ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଂଚଳରେ ଥିବା ସେବା ସମବାୟ ସମିତି ଗୁଡିକରେ ଧାନ କିଣିବା ଅବଧି ଶେଷ ହୋଇଥିଲେ ମଧ୍ୟ ଯୋଗାଣ ବିଭାଗ ଦେଇଥିବା ଟୋକନ୍ଧାରୀଙ୍କ ଠାରୁ ସମସ୍ତ ଧାନ କ୍ରୟ ହୋଇନଥିବା ଜଣାଯାଇଛି । ଫଳରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗତ ମଂଗଳବାର ଅପରାହ୍ନରେ ବର୍ତ୍ତନା ସେବା ସମବାୟ ସମିତିକୁ ଧାନ ନେବାକୁ ଆସିଥିବା ଟ୍ରକ୍କୁ ଉତ୍ୟକ୍ତ ଚାଷୀମାନେ ବହୁ ଅଭିଯୋଗ ସହ ଘେରିଥିଲେ । ଶେଷରେ ଯୋଗାଣ ବିଭାଗ ପକ୍ଷରୁ ଟ୍ରକଟିକୁ ଜବତ୍ କରାଯାଇ ଅଟକ ରଖାଯାଇଛି । ଘଟଣାରୁ ପ୍ରକାଶ ସରସିଦାଠାରେ ଥିବା ବର୍ତ୍ତନା ସେବାସମବାୟ ସମିତି ଅଧିନରେ ୫୭୬ଜଣ ଚାଷୀ ନାମ ପଂଜିକରଣ କରିଥିଲେ । ସେମାନଙ୍କ ଠାରୁ ୩୬୭୦୦ କ୍ୟୁଣ୍ଟାଲ ଧାନ କିଣିବା କଥା । କିନ୍ତୁ ୩୫୦ଜଣକୁ ଟୋକ ଦିଆଯାଇଥିବାରୁ ୨୨୬ଜଣଙ୍କ ଠାରୁ ୧୩୮୩୫ କ୍ୟଣ୍ଟାଲ ଧାନ କ୍ରୟ ହୋଇଥିବା ଜଣାଯାଇଛି । ସେଠାରୁ ଜଗନ୍ନାଥ ମିଲ, ବଡ ଆଗ୍ରୋ ଟେକ୍ ଓ ପୂଜା ନାମକ ୩ଟି ରାଇସ୍ମିଲ ଧାନ କ୍ରୟ କରିଥିବା ବେଳେ ଗତ ମଂଗଳବାର ଅପରାହ୍ନରେ ଏକ ଟ୍ରକ ଯୋଗେ ଧାନ ଯିବାକୁ ଥିବା ବେଳେ ସମବାୟ ସମିତିର ଜଣେ କର୍ମଚାରୀଙ୍କ ଧାନ ନିଆଯାଉଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ଟ୍ରକ୍କୁ ଘେରାଓ କରି ଉପଜିଲାପାଳ ଈଶ୍ୱର ଆଶିଷ ପଟେଲଙ୍କୁ ସବିଶେଷ ତଥ୍ୟ ଦେବାରୁ ସେ ଆର୍ଏମ୍ସିର ସଂପାଦକ ବଳରାମ ଜେନା ଓ ଏସ୍ଇଏସ୍ଓ ଅଜୟ କୁମାର ମଲ୍ଲିକଙ୍କୁ ତଦନ୍ତ କରିବାକୁ ଦେଇଥିଲେ । ଗତ ରାତିରେ ପୁଲିସ୍ ସିଜ୍ କରିବାପରେ ଆଜି ଜଳେଶ୍ୱର ଯୋଗାଣ ନିରିକ୍ଷକ ସାଗରିକା ରାଉତରାୟଙ୍କ ଉପସ୍ଥିତିରେ ଧାନ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି । ଏହି ଟ୍ରକ୍ର ନମ୍ବର ଟିଏନ୍୭୭ଏଚ୍୭୭୪୨ ହୋଇଥିବାରୁ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ସଂପର୍କରେ କୁହାଯାଇଛି । ଏହି ୧୫୪ ବ୍ୟାଗ୍ ନାମ୍ପୋ ସୋସାଇଟିରେ ଜମା ରହିବ ବୋଲି ଆର୍ଏମ୍ସି ପକ୍ଷରୁ କୁହାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା