ସମସ୍ୟା ଘେରରେ ଇଟା ବ୍ୟବସାୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ଓ ଲକ୍ ଡାଉନ ଯୋଗୁଁ ସମସ୍ତ ବ୍ୟବସାୟ ପ୍ରଭାବିତ ହୋଇଥିବା ବେଳେ ଇଟା ବ୍ୟବସାୟ ମଧ୍ୟ ସେଥିରୁ ନିସ୍ତାର ପାଇନାହିଁ । ଜଳେଶ୍ୱର ଅଂଚଳରେ ଥିବା ଇଟାଭାଟି ଗୁଡିକ ଏବେ ବନ୍ଦ ଥିବା ବେଳେ ସେଠାରେ କାର୍ଯ୍ୟରତ ଶ୍ରମିକମାନେ ମାଲିକଙ୍କ ଉପରେ ବୋଝ ହୋଇଛନ୍ତି । ଅନ୍ୟପକ୍ଷରେ ପ୍ରତିକୂଳ ପାଗ ଯୋଗୁଁ ଅଦ୍ୟାବଧି ଲକ୍ଷ ଧାର୍ଯ୍ୟର ଏକ ଚତୁର୍ଥାଂଶ କଂଚା ଇଟା ତିଆରୀ ହୋଇଥିବା ବେଳେ ତାର ୫୦ଭାଗ ପୋଡା ହୋଇପାରିନାହିଁ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାମାଜିକ ଦୂରତ୍ୱକୁ ବଜାୟିରଖି ଏବେ ସମସ୍ତ ଇଟା ନିର୍ମାଣ କାର୍ଯ୍ୟ ବନ୍ଦ ଥିବା ବେଳେ ପଶ୍ଚିମବଂଗ ଓ ବିହାରରୁ ଆସିଥିବା ଶ୍ରମିକମାନଙ୍କୁ ଖାଦ୍ୟ ଓ ଖର୍ଚ୍ଚ ତୁଲାଇବା ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି । ଜଳେଶ୍ୱରର ଇଟା ଉତ୍ତର ବାଲେଶ୍ୱରରେ ସର୍ବତ୍‌କୃଷ୍ଟ । ଏହାର ଚାହିଦା ଅଧିକ ଥିବାରୁ ଏ ଅଂଚଳରେ ବହୁ ଇଟାଭାଟି ଗଢି ଉଠିଛି । ସରକାରଙ୍କ ନିୟମ ଅନୁଯାୟୀ ଇଟା ତିଆରୀ କରି ବିକ୍ରି କରିଆସୁଛନ୍ତି । କିନ୍ତ ଚଳିତବର୍ଷ ବାରମ୍ବାର ବର୍ଷ ହେଉଥିବାରୁ ଇଟା ପ୍ରସ୍ତୁତରେ ବ୍ୟାଘାତ ସୃଷ୍ଟି ହେଉଛି । ଏ ଅଂଚଳରେ ଥିବା ୪୦ଟି ନାଲି ଇଟାଭାଟିରେ ପ୍ରାୟ ୪ହଜାର ଶ୍ରମିକ କାର୍ଯ୍ୟ କରନ୍ତି । ଏଥିରୁ ସିଂହ ଭାଗ ଶ୍ରମିକ ବିହାର, ଝାଡଖଣ୍ଡ ଓ ପଶ୍ଚିମବଂଗରୁ ଆସିଥାନ୍ତି । ଚଳିତବର୍ଷ ବାରମ୍ବାର ବର୍ଷା ହେଉଥିବାରୁ ଇଟା ନଷ୍ଟ ହୋଇ ଆସୁଛି । ପୁଣି ମାର୍ଚ୍ଚ ୧୩ ତାରିଖରୁ କରୋନା ଲାଗି ଜଳେଶ୍ୱର ତହସିଲଦାର ଇଟା ନିର୍ମାଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ରହିଛି । କିନ୍ତୁ ଅଦ୍ୟାବଧି ଲକ୍ଷଧାର୍ଯ୍ୟ ଇଟାର ଏକ ଚତୁର୍ଥାଂଶ କଂଚାଇଟା ନିର୍ମାଣ ହୋଇଥିବା ବେଳେ ଏହାର ୫୦ଭାଗ ସ୍ଥାୟୀ ଚିମିନି ଇଟାଭାଟି ଦ୍ୱାରା ପୋଡା ଯାଇନଥିବାରୁ ଇଟା ବ୍ୟବସାୟୀମାନେ ପ୍ରମାଦ ଗଣୁଥିବାର ଆଜି ସାମାଜିକ ଦୂରତା ରକ୍ଷା କରି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ଇଟାଭାଟି ମାଲିକ ସଂଘର ସଭାପତି ପ୍ରମୋଦ କୁମାର ଜେନା, ପୂର୍ବତନ ସଭାପତି ଧ୍ରୁବଚରଣ ପାଳ ଓ ଅମରନାଥ ଘୋଷାଲ ପ୍ରକାଶ କରିଛନ୍ତି । ଏବେ ଜଳେଶ୍ୱର ଅଂଚଳର ଇଟାଭାଟି ଇଲାକା ଗୁଡିକରେ ପ୍ରାୟ ୨୧ଶହରୁ ଅଧିକ ଶ୍ରମିକ କାର୍ଯ୍ୟ ନ କରି ମାଲିକମାନଙ୍କ ଠାରେ ଆଶ୍ରା ନେଇଛନ୍ତି । ସାମାଜିକ ଦୂରତା ରକ୍ଷାକରି ସେମାନଙ୍କୁ ମାଲିକମାନେ ଦୁଇଓଳି ଖାଦ୍ୟ ଯୋଗାଉଥିବା ସେମାନେ କହିଛନ୍ତି । ଏବେ ଲକ୍‌ଡାଉନ୍‌ର ଅବଧି ୩୦ ତାରିଖ ଯାଏ ବୃଦ୍ଧି ହୋଇଥିବାରୁ ଏହା ଇଟାଭାଟି ମାଲିକଙ୍କ ଉପରେ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି । କିନ୍ତୁ ଏବେ କରୋନା ର ସହାୟତା ଲାଗି ବାଲେଶ୍ୱର ଇଟାଭାଟି ମାଲିକ ସଂଘ ୫ଲକ୍ଷ ୩୦ହଜାର ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିବା ବେଳେ ତନ୍‌ମଧ୍ୟରୁ ଜଳେଶ୍ୱର ସଂଘ ୧ଲକ୍ଷ ୫ହଜାର ଟଙ୍କା ସହାୟତା ଦେଇଥିବା ସେମାନେ କହିଛନ୍ତି । ପ୍ରଶାସନ ସାମାଜିକ ଦୂରତା ନିୟମ ବଜାଇ ରଖି ଅନ୍ୟୁନ ସ୍ୱଳ୍ପ ସଂଖ୍ୟକ ଶ୍ରମିକଙ୍କୁ କାର୍ଯ୍ୟ କରିବାର ଅନୁମତି ହେବାକୁ ନିବେଦନ କରିଥିବା ବେଳେ ଭବିଷ୍ୟତରେ ସମସ୍ତ ଉନ୍ନୟନ କାର୍ଯ୍ୟ ବନ୍ଦ ହେବାର ସମ୍ଭାବନା ରହିଛି ।

ରିପୋର୍ଟ : ଭୂପତି କୁମାର ପରିଡା