କନ୍ଧମାଳ (ସମୃଦ୍ଧ ଓଡିଶା) ବହୁ ପ୍ରତିକ୍ଷିତ ବ୍ରହ୍ମପୁର ଠାରୁ ସମ୍ବଲପୁରର ରେଢାଖୋଲ ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳଲାଇନର ସର୍ଭେ ପାଇଁ ଟେଣ୍ଡର ପ୍ରକ୍ରୀୟା ଶେଷ ହୋଇସାରିଛି । ତେଣୁ ଖୁବଶୀଘ୍ର କନ୍ଧମାଳବାସୀ ନିଜ ଜିଲ୍ଲାରେ ରେଳଲାଇନ ଦେଖିବେ ବୋଲି କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧାମୋହନ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଗଠିତ ଓଡିଶା ରେଳ ଭିତିଭୂମି ବିକାଶ ଲିମିଟେଡ୍(ଓରିଡିଏଲ)କୁ ଏହି ପ୍ରକଳ୍ପର ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ସଂସ୍ଥାୀ ପକ୍ଷରୁ ଏହି ପ୍ରକୋଳ୍ପର ସର୍ଭେ କାର୍ଯ୍ୟ ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଥିବା ବେଳେ ବର୍ତମାନ ସେହି ପ୍ରକ୍ରୀୟା ଶେଷ ହୋଇ ସାରିଛି ଏବଂ ଖୁବ୍ ଶିଘ୍ର ସର୍ଭେ କାର୍ଯ୍ୟ ଆରମ୍ଭ ହେବା ନେଇ ସେ ନୂଆଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରଣାଳୟର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନାବେଳେ ସୂଚନା ପାଇଥିବା କହିଛନ୍ତି । ଏହି ରେଳପଥ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଠାରୁ ସମ୍ବଲପୁର ନିକଟ ରେଢାଖୋଲ ପର୍ଯ୍ୟନ୍ତ ୨୪୦ କିମି ଦୁରତା ହେବ ଏବଂ ଏହି ପଥ ମଧ୍ୟରେ ଗଞ୍ଜାମ ଜିଲ୍ଲାର ହିଂଜିଲିକାଟୁ, ଆସିକା ଭଂଜନଗର, ବଦାଙ୍ଗି, କନ୍ଧମାଳ ଜିଲ୍ଲାର ଚକାପାଦ, ଫୁଲବାଣୀ, ବୌଦ୍ଧ ଜିଲ୍ଲାର ସାନମୁଣ୍ଡା, ମୁଣ୍ଡାପଡା, ବୈଦ୍ଧ, କଦଳିଗଡ ଓ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଆଦି ଷ୍ଟେସନ ରହିବ ଏବଂ ୨୦୨୫ ସୁଦ୍ଧା ଏହି ରେଳପଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ ରଖିଥିବା ଆଲୋଚନା ବେଳେ ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିବା ଶ୍ରୀ ମହାପାତ୍ର କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘ ୨ ବର୍ଷ ଧରି କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ କନ୍ଧମାଳ ଜିଲ୍ଲାକୁ ରେଳଲାଇନ ଦାବି କରି ଆନ୍ଦୋଳନ କରି ଆସୁଛି । ବିଭିନ୍ନ ସମୟରେ ଧାରଣା, ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ଦାବି କରିବା ସହ ଦିଲ୍ଲୀ ଯାଇ ରେଳ ମନ୍ତ୍ରଣାଳୟର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରି ଆସିଛି ।ଦକ୍ଷିଣ ଓଡିଶା ବିକାଶ ପରିଷଦ ପକ୍ଷରୁ ମଧ୍ୟ ବହୁ ବାର ଦାବି କରାଯାଇଥିଲେ ଯାହାକି ସମୃଦ୍ଧ ଓଡିଶା ଖବର କାଗଜ ଏହାକୁ ସମର୍ଥନ ଜଣାଇଥିଲା । ଆଜି ଏହା ସଫଳ ହେବାକୁ ଯାଇଥିବାରୁ ଆମେ କୃତଜ୍ଞତା ଜଣାଉଛୁ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା