


ରାୟଗଡ଼ା (ସମୃଦ୍ଧ ଓଡିଶା) ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜ୍ୟୋତିଯାତ୍ରାକୁ ରାୟଗଡ଼ା ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ରବିବାର ଜ୍ୟୋତି ସହର ପରିକ୍ରମା ବେଳେ ରାଜରାସ୍ତାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ସ୍ଥାନୀୟ ଷ୍ଟେସନ ନିକଟସ୍ଥ ଟ୍ରାଫିକ ଛକ ନିକଟରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରାକୁ ମୁଖ୍ୟଅତିଥି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଶୋଭାଯାତ୍ରାକୁ ନୀଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା କପିଳାସ ଛକ ଦେଇ ସ୍ଥାନୀୟ ଲାୟନ୍ସ କ୍ଲବ ସମ୍ମିଳନୀ କକ୍ଷରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ସଭା ପୂର୍ବରୁ ପ୍ରଥମେ ସିଆରପିଏଫ ଚତୁର୍ଥ ବାଟାଲିୟନ ଯବାନ ଅଖଣ୍ଡ ଦିବ୍ୟ ଜ୍ୟୋତିକୁ ସଭାଗୃହ ପରିସରକୁ ଆଣିଥିଲେ । ଶ୍ରୀ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଅମୃତ ଋତୁରାଜ, ସମ୍ମାନିତ ଅତିଥି ସମନ୍ୱୟ ଆଦିବାସୀ ବିକାଶ ପ୍ରକଳ୍ପ ଅଧିକାରୀ ଟୁକୁ ବାରିକ, ଚତୁର୍ଥ ବାଟାଲିୟନ ସିଆରପିଏଫ ଡେପୁଟି କମାଣ୍ଡାଣ୍ଟ ସନ୍ତୋଷ କୁମାର, ଶିକ୍ଷାବିତ ଡଃ. ଦୁଷ୍ମନ୍ତକୁମାର ମହାନ୍ତି, ସେଞ୍ଚୁରିୟାନ ନିର୍ଦେଶକ ରାଜେଶ ପାଢିଙ୍କ ସମେତ “ସମାଜ” କୋରାପୁଟ ସଂସ୍କରଣର ସହ ଶାଖା ପରିଚାଳ ରାକେଶ କୁମାର ପାଢି ଓ “ସମାଜ” ଜିଲ୍ଲା ପ୍ରତିନିଧି ଆମଜାଦ ଅଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ । ସାହିତ୍ୟ ଓ ସମାଜରେ ଘଟୁଥିବା ସତ୍ୟ ଘଟଣାକୁ ଗ୍ରାମାଞ୍ଚଳ ଲୋକଙ୍କ ନିକଟକୁ ପହଞ୍ଚାଇବା ମହତ ଉଦ୍ଦେଶ୍ୟ ନେଇ ପଣ୍ଡିତ ଗୋପବନ୍ଧୁ “ସମାଜ”ର ପରିକଳ୍ପନା କରିଥିଲେ । କେବଳ ଦକ୍ଷ ସାମ୍ବାଦିକ ନୁହେଁ ସଂକୀର୍ଣ୍ଣ ଚିନ୍ତାଧାରା ଊଦ୍ଧ୍ୱର୍ରେ ରହି ଉତ୍କଳ ମାଟି, ଦେଶ ଓ ବିଶ୍ୱବାସୀ ପ୍ରେମୀ ଥିଲେ ପଣ୍ଡିତ ଗୋପବନ୍ଧୁ । ତେବେ ଜୀବନର ଶେଷ ପାହାଚରେ “ସମାଜ” ଭଳି ସତ୍ୟ ପ୍ରକାଶିତ ଖବରକାଗଜକୁ ଦେଶବ୍ୟାପି ସମାଜ ସେବା ସଂଗଠନ ଲୋକସେବକ ମଣ୍ଡଳକୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନର ଛାତ୍ର ସମାଜ ତାଙ୍କ ଭଳି ଚିନ୍ତାଧାରରେ ଉଦ୍ବୁଦ୍ଧ ହୋଇ ଜୀବନରେ ଅଗ୍ରସର ହେବା ଆବଶ୍ୟକ ରହିଛି ବୋଲି ପ୍ରକଳ୍ପ ପ୍ରଶାସକ ଅମୃତ ଋତୁରାଜ ମତବ୍ୟକ୍ତ କରିଛନ୍ତି । ମୁଖ୍ୟବକ୍ତା ରୂପେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଡଃ.ଦୁଷ୍ମନ୍ତକୁମାର ମାହାନ୍ତି ଅନୁରୂପ ମତ ପୋଷଣ କରିଥିଲେ । ନିସ୍ୱାର୍ଥପର ସେବାର ପୂଜକ ଥିଲେ ଉତ୍କଳର ପୂଜ୍ୟ ଗୋପବନ୍ଧୁ । ତାଙ୍କର ମାନସ ସନ୍ତାନ ସମାଜ ମାଧ୍ୟମରେ ଗୋପବନ୍ଧୁଙ୍କ ସତ୍ୟ, ସେବା, ସଂସ୍କାର ଓ ପ୍ରେରଣା ଓଡିଶାବାସୀଙ୍କ ନିକଟରେ ପହଞ୍ଚୁଛି ବୋଲି ଡଃ ମହାନ୍ତି ମତ ପ୍ରକାଶ କରିଛନ୍ତି । ସମନ୍ୱିତ ଆଦିବାସୀ ବିକାଶ ପ୍ରକଳ୍ପ ଅଧିକାରୀ ଟୁକୁ ବାରିକ ଏକ ନିରପେକ୍ଷ ଖବରକାଗଜ ଭାବେ ସମାଜକୁ ସତ୍ୟ ଓ ସେବାର ଦିଗଦର୍ଶନ ଦେଉଛି “ସମାଜ”ବୋଲି କହିଥିଲେ । କାର୍ଯ୍ୟକ୍ରମ ଶେଷରେ ରାୟଗଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ଚାଷୀଙ୍କୁ ଆଦର୍ଶ କୃଷକ ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଅବସରରେ ସହରସ୍ଥିତ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ଓ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ, ଲିଲିପୁଟ ସ୍କୁଲର ଶକ୍ଷକ, ଶିକ୍ଷୟତ୍ରୀ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ବିଦ୍ୟାର୍ଥି, ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟ ଶିକ୍ଷାର୍ଥୀ, ଜିସିଡି ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ, ବାଳିକା ବିଦ୍ୟାଳୟ ଛାତ୍ରୀ, ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବିଦ୍ୟାର୍ଥୀ, ମହିଳା ମହାବିଦ୍ୟାଳୟ ଛାତ୍ରୀ, ଗାୟତ୍ରୀନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାର୍ଥୀ, ଏନସିସି କ୍ୟାଡେଟ୍, ସ୍କାଉଟ, ଗାଇଡ ଶିକ୍ଷାର୍ଥୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ସେହିପରି ସହରର ବିଭିନ୍ନ ବୁଦ୍ଧିଜୀବୀ ସଙ୍ଗଠନ ଲାୟନ୍ସ କ୍ଲବ, ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ବାର ସଂଘ, ନାଗାବଳି ଲାୟନ୍ସ କ୍ଲବ ସଦସ୍ୟ, ସଂସ୍କୃତି କ୍ଲବ ସଦସ୍ୟ, ଜିଲ୍ଲା ସର୍ବୋଦୟ ମଣ୍ଡଳ ସଦସ୍ୟ, ଗ୍ରୀନ ଇଣ୍ଡିଆ ସଦସ୍ୟ, ଜିଲ୍ଲା ମଜଦୁର ସଂଘ ସଦସ୍ୟ, ଘରୋଇ ବସ ମାଲିକ ସଂଘ ସଦସ୍ୟଙ୍କ ସମେତ ପ୍ରାଥମିକ ଶିକ୍ଷକ ସଂଘ ସଦସ୍ୟ ଓ ଓମ ଶାନ୍ତି ଆଶ୍ରମ କର୍ମକର୍ତ୍ତା ପ୍ରମୁଖ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ







