି ହୁଏ । ମୁଖମଣ୍ଡଳରେ ତେଜସ୍ୱୀତା ପ୍ରକାଶ ପାଏ । ଉଦ୍‌ବେଗ ଓ ଅବସାଦରୁ ମୁକ୍ତି ମିଳେ । ପରିତାପର ବିଷୟଆଜି ବେଦବିଦ୍ୟାର ଯଥାର୍ଥ ଆଦାନପ୍ରଦାନ ଓ ଗ୍ରହଣ ପୂର୍ବକ ରକ୍ଷା ହୋଇପାରୁ ନଥିବାରୁ ବେଦ ବିରୋଧୀ ବିଚାର ଅଧିକ ପ୍ରସାର ଲାଭ କରୁଛି । ମନୁଷ୍ୟ ମାତ୍ରେ ତିନୋଟି ମୁଖ୍ୟ ଋଣରେ ଋଣୀ । ତାହା ହେଉଛି ଋଷିଋଣ, ଦେବଋଣ ଓ ପିତୃଋଣ । ତିନି ଖିଅ ପଇତା ଧାରଣ କରି ଆମେ ଏହି ତିନି ଋଣର ପରିଶୋଧ ପାଇଁ ବ୍ରତୀ ହୋଇଥାଉ । ବେଦ ଅଧ୍ୟୟନ ଓ ଅଧ୍ୟାପନା ଦ୍ୱାରା ଋଷିଋଣ, ଯଜ୍ଞ ଦ୍ୱାରା ଦେବଋଣ ତଥା ଶ୍ରଦ୍ଧା ପୂର୍ବକ ପିତାମାତା ଙ୍କ ସେବା ଶୁଶ୍ରୁସା କରି ତଥା ସନ୍ତାନ ସନ୍ତତି ଉତ୍ପାଦନ ଓ ଲାଳନ ପାଳନ ଦ୍ୱାରା ଆମେ ପିତୃଋଣ ଆଦିରୁ ମୁକ୍ତ ହେବାର ପ୍ରୟାସ କରିଥାଉ । ଏମାନଙ୍କ ଋଣ ଶୁଝିବା ସହଜ ନୁହେଁ । ତଥାପି ସ୍ମରଣ ରଖି ପ୍ରୟାସ କରିବା ପାଇଁ ପଇତା ବା ଯଜ୍ଞୋପବୀତ ଆମକୁ ପ୍ରେରଣା ଦେଇଥାଏ ।

ରକ୍ଷାବନ୍ଧନ

ଶାନ୍ତି, ପ୍ରୀତି ଓ ସ୍ନେହବନ୍ଧନର ପ୍ରତୀକ ହେଉଛି ରାକ୍ଷୀ । ଆଜି ଭଉଣୀଟିଏ ଭାଇ ହାତରେ ଅତି ସ୍ନେହଶ୍ରଦ୍ଧାରେ ରାକ୍ଷୀ ବାନ୍ଧି ଦେଇଥାଏ । ମଥାରେ ଚନ୍ଦନର ତିଳକ ମାରି ହଳଦୀ ମିଶ୍ରିତ ଅକ୍ଷତ, ଦୁବ, ଫୁଲ ଓ ଦୀପରେ ଭାଇର ବନ୍ଦାପନା କରେ । ଈଶ୍ୱରଙ୍କ ନିକଟରେ ଭାଇର ଦୀର୍ଘ ଆୟୁ କାମନା କରେ । ବିପଦ ଆପଦରେ ଭଉଣୀକୁ ସୁରକ୍ଷା ଯୋଗାଇ ତା’ର ସେହ୍ନମମତାର ମୂଲ୍ୟ ରଖିବା ହେଉଛି ରକ୍ଷାବନ୍ଧନର ଅଭିପ୍ରାୟ । ଏହା ସମାଜରେ ଶିଥିଳ ହୋଇ ପଡ଼ୁଥିବା ଭାଇଭଉଣୀର ସମ୍ପର୍କକୁ ମଜବୁତ୍‌ କରେ । ଅତଏବ ରକ୍ଷାସୂତ୍ର ସଂକଳ୍ପିତ ହେବାର ପ୍ରତୀକ । ଏହା ଉଚ୍ଚ ଜୀବନ ମୂଲ୍ୟ ରକ୍ଷା ପାଇଁ ଜଣକୁ ବ୍ରତଶୀଳ କରାଏ । ଦାୟିତ୍ୱପୂର୍ଣ୍ଣ ଜୀବନଯାପନ କରିବାର ପ୍ରେରଣା ପ୍ରଦାନ କରେ । ରକ୍ଷାବନ୍ଧନ ଉତ୍ସବ ପାଳନ ଦ୍ୱାରା ପାରିବାରିକ ଓ ସାମାଜିକ ଏକତା ଦୃଢୀଭୂତହୋଇଥାଏ । ରକ୍ଷାବନ୍ଧନ ପର୍ବ ନାରୀ ଜାତି ପ୍ରତି ସମ୍ମାନ ଓ ଦାୟିତ୍ୱବୋଧର ଜାଗରଣ ସଞ୍ଚାର କରିଥାଏ ।

ଅତଏବ ଏହି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଭାରତୀୟ ସଂସ୍କୃତି ରକ୍ଷାର ମହତ୍ୱପୂର୍ଣ୍ଣ ସନ୍ଦେଶ ବହନ କରେ । ବେଦ ହେଉଛି ସତ୍ୟବିଦ୍ୟାର ଗ୍ରନ୍ଥ। ବେଦ ପଢ଼ିବା ପଢ଼ାଇବା ଓ ଶୁଣିବା ଶୁଣାଇବା ହେଉଛି ମନୁଷ୍ୟମାନଙ୍କର ପରମଧର୍ମ। ବେଦ ଜ୍ଞାନ ବିନା ଆତ୍ମିକ , ଶାରୀରିକ ତଥା ସାମାଜିକ ଉନ୍ନତି ଅସମ୍ଭବ। ବେଦ ସ୍ୱାଧ୍ୟାୟ କରି ସମସ୍ତେ ବେଦଜ୍ଞାନର ଅଧିକାରୀ ହୋଇ ବୈଦିକ ଧର୍ମ ଓ ସଂସ୍କୃତିକୁ ସମୃଦ୍ଧ କରନ୍ତୁ ତଥା ଏହି ପବିତ୍ର ଶ୍ରାବଣୀ ଉପାକର୍ମ ଓ ରକ୍ଷାବନ୍ଧନ ପ୍ରତ୍ୟେକଙ୍କ ମନରେ ଅଶେଷ ଆନନ୍ଦ ଓ ଉତ୍ସାହ ଭରିଦେଉ, ଏହାହିଁ ପରମପିତା ପରମାତ୍ମାଙ୍କ ନିକଟରେ କାମନା।

ପ୍ରସ୍ତୁତି: ମହିମା ସାଗର ସାହୁ,
କୋରଡପଶି , କୁଣ୍ଢେଇଗୋଳା, ଦେବଗଡ଼ (୯୯୩୭୬୮୬୬୫୬)