ଜଳେଶ୍ୱର (ସମୃଦ୍ଧ ଓଡିଶା) ଇତିହାସ ଏକ ଜାତିର ଜୀବନ-ବେଦ । ପ୍ରତ୍ୟେକ ମାନବ ଏହାର ଅମୃତଫଳ ବୋଲି ଶ୍ରୀଜଗନ୍ନାଥ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ବେଣୁଧର ଅଣ୍ଡିଆଙ୍କ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବକ୍ତାମାନେ ମତପ୍ରକାଶ କରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷା ରାଜେଶ୍ୱରୀ ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଦୀନକୃଷ୍ଣ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅକ୍ଷୟ ଦାସ ମହାପାତ୍ର, ସମ୍ମାନୀତ ଅତିଥିରୂପେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜ୍ୟୋତ୍ସା ଘୋଷ ଓ ପରିଚାଳନା କମିଟିର ସଦସ୍ୟ ଅଶୋକ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ଦୀର୍ଘ ୩୫ବର୍ଷର ଶ୍ରୀ ଅଣ୍ଡିଆଙ୍କର ଅଭିଜ୍ଞତା ଓ କାର୍ଯ୍ୟାବଳୀ ସଂପର୍କରେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଓଡିଆ ଅଧ୍ୟାପକ ତଥା ସାଂସ୍କୃତିକ ଅଧିକାରୀ ନୀଳକଣ୍ଠ ଖଣ୍ଡା ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ, ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଉଚ୍ଚ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରୀମାନଙ୍କ ଦ୍ୱାରା ପୃଥକ ପୃଥକଭାବେ ମାନପତ୍ର, ଉପଢୌକନ ଓ ଅଂଗବସ୍ତ୍ର ପ୍ରଦାନ କରାଯାଇ ଶ୍ରୀ ଅଣ୍ଡିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପିକା ମାମିରାଣୀ ମହାନ୍ତି, ସୂରାତୀ ଦେ, ଚନ୍ଦ୍ରଲେଖା ମହାକୁଢ, ଅଧ୍ୟାପକ ଉଦୟ କୁମାର ଗିରି, ଗ୍ରନ୍ଥଗାରିକ ବନବିହାରୀ ଦାସ, ପିଇଟି କବିତାବାଳା ପ୍ରଧାନ, ବରିଷ୍ଠ କିରାଣୀ ସଂଜୟ କୁମାର ପ୍ରଧାନ ନିଜର ଅନୁଭୂତି ଓ ବିଗତ ୩୫ବର୍ଷର ପ୍ରତ୍ୟେକ୍ଷ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ପ୍ରାଧ୍ୟାପକ ଶ୍ରୀ ଅଣ୍ଡିଆ ତାଙ୍କ ଦ୍ୱାରା ସୃଷ୍ଟ ସମାଜର ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଆସୀନ ହୋଇଥିବା ଛାତ୍ରୀମାନଙ୍କ ପାଇଁ ସେ ଗର୍ବିତ ବୋଲି ଭାବବିହ୍ୱଳରେ କହିଥିଲେ । ଶେଷରେ ଅଧ୍ୟାପିକା ଅଂଜଳି ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ବିଦାୟୀ ସଂଗୀତ ପରିବେଶଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା