ସଡକ ଦୁର୍ଘଟଣାରେ ୨ ଛାତ୍ର ଗୁରୁତର : ହମ୍ପସ୍ ନିର୍ମାଣ ଦାବିରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ଅବରୋଧ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଧାନସିମୁଳିଆଠାରେ ଅବସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ ଆଜି ସକାଳ ପ୍ରାୟ ଦିବା ୧୦ ଘଟିକା ସମୟରେ ଜଳେଶ୍ୱର ଅଭିମୁଖେ ଆସୁଥିବା ଏକ ଅଟୋ ଭାରସାମ୍ୟ ହରାଇ ପ୍ରଥମେ ଏକ ସ୍କୁଟି ଓ ପରେ ଏକ ବାଇକ୍କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇ ନିକଟସ୍ଥ ନୟନଜୋରିକୁ ଓଲଟି ପଡିଥିଲା । ଫଳରେ ବାଇକ୍ ଓ ସ୍କୁଟି ଆରୋହୀ ଗୌତମ ଦାସ ଓ ସରୋଜ କୁମାର ସାହୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସ୍ଥାନୀୟ ଜିକେଭଟ୍ଟର ଡାକ୍ତରଖାନାକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ୨ କଲେଜ ଛାତ୍ର ଦୁର୍ଘଟଣାରେ ଗୁରୁତର ହୋଇଥିବା ଯୋଗୁଁ ଏହି ଘଟଣାକୁ କେନ୍ଦ୍ର କରି ଦୀନକୃଷ୍ଣ ମହାବିଦ୍ୟାଳୟର ନାରାୟଣ ଦେ, ସତ୍ୟବାନ ଚାନ୍ଦ, ଅଂଶୁମାନ ଜେନାଙ୍କ ସମେତ କେତେକ ଛାତ୍ର ଜଳେଶ୍ୱର – ଚନ୍ଦନେଶ୍ୱର ରାସ୍ତାକୁ କ୍ଲେଜ ସମ୍ମୁଖରେ ହମ୍ପସ୍ ନିର୍ମାଣ ଦାବିରେ ପ୍ରାୟ ୧ଘଣ୍ଟା ଧରି ଅବରୋଧ କରିଥିଲେ । ଫଳରେ ଉଭୟପଟୁ ଶହ ଶହ ଯାନବାହାନ ଅଟକି ରହିଥିଲା । ଖବର ପାଇ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା, ଆଇଆଇସି ପ୍ରଦୀପ କୁମାର ମାଝୀ, ଏଏସ୍ଆଇ ସତ୍ୟନାରାୟଣ ବଳ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରି ଖୁବ୍ଶୀଘ୍ର ହମ୍ପସ୍ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା । ସୂଚନାଯୋଗ୍ୟ ଉକ୍ତ ନୂତନ ରାସ୍ତା ନିର୍ମାଣ ସମୟରେ ପୂର୍ବରୁ ଥିବା ସମସ୍ତ ହମ୍ପସ୍ ଗୁଡିକ ଉଠାଯାଇଥିବା ସତ୍ୱେ ଏଯାବତ୍ କୌଣସି ନୂତନ ହମ୍ପସ୍ ନିର୍ମାଣ କରାଯାଇନଥିବାରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟି ଚାଲିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ଭୁପିତ କୁମାର ପରିଡା