ସଡକ ସୁରକ୍ଷା କମିଟି ବୈଠକ:ଜାତୀୟ ରାଜପଥରେ ଗୋରୁ ଗାଈ ବୁଲିଲେ ଜବତ କରି ଚାଷୀଙ୍କୁ ବାଣ୍ଟି ଦିଆଯିବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୀମା ମଧ୍ୟରେ ଆସୁଥିବା ଜାତୀୟ ରାଜପଥରେ ଗୋରୁ ଗାଈ ବାଲିଲେ ତାକୁ ପ୍ରଶାନସ ଜବତ କରି ଇଚ୍ଛୁକ ଚାଷୀମାନଙ୍କ ବାଣ୍ଟି ଦେବ । ତେଣୁ କୌଣସି ବ୍ୟକ୍ତି ଜାତୀୟ ରାଜପଥକୁ ସେମାନଙ୍କ ଗୋରୁ ଗାଈ ନ ଛାଡିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସତର୍କ କରାଇଦେଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡକ ସୁରକ୍ଷା କମିଟି ବୈଠକରେ ଅନେକ ସଦସ୍ୟ ରାଜପଥରେ ଗୋରୁ ଗାଈ ବୁଲିବା ସଡକ ଦୁର୍ଘଟଣାର ଅନ୍ୟତମ କାରଣ ବୋଲି ପ୍ରକାଶ କରିଥିଲେ । ଏହାକୁ ହୃଦୟଙ୍ଗମ କରି ଜିଲ୍ଲାପାଳ ବୁଲି ଗୋରୁ ଗାଈଙ୍କ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି । ସମ୍ପୃକ୍ତ ବିଡ଼ିଓ ମାନେ ସେମାନଙ୍କ ଅଞ୍ଚଳରେ ଡାକି ବାଜି ଯନ୍ତ୍ର ଯୋଗେ ଏ ବାବଦରେ ଜନସାଧାରଣଙ୍କୁ ସତର୍କ କରାଇଦେବେ । ଅକ୍ଟୋବର ୨ ତାରିଖରୁ ଗୋରୁ ଗାଈଙ୍କୁ ଜବତ କରିବା କାର୍ଯ୍ୟ ଆରମ୍ଭ ହେବ । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଗୋରୁ ଗାଈଙ୍କୁ ଉଠାଇବା ପାଇଁ ସେହି ପ୍ରକାର ଗାଡି ବ୍ୟବସ୍ଥା କରିବେ । ଆବଶ୍ୟକ ଶ୍ରମିକ ମଧ୍ୟ ଯୋଗାଇ ଦେବେ । ଜିଲ୍ଲା ପୋଲିସଙ୍କୁ ଆନୁସଙ୍ଗିକ ସହାୟତା ପ୍ରଦାନ କରିବା ପାଇଁ କୁହାଯାଇଛି । ଏଣିକି କର୍ମଚାରୀମାନେ କାର୍ଯ୍ୟାଳୟକୁ ହେଲମେଟ ପିନ୍ଧି ଆସିବେ । ଯେଉଁ କର୍ମଚାରୀ ବିନା ହେଲମେଟରେ ଆସିବେ ତାର ଗାଡିର କାଗଜପତ୍ର ଯାଞ୍ଚ କରିବା ସହିତ ଆବଶ୍ୟକ ଜୋରିମାନା କରାଯିବ । ଜାତୀୟ ରାଜପଥ ହଳଦିଆ ପାଦର ଓ ଛତ୍ରପୁର ଠାରେ ଯାନବାହାନ ତନଖି କାର୍ଯ୍ୟାଳୟ ନିର୍ମାଣ କରାଯିବ । ଜିଲ୍ଲା ପ୍ରଶାସନ ଏଥିପାଇଁ ଆବଶ୍ୟକ ଜାଗା ଯୋଗାଇ ଦେବ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଗୃହ ନିର୍ମାଣ କରିବେ, ପୋଲିସ ଓ ପରିବହନ କର୍ମଚାରୀ ଯାନବାହାନ ତନଖି କରିବେ । ଦୃତ ଗାଡିଚାଳନା, ଦୁଇଜଣରୁ ଉର୍ଦ୍ଧ୍ଵ ବସିଥିବା ଦୁଇ ଚକିଆ ଯାନ, ହେଲମେଟ ଓ ସିଟ ବେଲଟ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ ମହାବିଦ୍ୟାଳୟ ମାନଙ୍କରେ ଅଚାନକ ଗାଡି ଯାଞ୍ଚ କରାଯିବ । ଯେଉଁ ଛାତ୍ରଛାତ୍ରୀ ବିନା ପ୍ରମାଣ ପତ୍ରରେ ଗାଡି ଚଳାଉଛନ୍ତି ସେମାନଙ୍କୁ ଜୋରିମାନା ହେବା ସହିତ ତାଙ୍କ ଅଭିଭାବକଙ୍କ ଠାରୁ ଲିଖିତ ପ୍ରତିଶୃତି ରଖାଯିବ । ପ୍ରଦୁଷଣ ପରୀକ୍ଷା ସ୍ଥଳୀ ମାନଙ୍କର ନାମ ତାଲିକା ଚାଳକ ମାନଙ୍କ ଅବଗତି ପାଇଁ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯିବ । ହଳଦିଆ ପଦର ଓ ଛତ୍ରପୁର ଠାରେ ଅଣ୍ଡରପାସ ନିର୍ମାଣ ପାଇଁ ବ୍ୟୟ ଅଟକଳ ଚୂଡାନ୍ତ କରିବାକୁ କୁହାଯାଇଛି । ଖଲ୍ଲିକୋଟ ଘାଟିରେ ସୌର ଆଲୋକ ଲଗାଯିବ । ସେଠାରେ ପୋଲିସ ପେଟ୍ରୋଲିଙ୍ଗକୁ ଅଧିକ ସକ୍ରିୟ କରାଯିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ବ୍ରହ୍ମପୁର ଟ୍ରାଫିକ ଉପ ଆରକ୍ଷୀ ଅଧିକ୍ଷକ ରମାକାନ୍ତ ପତି, ଛତ୍ରପୁର ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାଏ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନଧି ନିମାଇଁ ଚରଣ ପଣ୍ଡା