ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମନରେ ଉଙ୍କି ମାରୁଚି ଏହି ପ୍ରଶ୍ନ । ପରିବାରରେ ପୁରୁଷ ଲୋକଟିଏ ଦିନ ଓ ରାତିକୁ ଏକ କରି କଷ୍ଟରେ ଉପାର୍ଜନ କରୁଛି । ପିଲାଙ୍କୁ ଟିଉସନ ଦେବା ସହିତ ସେମାନଙ୍କୁ ଭଲ ସ୍କୁଲରେ ପଢେଇବା, ନାଚ, କୁଦ, ଖେଳ ଓ କଳା ଇତ୍ୟାଦି ଶିଖେଇବା, ଆଧୁନିକ ପୋଷାକ ପରିଧାନ କରେଇବା, ହାତଖର୍ଚ୍ଚ ସହ ପିଲାଙ୍କୁ ମୋବାଇଲ ଫୋନ, ସ୍କୁଟି ଇତ୍ୟାତି ବିଳାସ ବ୍ୟସନ ଜିନିଷ ଯୋଗେଇଦେବା, ପତ୍ନୀଙ୍କୁ ଦାମିକା ଶାଢ଼ୀ ଏବଂ ଗହଣା କିଣେଇଦେବା ଓ ଅନେକ ମାନସମ୍ମାନ, ସପରିବାର କିଛି କିଛି ଦିନ ଅନ୍ତରରେ ବାହାରକୁ ବୁଲେଇ ନେବା ଏବଂ ପିତା, ମାତାଙ୍କ ଯତ୍ନ ଆଦିର ସମସ୍ତ ଆୟୋଜନ କରୁଛି । ସେ ନିଜକୁ ବହୁତ ସୁଖୀ ବୋଲି ଭାବି ମାନେ ମାନେ ଖୁସି ହେଉଛି କାହିଁକିନା ତା’ ସଂସାର ଠିକ ଚାଲିଛି । କିନ୍ତୁ କୌଣସି କାରଣରୁ ଯଦି ସେ ଶଯ୍ୟାଶାୟୀ ହୋଇଯାଏ, ତେବେ ଆଜିକାଲିକା ଯୁଗରେ କେତେଜଣ ନାରୀ ଅଛନ୍ତି ଯିଏକି ସ୍ୱାମୀଙ୍କ ସେବା କରିବା ସହିତ ପରିବାର ପ୍ରତି କର୍ତ୍ତବ୍ୟ ଉତ୍ତମ ରୂପେ ସମ୍ପାଦନ କରିବେ ? ପିଲାମାନେ କଣ ଶ୍ରବଣ କୁମାର ହୋଇପାରିବେ ? ସେହିପରି ବିକଳ୍ପ, ସ୍ତ୍ରୀ ଲୋକଟି ଯଦି କୌଣସି କାରଣରୁ ନିଜର କର୍ମ କରିବାରେ ଅସମର୍ଥ ହୋଇଯାଏ, ଧରନ୍ତୁ, ଅନ୍ତତଃ ୮ ଦିନ ଶେଯରେ ପଡ଼ିଯାଏ, ତା’ହେଲେ ତାର ଯତ୍ନ ନେବା ସହିତ ଘରକୁ ସ୍ୱାମୀ ଓ ପିଲାମାନେ କଣ ସମ୍ଭାଳିପାରିବେ ? ଧରନ୍ତୁ, ପୁଅ ସଂସାର କରିବା ପରେ ମଧ୍ୟ ପୂର୍ବପରି ପିତା, ମାତାଙ୍କୁ ଭକ୍ତି କରୁଛି, କାହିଁକି ନ ସେମାନେ ତାକୁ ସଂସାରକୁ ଆଣି ବଡ଼ ହେବା ଯାଏଁ ମଣିଷ କରିଛନ୍ତି । କିନ୍ତୁ, ଯଦି କୌଣସି କାରଣରୁ ପୁଅର ଅସୁବିଧା ହୋଇ ସେ ତାର ପରିବାର ଚଳାଇବାକୁ ଅସମର୍ଥ ହୋଇପଡେ, ତାହେଲେ କଣ ତାର ଧନୀ ମାତା, ପିତା ବୋହୂଟିକୁ ସମ୍ମାନ ଦିଅନ୍ତି ନାଁ ତାଙ୍କର ଅନ୍ୟ ଧନୁର୍ଧର ପୁଅ ବା ଜୋରଦାର ପୁଅର କଥାରେ ପରିଚାଳତ ହୋଇ ତାକୁ ନିଚ ଦେଖିଥାନ୍ତି । ସମସ୍ତ କ୍ଷେତ୍ରରେ ଏପରି ନୁହେଁ କିନ୍ତୁ ଆମ ସମାଜରେ କେତେକାଂଶରେ ଏପରି ଘଟଣା ମାନ ଦେଖିବାକୁ ମିଳିଥାଏ । ବନ୍ଧୁ ବାନ୍ଧବ ଆଜିକାଲିତ ସେମାନଙ୍କ ସହିତ ହାଏ ହ୍ୟାଲୋର ସମ୍ପର୍କ । ଶେଷରେ ଅନ୍ୟମାନେ, ମାନେ-ସଖା ସହୋଦର, ସହି ପଡୋଶୀ ଏବଂ ସମାଜର ଅନ୍ୟ ଜଣାଶୁଣା ବ୍ୟକ୍ତିବୃନ୍ଦ । କାମ ନଥିଲେ ଭଲ ମନ୍ଦ ବୁଝିବା ପାଇଁ ଫୋନ କଲରେ ଆଠଣିଟିଏ ମଧ୍ୟ ଖର୍ଚ୍ଚ କରିବେ ନାହିଁ । ତାହେଲେ ବର୍ତ୍ତମାନ କୁହନ୍ତୁ କିଏ ନିଜର ? ସବୁ ହେଉଛି ମାୟା । ମିଛ ମାୟାର ସଂସାର । ଆମର କାହା ସହିତ ସମ୍ବଦ୍ଧ ନାହିଁ କି ନଥିଲା । ଜଣେ ମାତ୍ର ଆମ ସାଙ୍ଗରେ ଆଗରୁ ଥିଲା, ଏବେ ରହିଛି ଏବଂ ପରେ ମଧ୍ୟ ରହିବ । ଆମେ ସବୁ ତାରି ଅଂଶ । ସେ ହେଉଛି ପରମଆତ୍ମା । ତେଣୁ ସଂସାରରେ କାହା ପ୍ରତି ସମର୍ପିତ ନହୋଇ ହୁଅନ୍ତୁ ତ କେବଳ ପରମପିତାଙ୍କ ନିକଟରେ । ଜୀବନରେ କେବଳ କର୍ମ ଓ କର୍ତ୍ତବ୍ୟ କରି ଆଗେଇ ଚାଲନ୍ତୁ । ଲେଖକ ସରିତା ପଣ୍ଡା
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା