ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ଅବସ୍ଥାନ କରୁଥିବା ବହୁ ସଂସ୍କୃତ ଓ ସଂସ୍କୃତି ସମ୍ପନ୍ନ ବିଶେଷଙ୍କ ଦ୍ୱାରା ଗଠିତ ହୋଇଛି ସଂସ୍କୃତ ସଂଗୋଷ୍ଠୀ । ସଂସ୍କୃତଭାଷା, ବ୍ୟାକରଣ ଓ ଭାରତୀୟ ସଂସ୍କୃତିର ବିକାଶ ଏବଂ ସଚେତନତା ଲାଗି ସଂସ୍କୃତ ସଂଗୋଷ୍ଠୀ କାର୍ଯ୍ୟ କରିଆସୁଛି । ଆୟୋଜିତ ବାର୍ଷିକ ସଂସ୍କୃତ ସମାରୋହ ଜଳେଶ୍ୱର ଟାଉନ୍ ନୋଡାଲ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଶାଳିକୋଠାସ୍ଥିତ ରାଜ୍ୟର ଅନ୍ୟଏକ ପୁରତନ ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ ଏଥିରେ ପୌରହିତ୍ୱ କରି ଦେବଭାଷା ସଂସ୍କୃତ, ବ୍ୟାକରଣ ଓ ଭାରତୀୟ ସଂସ୍କୃତି ପ୍ରତି ବିପଦ ଦେଖା ଦେଉଥିବାରୁ ଏଥିଲାଗି ପ୍ରତ୍ୟେକେ ସଚେଷ୍ଟ ହେବା ଉଚିତ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ ଯୋଗ ଦେଇ ଦେବଭାଷା ସଂସ୍କୃତ ଭାରତୀୟ ଅନ୍ୟ ସମସ୍ତ ଭାଷାର ଜନନୀ ଏବଂ ଏହାର ବ୍ୟାକରଣକୁ ଅନ୍ୟଭାଷାରେ ରୂପାନ୍ତରିତ କରି ଭାଷା ଓ ଶବ୍ଦ କୋଷକୁ ଅଧିକ ରୁଦ୍ଧିମନ୍ତ କରାଯାଇ ପାରୁଛି ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ସୁକୁମାର ରଣା, ପ୍ରଧାନ ଶିକ୍ଷକ ଭବାନୀ ଶଂକର ପାଳ, ପଣ୍ଡିତ ସଂଜୟ କୁମାର ଦାଶ, ପଣ୍ଡିତ ଗିରିଶ କୁମାର ପାଣିଗ୍ରାହୀ, ପ୍ରଶିକ୍ଷକ ଜୟପ୍ରକାଶ ଶାସ୍ତ୍ରୀ ଓ ଦୁଲାଲ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ସଂସ୍କୃତ ଭାଷାର ଆଭିମୁଖ୍ୟ ଏବଂ ପ୍ରତ୍ୟେକ ରାଜ୍ୟରେ ଏହାର ଦୂରାବସ୍ଥା ତଥା ପ୍ରଶାସନିକ ଆଡଉହାଡ ସଂପର୍କରେ କହିଥିଲେ । ୧୦ ଦିନ ବ୍ୟାପି ଏହି ସମାରୋହରେ ଅଖୀଳ ଭାରତୀୟ ଅମ୍ୟତବାଣୀ ସେବା ପ୍ରତିଷ୍ଠାନ ପକ୍ଷରୁ ଏଠାରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ସମ୍ଭାଷଣ ଶିକ୍ଷା ଦିଆଯିବ ବୋଲି ସଂସ୍କୃତ ପ୍ରେମୀ ତଥା ପଣ୍ଡିତମାନେ ମତବ୍ୟକ୍ତ କରିଥିଲେ । ଏହି ସମାଗମରେ ପଣ୍ଡିତ ଜନାର୍ଦ୍ଦନ ମିଶ୍ର ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ପଣ୍ଡିତ ରାଜୀବ ନାରାୟଣ କର ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ ବିଭିନ୍ନ ସଂସ୍କୃତ ସଂଗୀତ ଗାନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା