ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାମ୍ବାଦିକତାରୁ ସମାଜସେବା….. ସତେ ଯେପରି ପାଲଟି ଯାଇଥିଲା ତାଙ୍କ ଜିବନର ଏକ ଲକ୍ଷ୍ୟ । ପାଠପଢା ପରେ ଛାତ୍ର ରାଜନୀତି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କୁ ସଂଗଠିତ କରିବାରେ ସେ ରହିଥିଲେ ଖୁବ୍ ମାହିର । ଖୁବ୍ କମ ସମୟ ମଧ୍ୟରେ ଯେ କେହି… ବି ତାଙ୍କ ନିକଟକୁ ଆସିଲେ ସେ କରି ନେଇଥାନ୍ତି ଅତି ନିଜର । ସମସ୍ତଙ୍କୁ ନିଜର କରିଥିବା ଏହି ବ୍ୟକ୍ତିଟି ହଠାତ୍ ସମସ୍ତଙ୍କୁ ପରକରି ଚାଲିଗଲା । ବୋଧେ ଏହା ହିଁ ବିଧିର ବିଧାନର ବିଚିତ୍ରତା । ନିଷ୍ଠୁର ମହାମାରୀ ସହ ଦୀର୍ଘ ୧୫ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଏଭଳି ଏକ ଯୁବ ବ୍ୟକ୍ତିତ୍ୱ ଦେବିଦତ୍ତ ସମସ୍ତଙ୍କ ପ୍ରିୟ କହ୍ନା । ଶାନ୍ତ ସରଳ ଏବଂ ସ୍ମୀତ ହାସ୍ୟ ଚେହେରା ସବୁଦିନ ପାଇଁ ଛାଡି ଚାଲିଯାଇଛି ଅଫେରା ରାଇଜକୁ । ଆଉ ସେ କେବେ ଫେରିବେ ନାହିଁ ତାହା ମଧ୍ୟ କାହାରିକୁ ଅଛପା ନାହିଁ । କୋଭିଡ ଯୁଦ୍ଧରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଆଉ ଏକ ସମ୍ମୁଖ ଯୋଦ୍ଧା ଭାବେ ଦେବୀଦତ୍ତ ରଥଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରୁ ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗରେ ଡିଗ୍ରୀ ହାସଲ କରିବା ପରେ ଦେବୀଦତ୍ତ ସାମ୍ବାଦିକତାକୁ ଆପଣାଇବା ସହ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ଭାବେ ଗଞ୍ଜାମରେ କାର୍ଯ୍ୟ କରି ଆସୁଥିଲେ । ହେଲେ ମନରେ ତାଙ୍କରି ରହିଥିବା ସମାଜସେବା ପ୍ରତି ଆଗ୍ରହକୁ ନେଇ ସେ ଆଗକୁ ବଢିଥିଲେ । ଯାହାକି ସାମ୍ବାଦିକତା ସହ ସମାଜସେବା ସତେ ଯେପରି ପାଲଟି ଯାଇଥିଲା ତାଙ୍କ ଜୀବନର ବ୍ରତ । ନେହୁରୁ ଯୁବ କେନ୍ଦ୍ର ଠାରୁ ଆରମ୍ଭ କରି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପର୍ଯ୍ୟନ୍ତ ପ୍ରମୁଖ ଅନୁଷ୍ଠାନରେ ଜଣେ ଆଦର୍ଶ ଓ କର୍ତ୍ତବ୍ୟନିଷ୍ଠ କର୍ମକର୍ତ୍ତା ଭାବରେ ସେ ଦେଖାଇଛନ୍ତି ନିଜର ସମାଜସେବାରେ ପାରଦର୍ଶିତା । ଜିଲ୍ଲାର ଅନାଥ ଶିଶୁଙ୍କୁ ସାମଜର ମୁଖ୍ୟ ଧାରାରେ ସାମିଲ କରିବା ଠାରୁ ଆରମ୍ଭ କରି ଶ୍ରଦ୍ଧା ସଞ୍ଜିବନୀରେ ଶିଶୁମାନଙ୍କ ରହିଥିଲେ ଅତି ଆପଣାର କାହ୍ନା ଭାଇ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଖବରକୁ (ବିଶେଷକରି ଅନାଥ ଶିଶୁଙ୍କ) ସେ ଗଣମାଧ୍ୟମରେ ପ୍ରକାଶ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଜିଲ୍ଲାର ଖଲ୍ଲିକୋଟ ବ୍ଲକ ପଣ୍ଡିତ ଗାଁ ରବିନ୍ଦ୍ର ମୋହନ ରଥଙ୍କ ଜ୍ୟେଷ୍ଠ ପୁତ୍ର ଦେବୀଦତ୍ତ ବହୁ କମ ଦିନରେ ସମସ୍ତଙ୍କର ଆପଣାର ହୋଇଯାଇଥିଲେ । ସତେଯେମିତି ସେ କଳା ନେଇ ସେ ଆସିଥିଲେ । ହେଲେ ସେ କାହ୍ନା ଭାଇ ଆଜି ସମସ୍ତକୁ ଛାଡି ଚାଲିଯାଇଥିବା କଥା ଯିଏବି ଶୁଣୁଛି ପ୍ରଥମେ ବିଶ୍ୱାସ କରିପାରୁନାହାନ୍ତି । ସମସ୍ତଙ୍କ ଆଖି ଭରି ଆସୁଛି ଲୁହରେ । ସେପଟେ ସ୍ୱାମୀଙ୍କୁ ହରାଇ ଧର୍ମପତ୍ନି ଦୁଖରେ ଭାଙ୍ଗୀ ପଡିଥିବା ବେଳେ ବାପା ଛେଉଣ୍ଡ ହୋଇଯାଇଛନ୍ତି ଦୁଇ ଶିଶୁ କନ୍ୟା । କହ୍ନାର ଅବର୍ତ୍ତମାନରେ ଅନ୍ତତଃ ତାର ଦୁଇ ଝିଅ, ସ୍ତ୍ରୀ ସୁପ୍ରିୟା ଓ ତାର ବାପା, ମା ଭାଇଙ୍କୁ ପ୍ରଭୁ ସାହାସ ଦିଅନ୍ତୁ, ଧର୍ଯ୍ୟ ଦିଅନ୍ତୁ ଏବଂ ସର୍ବୋପରି ଏହି ଦୁଃଖଦ ପରିସ୍ଥିତିକୁ ସହିବାକୁ ଅସୀମ ଶକ୍ତି ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରାର୍ଥନା କରାଯାଇଥିବା ଜଣାଯାଇଛି ।