ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ରାଜ୍ୟରେ ସବୁଜ ବଳୟ ନାଁରେ ପୁଣି ସରକାରୀ ଧନ ଲୁଟ କରିବା ପାଇଁ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପ୍ଲାନ । ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ବୃକ୍ଷରୋପଣରେ ଖର୍ଚ୍ଚ କରିବା ପାଇଁ ପ୍ରାୟ ସାଢ଼େ ୪ଶହ କୋଟି ଟଙ୍କା ବଜେଟ ପ୍ରସ୍ତୁତ ହୋଇଛି ବୋଲି ଗତକାଲି ରାଜ୍ୟ କ୍ୟାବିନେଟ୍ ଗ୍ରୀନ୍ ମିଶନ ନାଁରେ ଏମିତି ନିଷ୍ପତ୍ତି ନିଆଯାଇଛି । ଗତ ଜୁଲାଇରେ ମଧ୍ୟ ଏଭଳି ସବୁଜ ବଳୟ ନାଁରେ ୫ ଶହ କୋଟି ଟଙ୍କା ବଜେଟ୍ରେ ଗ୍ରୀନ୍ ମହାନଦୀ ମିଶନ୍ ଆରମ୍ଭ କରାଯାଇଥିଲା । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ହଜାର ହଜାର ଚାରା ମରିକି ପଡିଛି ତ ଆଉ କେଉଁଠି ପାଣି ଅଭାବରୁ ଗଛ ନଷ୍ଟ ହୋଇଯାଇଛି । କେବଳ ଅର୍ଥ ଖର୍ଚ୍ଚ କରିବା ବା ହରିଲୁଟ କରିବା ଏହା ହେଉଛି ଏକ ମାତ୍ର ପ୍ରୟାସ । ଏଭଳି ସ୍ଥିତିରେ ପୁଣି କୋଟି କୋଟି ଟଙ୍କା ବିନିମୟରେ ନଦୀପାର୍ଶ୍ୱରେ ଗଛ ଲଗାଇବାକୁ ସ୍ଥିର ହୋଇଛି । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଛିଡ଼ା ହୋଇଛି ଏକାଧିକ ପ୍ରଶ୍ନ । ଗ୍ରୀନ୍ ମିଶନ୍ ନାଁରେ ରାଜ୍ୟ ସରକାର ଭେଳିକି ଚଳାଇଥିବା ଅଭିଯୋଗ ଉଠିଛି । ଗ୍ରୀନ୍ ମହାନଦୀ ମିଶନ ଜରିଆରେ ମହାନଦୀ ଅବବାହିକାରେ ବୃକ୍ଷରୋପଣ ନାଁରେ କୋଟି କୋଟି ଟଙ୍କା ବରବାଦ ହୋଇସାରିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ତେଲ ନଦୀକୂଳରେ ଲାଗିଥିବା ଗଛଗୁଡିକରୁ ବହୁତ ମରି ଯାଇଛି । ବନ୍ୟା ପାଣିରେ ମଧ୍ୟ ନଷ୍ଟ ହୋଇଯାଇଛି ହଜାର ହଜାର ଗଛ । ସୁବର୍ଣ୍ଣପୁର ମହାନଦୀ ସେତୁ ନିକଟରେ ୧୩ ଲକ୍ଷରୁ ଅଧିକ ଗଛ ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଗଛ ନଲଗାଇ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେହିପରି ସମ୍ବଲପୁର ସହରର ମହାନଦୀ କୂଳେ କୂଳେ ଲାଗିଥିବା ଗଛ ଗୁଡ଼ିକର ଅବସ୍ଥା ନକହିବା ଭଲ। ରକ୍ଷଣାବେକ୍ଷଣ ଅଭାବରୁ ଗଛ ଗୁଡ଼ିକ ଶୁଖିଗଲାଣି । ଗତ ଜୁଲାଇ ୨୪ରେ ଏସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯୋଜନାର ଶୁଭାରମ୍ଭ ହୋଇଥିଲା । ମାତ୍ର ୫ ମାସ ମଧ୍ୟରେ ସ୍ଥିତି ଏମିତି ହୋଇଛି । ଅଳ୍ପ କିଛି ସମୟ ମଧ୍ୟରେ ଏହି ଗ୍ରୀନ ଯୋଜନା ଫେଲ୍ ମାରିଥିବା ବେଳେ ସରକାର ପୁଣି ଥରେ ରାଜ୍ୟବାସୀଙ୍କୁ ସବୁଜ ବଳୟର ସ୍ୱପ୍ନ ଦେଖାଇ ଭକୁଆ ବନାଇବାକୁ ଯାଉଥିବା ଅଭିଯୋଗ ହେଉଛି। ସରକାରଙ୍କ ନୂଆ ଯୋଜନାରେ ମହାନଦୀ ଭଳି ବ୍ରାହ୍ମଣୀ, ବୈତରଣୀ ଓ ଋଷିକୂଲ୍ୟା କଡ଼ରେ ଗଛ ଲଗାଇବାକୁ ଯୋଜନା କରାଯାଇଛି । ୫ ବର୍ଷ ମଧ୍ୟରେ ୪୪୮ କୋଟି ଟଙ୍କା ଖର୍ଚ୍ଚ କରି ଏହି ନଦୀକୂଳରେ ଗଛ ଲଗାଯିବ । ଜଙ୍ଗଲ ଓ ପରିବେଶ ବିଭାଗର ଏହି ପ୍ରସ୍ତାବକୁ ଗତକାଲି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ତେବେ ପ୍ରଶ୍ନ ଉଠୁଛି, ଏଥର ବି ଗ୍ରୀନ୍ ମହାନଦୀ ମିଶନ୍ ଭଳି ଅବସ୍ଥା ହେବନି ତ ? ଆଉ ଏଇ ଅର୍ଥକୁ ଚଳୁ କରିଦିଆଯାଇ ସବୁ ଚାରା ଗାଈ ଛେଳି ଚରି ଖାଇଗଲେ ବୋଲି ସଫେଇ ଦିଆଯିବନି ତ ? ଏତେ ସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବା ସହଜ ନୁହେଁ ଜାଣି ନୂଆ ଗ୍ରୀନ ମିଶନ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ମୁହଁ ଖୋଲିବାକୁ ନାରାଜ । ଆଶା ଆଶଙ୍କା ଭିତରେ ଗ୍ରୀନ୍ ମିଶନ୍ର ଏହି ଯୋଜନା ପ୍ରକୃତରେ କେତେଦୂର୍ ନଦୀ ଗୁଡ଼ିକର ସୁରକ୍ଷା କରିପାରୁଛି ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ : ଶରତ ବେହେରା