ସମୁଦ୍ରକୂଳିଆ ଅଞ୍ଚଳରେ ଚାରା ରୋପଣ କରିବା ନିମନ୍ତେ ବିଡିଓ, ତହସିଲଦାର ଓ ବନ ବିଭାଗ ଅଧିକାରୀଙ୍କ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ସମୁଦ୍ରକୂଳିଆ ଅଂଚଳରେ ଚାରା ରୋପଣ କରିବା ସକାଶେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଥିବା ମିନି କନଭେରନ୍ସ ହଲ୍ ଠାରେ କରାଯାଇଛି । ଏହି ବୈଠକରେ ଛତ୍ରପୁର, ଚିକିଟି, ରଙ୍ଗେଇଲୁଣ୍ଡା, ଖଲିକୋଟ, ଗଂଜାମ ବ୍ଲକ ସମୁଦ୍ର ଠାରୁ ୫କିଲୋମିଟର ମଧ୍ୟରେ ଥିବା ଅଂଚଳରେ ସାମୁଦ୍ରିକ ଝଡ ବାତ୍ୟା ଦାଉରୁ ରକ୍ଷା ନିମନ୍ତେ ଝାଉଁ ଓ କାଜୁ ଗଛ ବହୁ ପରିମାଣରେ ଲଗାଇବା ନିମନ୍ତେ ଆଲୋଚନା କରାଯାଇଛି । ସଂପୃକ୍ତ ଅଂଚଳ ବିଡିଓ, ତହସିଲଦାର ଏବଂ ବନ ବିଭାଗ ମିଳିତ ସମନ୍ୱୟରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି । ଏଥିପାଇଁ ତହସିଲଦାରମାନେ ଉକ୍ତ ଅଂଚଳଗୁଡିକର ସରକାରୀ ଜମିକୁ ପ୍ରଥମେ ଚିହ୍ନଟ କରିବେ । ଏହାପରେ ସେଠାରେ ବୃକ୍ଷ ରୋପଣ କରାଯିବ । ଏହାସହ ସମୁଦ୍ର ଅଂଚଳରେ ପଡିଥିବା ପ୍ଲାଷ୍ଟିକ୍ ପଲିଥିନ୍ ସଫା କରାଯିବା । ଜୁଲାଇ ୭ତାରିଖ ଠାରୁ ସୋନପୁର ଠାରୁ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ବୈଠକରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ସଙ୍କର ସ୍ୱାଇଁ, ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଏପିଡି ଦେବବ୍ରତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ବ୍ରହ୍ମପୁର ଡିଭିଜନର ଡିଏଫଓଙ୍କ ସମେତ ବିଡଓ, ତହସିଲଦାର ଓ ବନବିଭାଗର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା