ସମାଜ, ସଂସ୍କାର ଓ ଧାର୍ମିକ ପରମ୍ପରା

ନବରାତ୍ର ଆସିଲେ ପ୍ରତିଥର ବିଧର୍ମୀ ମାନଙ୍କ ଦ୍ଵାରା ଗୋଟିଏ ପ୍ରକାର ନକରାତ୍ମକ ପ୍ରଚାର ଚାଲେ। ଯେଉଁ ଦେଶରେ ନାରୀ ମାନଙ୍କ ପ୍ରତି ଅପରାଧ ଓ ଦୁଷ୍କର୍ମ ହେଉଛି ସେଠି ନାରୀଙ୍କୁ ପୂଜା କରାଯାଉଛି। ବର୍ଷ ସାରା ନାରୀଙ୍କ ପ୍ରତି ଅବିଚାର ଓ ଦୁର୍ବ୍ୟବହାର କରି ନ ଦିନ ପୂଜା କରିବା ଗୋଟେ ପ୍ରକାର ପ୍ରପଞ୍ଚ, ଏଭଳି କେତେ କଣ କଥା। ଏହିଭଳି ବକବାସ ସହିତ କୁତ୍ସିତ କାର୍ଟୁନ ଏବଂ ଦେବୀଙ୍କୁ ବିଭିନ୍ନ କ୍ଷତ ଓ ଦୁଃଖିତ ମୁଦ୍ରାରେ, କେବେ ବିନା ଆୟୁଦ୍ଧରେ ଚିତ୍ରିତ କରି ପ୍ରଚାର ଚାଲେ। ସେହିଭଳି ମନ୍ଦବୁଦ୍ଧିଙ୍କୁ ନିକଟରେ କେତୋଟି ପ୍ରଶ୍ନ କରିଥିଲି। ଯେମିତିକି ସବୁ ଅପରାଧର ଦାୟିତ୍ୱ ହିନ୍ଦୁ ଦେବାଦେବୀଙ୍କ ମୁଣ୍ଡରେ କାହିଁକି ଲଦାହେବ ? ଦ୍ଵିତୀୟରେ ଯେଉଁ ଦେଶ ଗୁଡ଼ିକରେ ଦେବୀ ଉପାସନା ହେଉନାହିଁ ସେଠି କଣ ନାରୀ ମାନଙ୍କ ସହିତ କୌଣସି ଅତ୍ୟାଚାର ହେଉନାହିଁ କି ? ସବୁ ଜ୍ଞାନ କେବଳ ହିନ୍ଦୁ ପର୍ବ ଓ ପରମ୍ପରା କୁ ନେଇ କାହିଁକି ? ଏହିଭଳି ଆହୁରି ଅନେକ ପ୍ରଶ୍ନ। ତେବେ, ଆଜି ବର୍ଦ୍ଧିଷ୍ଣୁ ଅପରାଧର ବିଭିନ୍ନ କାରଣ ଓ ଏହାକୁ ରୋକିବା ପାଇଁ କିଛି ପ୍ରସ୍ତାବ ଉପରେ ଆଲୋଚନା କରିବା। ଉପରେ ଗୋଟିଏ ଫୋଟୋ ଦେଖନ୍ତୁ। ଫୋଟୋରେ ନବରାତ୍ର ସମୟରେ କନ୍ୟାପୂଜନର ଦୃଶ୍ୟ ରହିଛି। ସେଇ ଫୋଟୋକୁ ଦେଖି ଚିନ୍ତା କରି କୁହନ୍ତୁ, କନ୍ୟା ପୂଜା କରୁଥିବା ସେହି ପୁରୁଷଟି କେବେ ସେହି ନ’ଜଣ କନ୍ୟାଙ୍କ ଭିତରୁ କାହାରି ପ୍ରତି ଅସଦ ବ୍ୟବହାର କରିପାରିବେ କି ? ଉତ୍ତର ନିଶ୍ଚିତ ଭାବରେ ନା ରେ ମିଳିବ। ଭାବି ଦେଖନ୍ତୁ, ବର୍ଷରେ ଦୁଇଥର ନବରାତ୍ର ପାଳନ ହୁଏ ଏବଂ ପ୍ରତିଥର ଅଷ୍ଟମୀ/ନବମୀ ତିଥିରେ ନ’ଜଣ କୁମାରୀ କନ୍ୟାଙ୍କୁ ଦେବୀ ମା’ଙ୍କ ସ୍ୱରୂପ ଭାବେର ବିଚାର କରି ପୂଜା କରାଯାଇଥାଏ। ଯଦି ପ୍ରତ୍ୟେକ ପରିବାର ରେ କନ୍ୟା ପୂଜନ କରାଯାଏ, ତେବେ କେତେ ଝିଅଙ୍କୁ ସୁରକ୍ଷା ଓ ସମ୍ମାନର ଉପହାର ମିଳିପାରିବ ସେକଥା ଚିନ୍ତା କରନ୍ତୁ। ଆମେ ଆମ ଧର୍ମ, ସଂସ୍କାର ଓ ପରମ୍ପରା ଠାରୁ କ୍ରମଶଃ ଦୂରେଇ ଯିବା ଯୋଗୁଁ ଆଜି ବିକାର ଓ ପାଶବିକ ପ୍ରବୃତ୍ତି ବଢିଛି ଆମ ମାନଙ୍କ ଭିତରେ। ଯାହାର ଫଳ ସ୍ୱରୂପ ଏଭଳି ସାମାଜିକ ଦୁଃସ୍ଥିତି ମାନ ଉତ୍ପନ୍ନ ହୋଇଛି ଓ ବଢୁଛି। ଏଥିରୁ ନିସ୍ତାରଣ ଦିନ କେଇଟା ରେ ସମ୍ଭବ ନୁହେଁ। ଏଥିପାଇଁ ସମୟ ଲାଗିବ କିନ୍ତୁ ସମ୍ଭବ। ମୁଁ ବାରମ୍ବାର କହେ ଆଇନ କିମ୍ବା ସରକାର ନୁହେଁ ସଂସ୍କାର ହିଁ ଏଭଳି ଅପରାଧକୁ ରୋକିବାରେ ସଫଳ ହେବ। ଆମକୁ ପୁଣି ଥରେ ଆମ ମୌଳିକ ଧାର୍ମିକ ସଂସ୍କାର ଆଡକୁ ଫେରିଯିବାକୁ ହେବ। ନିଜ ଘରେ ନବରାତ୍ର ପୂଜା କରନ୍ତୁ। ଅଷ୍ଟମୀ କିମ୍ବା ନବମୀ ଦିନ କୁମାରୀ କନ୍ୟା ମାନଙ୍କୁ ନିମନ୍ତ୍ରଣ କରି କନ୍ୟା ପୂଜନ ଅନୁଷ୍ଠାନ କରନ୍ତୁ। ତାସହିତ କନ୍ୟା ପୂଜନ କାର୍ଯ୍ୟ ପରିବାରର ସମସ୍ତ ପୁରୁଷ ସଦସ୍ୟଙ୍କ ହାତରେ ମଧ୍ୟ କରାନ୍ତୁ। ଘରର ମହିଳା ମାନେ ସମସ୍ତ ପ୍ରସ୍ତୁତି ଓ ପୂଜନ ରେ ସହାୟତା କରନ୍ତୁ। କେବଳ ଗୀତା ଭାଗବତ ପଢିଲେ ସଂସ୍କାର ଆସିବା ବିଳମ୍ବିତ ହୋଇପାରେ କିନ୍ତୁ ଦୈନନ୍ଦିନ ଜୀବନରେ ଏଭଳି ସଂସ୍କାରକୁ କର୍ମରେ ପ୍ରୟୋଗ କଲେ ତାହାର ତ୍ୱରିତ ଏବଂ ଅଧିକ ପ୍ରଭାବ ପଡିଥାଏ।

 

Leave a Reply

Your email address will not be published. Required fields are marked *