ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାନ ଉପରେ ଲାଗିଛି ଲଗାମ । ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ମାଲିକ ତଥା ଚାଳକଙ୍କୁ ଜୋରିମାନା ଦେବାକୁ ପଡୁଛି ଗାଡି ମୂଲ୍ୟର ଦୁଇ ଗୁଣ । ଗତ ବୁଧବାର ରାଜଧାନୀରେ ଏମିତି ଏକ ଘଟଣା ଘଟିଛି । ଜଣେ ଅଟୋ ଡ୍ରାଇଭର୪୭, ୫୦୦ ଟଙ୍କାର ଜୋରିମାନା ଗଣିଛି ।ଗାଡି ଚଳାଇବା ବେଳେ ତାଙ୍କ ପାଖରେ ଦରକାରୀ ଡକ୍ୟୁମେଣ୍ଟ ନ ଥିଲା ଏବଂ ସେ ମଦ୍ୟପାନ କରି ଗାଡି ଚଳାଉଥିଲେ । ତେବେ ଆହୁରି ଖାସ୍ କଥା ହେଉଛି ବ୍ୟକ୍ତି ଜଣକ ୭ ଦିନ ପୂର୍ବରୁ ଏହି ଅଟୋକୁ ୨୬ ହଜାର ଟଙ୍କାରେ ସେକେଣ୍ଡ ହ୍ୟାଣ୍ଡ କିଣିଥିଲେ ଏବଂ ତାଙ୍କୁ ଚାଲାଣ ରୂପେ ୪୭ ହଜାର ଟଙ୍କା ଦେବାକୁ ପଡିଛି । ଆଚାର୍ଯ୍ୟ ବିହାରରେ ଟ୍ରାଫିକ୍ ପୋଲିସ ଏହି ଅଟୋ ଡ୍ରାଇଭରଙ୍କର ଚାଲାଣ କାଟିଛନ୍ତି । ସେହି ସମୟରେ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ୍ ନ ଥିଲା ଏବଂ ସେ ବିନା ପରମିଟରେ ଅଟୋ ଚଳାଉଥିଲେ । ଏହାବ୍ୟତୀତ ଗାଡି ଚଳାଉଥିବା ସମୟରେ ସେ ମଦ୍ୟପାନ ମଧ୍ୟ କରିଥିଲେ । ଅଟୋ ଡ୍ରାଇଭରଙ୍କ ନାମ କଣ୍ଡୁରୀ ଖଟୁଆ । ତାଙ୍କ ଘର ନୟାଗଡ । ସେ ଭୁବନେଶ୍ୱରରେ ରହି ଅଟୋ ଚଳାଇ ନିଜ ପେଟ ପୋଷନ୍ତି । ବିନା ଡ୍ରାଇଭିଂ ଲାଇସେନ୍ସରେ ଯାନ ଚଳାଇବାରୁ ୫ ହଜାର, ମଦ୍ୟପାନ କରି ଗାଡି ଚଳାଇବାରୁ ୧୦ ହଜାର, ବାୟୁ ଓ ଧ୍ୱନି ପ୍ରଦୂଷଣ ଉଲ୍ଲଙ୍ଘନ ପାଇଁ ୧୦ ହଜାର, ଅନାଧିକୃତ ବ୍ୟକ୍ତିଙ୍କୁ ଯାନ ଚଳାଇବା ପାଇଁ ଅନୁମତି ଦେବାରୁ ୫ ହଜାର, ପଞ୍ଜୀକରଣ ବିନା ଯାନର ବ୍ୟବହାର କରିବାରୁ ୫ ହଜାର, ପରମିଟ୍ ସର୍ତ୍ତର ଉଲ୍ଳଙ୍ଘନ କରିବାରୁ ୧୦ ହଜାର, ବିନା ଇନସ୍ଯୁରାନ୍ସରେ ଡ୍ରାଇଭିଂ ପାଇଂ ୨ ହଜାର ଏବଂ ଅପରାଧ ରୂପେ ୫୦୦ ଟଙ୍କାର ଜୋରିମାନା ଲାଗିଛି । ଏହିଭଳି ସମୁଦାୟ ୪୭, ୫୦୦ ଟଙ୍କାର ଚାଲାଣ କଟିଛି । ଚାଳକଙ୍କୁ ଚନ୍ଦ୍ରଶେଖରପୁର ଡ୍ରାଇଭିଂ ପରୀକ୍ଷଣ କେନ୍ଦ୍ରରେ ଚାଲାଣ ରାଶି ଜମା କରିବାକୁ କୁହାଯାଇଛି । ଏତେ ଭାରୀ ଚାଲାଣ କଟିବା ପରେ ସେ କହିଛନ୍ତି ଯେ ସେ ୭ ଦିନ ତଳେ ଏହି ଅଟୋ ୨୬ ହଜାର ଟଙ୍କାରେ ସେକେଣ୍ଡହ୍ୟାଣ୍ଡ କିଣିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପାଖରେ ସବୁ ଡକ୍ୟୁମେଣ୍ଟ ଅଛି କିନ୍ତୁ ଘରେ ଅଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା