ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଗତର ସମସ୍ତ ଐଶର୍ଯ୍ୟ ଜାଣିବା, ଭଲପାଇବା ଓ କର୍ମ ଯାହାଙ୍କ ଭିତରେ ସହଜ ତଥା ଉତ୍ସାରିତ, ଆଉ ଯାହାଙ୍କ ପ୍ରତି ଆସକ୍ତିର ମଣିଷ ବିଛିନ୍ନ ଜୀବନ ଓ ଜଗତର ସମସ୍ତ ବିରୋଧର ଚରମ ସମାଧାନ ଲାଭ ହୁଏ ସେ ହିଁ ମଣିଷ ଭଗବାନ ବୋଲି ଆଜି ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଶୁଭ ୧୩୧ତମ ଆବିର୍ଭାବ ତଥା ଶ୍ରୀ ମନ୍ଦିର ଉଦ୍ବୋଧନ ଓ ଶ୍ରୀ ବିଗ୍ରହ ପ୍ରତିଷ୍ଠାର ନବମ ବାଷିକ ସ୍ମାରକୀ ମହାମହୋତ୍ସବରେ ମତ ପ୍ରକାଶ ପାଇଛି । ଓଡିଶା ଓ ପଶ୍ଚିମବଂଗର ହଜାର ହଜାର ଗୁରୁଭାଇ ତଥା ଅନୁକୂଳ ଚନ୍ଦ୍ରପ୍ରେମୀ ଆଜି ସତ୍ସଙ୍ଗବିହାର ପରିସରାରେ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୧ତମ ଜୟନ୍ତୀ ତଥା ଏଠାରେ ବିଗ୍ରହ ପ୍ରତିଷ୍ଠାର ୯ମ ବିର୍ଷକ ଉତ୍ସବ ପାଇଁ ସମବେତ ହୋଇଛନ୍ତି । ଏଥିରେ ଅଖିଳ ଭାରତୀୟ ସତ୍ସଙ୍ଗର ସମ୍ପାଦକ ଶ୍ରୀଧର ସୁନ୍ଦର ମିଶ୍ର ଅଧ୍ୟକ୍ଷତା କରି ଅନୁକୂଳ ଚନ୍ଦ୍ରଙ୍କର ମହିମା ଓ ଗାରିମା ତଥା ଉପସ୍ଥିତ ଜନସମୁଦ୍ରକୁ ସ୍ୱାଗତ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ତଥା ବାଲେଶ୍ୱର ଜିଲା ଯୋଜନାବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ କହିଲେ ରାଜନୈତିକ ସଭା ଲାଗି ନେତୃସ୍ଥାନୀୟ ଲୋକମାନେ ଜନସମାଗମ ଲାଗି ଲୋକଙ୍କୁ ପ୍ରୋତ୍ସାହନ ଦେଇ ଆଣୁଥିବା ବେଳେ ଏଭଳି ଆଧ୍ୟାତ୍ମିକ ଚିନ୍ତାଚେତନା ସଭା ସ୍ଥଳକୁ ଲୋକ ସମୟ ଓ ଅର୍ଥ ଦେଇ ସ୍ୱତଃପ୍ରବୃତଭାବେ ଆସିଥାନ୍ତି । ଭଲ ମଣିଷର ଆବଶ୍ୟତକା ଥିଲା ବେଳେ ବ୍ୟକ୍ତି ଚରିତ୍ରର ପରିବର୍ତ୍ତନ ଏପରି ସଭାସମିତି ଦ୍ୱାରା ସମ୍ଭବ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଋତ୍ୱିକ୍ ଡଃ ସ୍ୱରୂପ ଚକ୍ରବର୍ତ୍ତୀ ମଣିଷର କର୍ତ୍ତବ୍ୟ ଯଜନ, ଯାଜନ ଓ ଆଚରଣ ମଧ୍ୟରେ ସୀମିତ ରହି ଆଧ୍ୟାତ୍ମିକତା ମଧ୍ୟରେ ଜୀବନ ଅତିବାହିତ କଲେ ସୁଖ, ଆନନ୍ଦ ମିଳିଥାଏ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ବିଜୟ କୁମାର ନାୟକ ଆଧ୍ୟାତ୍ମିକ ମଧ୍ୟରେ ଅନନ୍ତ ପ୍ରେମ, ସ୍ନେହ, ଭଲ ପାଇବାକୁ ଭଲ ଭାବରେ ହୃଦ୍ଗମ କରିଥିଲେ ଶ୍ରୀ ଶ୍ରୀ ଠାକୁର ଯାହା ଅବ୍ୟକ୍ତ, ଅସୀମ ଓ ଚିରନ୍ତନ ବୋଲି କହିଥିଲେ । ଅନ୍ୟତମ ବକ୍ତା ଡଃ. ହରପ୍ରସାଦ ସାହୁ ଯୋଗ ଦେଇ ଅସୀମ ସମୁଦ୍ର ଓ ଆକାଶ କୁ ଯେପରି କଳନା କିମ୍ବା ମାପିବା ଅସମ୍ଭବ ଶ୍ରୀ ଶ୍ରୀ ଠାକୁରଙ୍କ ଆଧ୍ୟତ୍ମୀକତା ଓ ସମାଜକୁ ଭଲ ପାଇବା ସେପରି ଅନନ୍ତ । ଜଳେଶ୍ୱର ସତ୍ସଙ୍ଗ ବିହାରର ଅନ୍ୟତମ ମୁଖ୍ୟ କେଦାର ନାଥ ମହାନ୍ତି ଅତିଥି ପରିଚୟ, ପ୍ରାରମ୍ଭିକ ସୂଚନା ଓ ମନ୍ଦିର ପ୍ରତିଷ୍ଠାର ଆଦ୍ୟକଥନୀ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରିହର ପଣ୍ଡା, ମୂରଲୀଧର ଦାସ, ଗଣେଶ ଚନ୍ଦ୍ର ଜେନା, ପ୍ରଫେସର ପରିମଳ ରଂଜନ ଭୂୟାଁ ମଧ୍ୟ ବକ୍ତବ୍ୟ ରଖି ଅନୁକୂଳ ଚନ୍ଦ୍ରଙ୍କ ଦର୍ଶନ, ଭକ୍ତିଭାବ, କର୍ମତତ୍ପରତା ଓ ମଣିଷକୁ ଭଲ ପାଇବା ସଂପର୍କରେ କହିଥିଲେ । ଇଂ ପ୍ରଭାସ ଚନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ଜେନା, ଇଂ ଶ୍ରୀମନ୍ତ ଘୋଷ, ସୁବ୍ରତ ଘୋଷ ଓ ଅନ୍ୟବହୁ ଅନୁକୂଳ ଚନ୍ଦ୍ର ପ୍ରେମୀ ସମଗ୍ର କାର୍ଯ୍ୟକୁ ପରିଚାଳନା କରିଥିଲେ । ଆଜିର ପବିତ୍ର ଦିନର ବ୍ରାହ୍ମ ମୁହୁୂର୍ତ୍ତରେ ବେଦ ମାଙ୍ଗଳିକୀ, ନହବତ, ଉଷା କୀର୍ତ୍ତନ, ପ୍ରାତଃ ବିନତୀ, ବିଶାଳ ନଗର ପରିକ୍ରମା, ଶୋଭାଯାତ୍ରା ଓ ସଂଗୀତାଞ୍ଜଳୀ କାର୍ଯ୍ୟକ୍ରମପରେ ଦୁଇ ରାଜ୍ୟ ସୀମାରେ ହଜାର ହଜାର ଭକ୍ତସମାଗମରେ ସଭାସ୍ଥଳି ପ୍ରକମ୍ପିତ ହୋଇଥିଲା । ଅପରାହ୍ନରେ ଚିକିତ୍ସକ ସମ୍ମେଳନ, ମାତୃ ସମ୍ମେଳନ ଓ ଶିକ୍ଷା ସମ୍ମେଳନ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା