ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ନାଗରିକ ସଂଶୋଧନ ଆଇନ ବିରୋଧରେ ବିଶାଳ ସମାବେଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତ ସମ୍ବିଧାନରେ ସବୁ ଧର୍ମ, ସବୁ ଜାତି ଓ ସମସ୍ତ ଭାଷା, ଭାଇଚାରା ପ୍ରତି ଗୁରୁତ୍ୱ ଦିଆଯାଇଥିବା ବେଳେ ଏବେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ସାମ୍ବିଧାନ ବିରୋଧି କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ପ୍ରଥମେ କାଶ୍ମୀର ୩୭୦ ଧାରା ଉଚ୍ଛେଦର ବ୍ୟବସ୍ଥା କରିବାକୁ ଯାଇ ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ନାଗରିକ ସଂଶୋଧନ ଆଇନ୍ ଓ ନାଗରିକ ପଂଜିକା ଆଇନ୍ ଆଳରେ ଦେଶକୁ ଭାଗଭାଗ କରିବାକୁ ଚେଷ୍ଟା ଚଳାଇଛନ୍ତି । ଫଳରେ ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକ ତଥା ଶ୍ରମିକ ମୁଲିଆ, କୃଷକ ପ୍ରଭୃତି ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଭାରତରେ ଥିବା ସଂଖ୍ୟାଲଘୁ ବ୍ୟକ୍ତିମାନଙ୍କୁ ଦେଶରୁ ବିଦା କରିବା ପାଇଁ ଏହି ଆଇନ୍ ଏକ ହୀନ ପ୍ରଚେଷ୍ଟା ବୋଲି ମଙ୍ଗଳବାର ପୂର୍ବାହ୍ନରେ ଜଳେଶ୍ୱର ଟାଉନ୍‌ହଲ ପଡିଆଠାରେ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ନାଗରିକ ସଂଶୋଧନ ଆଇନ୍ ବିରୋଧରେ ଆୟୋଜି ବିଶାଳ ସମାବେଶରେ ଯୋଗ ଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । କଂଗ୍ରେସ ନେତା ସୁଦର୍ଶନ ଦାସ, ସିପିଏମ୍ ନେତା ଶିଶିର ହୁଇ ଓ ସଂଖ୍ୟାଲଘୁ ନେତା ଫରିଦ୍ ଅହମ୍ମଦ ପ୍ରମୁଖ ସଭାପତି ମଣ୍ଡଳିଙ୍କ ପୌରହିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ ଯୋଗ ଦେଇ ମୋଦି ଓ ଶାହାଙ୍କ ପୂର୍ବଜ କେଶ ଦାସ ମାରୋ ଜଗନ୍ନାଥ ମନ୍ଦିରକୁ ଆସି ଜଗନ୍ନାଥ ସଂସ୍କୃତି ଓ ହିନ୍ଦୁ ଧର୍ମକୁ ନଷ୍ଟ କରିବାପାଇଁ ଯେଉଁ ହିନ ଚକ୍ରାନ୍ତ କରିଛନ୍ତି, ତାହାକୁ ଦେଶବାସୀଙ୍କ ସମ୍ମୁଖରେ ପ୍ରକାଶ କରିବାପାଇଁ ସେ ତାଙ୍କ ପୁସ୍ତକ- ‘ହିନ୍ଦୁଧର୍ମ ଓ ଶ୍ରୀଜଗନ୍ନାଥ‘ ଉଲ୍ଲେଖ କରିଛନ୍ତି ବୋଲି କହିଥିଲେ । ଜାମୁ କାଶ୍ମିରେ ଆମ୍ବାନୀ ଓ ଆଦାନୀଙ୍କ ହୋଟେଲ ବ୍ୟବସାୟ ଆରମ୍ଭ କରିବା ଲାଗି ୩୭୦ଧାରା ଉଚ୍ଛେଦ କରିବା, ସିଏଏର ପ୍ରଥମ ପର୍ଯ୍ୟାୟରେ ଆସାମ, ନାଗାଲାଣ୍ଡ ଓ ମଣିପୁର ରାଜ୍ୟରେ ଲାଗୁ କରି ପରବର୍ତ୍ତୀ ସମୟରେ ସମଗ୍ର ଦେଶରେ ଏହି କଳା ଆଇନ୍‌କୁ ପ୍ରଚଳନ କରିବାପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । ରାଜ୍ୟ ସିପିଏମ୍‌ର ଅନ୍ୟତମ ମୁଖ୍ୟ ଜନାର୍ଦ୍ଦନ ପତି ଯୋଗ ଦେଇ ସମ୍ବିଧାନକୁ ରକ୍ଷା କରିବା ପାଇଁ ୨୦୧୧ ଜନସଂଖ୍ୟା ତାଲିକା ସଂଶୋଧନ ବେଳେ ପ୍ରତ୍ୟେକ ନାଗରିକ ସେମାନଙ୍କ କୌଣସି କାଗଜପତ୍ର ପ୍ରଦର୍ଶନ ନ କରି କେବଳ ନିଜ ପରିଚୟ ପ୍ରଦର୍ଶନ କରିବାପାଇଁ ଆହ୍ୱାନ ଦେଇଥିଲେ । ମହାତ୍ମାଗାନ୍ଧୀଙ୍କ ପ୍ରଦତ୍ତ କାର୍ଯ୍ୟକୁଶଳତାକୁ ବିଜେପି ଉଠେଇ ନେଇ ୧୯୨୧ ମସିହାରେ ନାଗପୁରରେ ପ୍ରସ୍ତୁତ ହୋଇଥିବା ଆର୍‌ଏସ୍‌ଏସ୍‌ରେ ବିଧିବିଧାନକୁ ଭାରତର ଶାସନ ବ୍ୟବସ୍ଥାରେ ପ୍ରଚଳନ ପାଇଁ ଚେଷ୍ଟା କରାଯାଉଥିବା କହିଥିଲେ । ଏହି ଆନ୍ଦୋଳନର ରାଜ୍ୟର ଅନ୍ୟତମ ନେତା ଅମୀୟ ପାଣ୍ଡବ ଯୋଗଦେଇ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ଘୋଷିତ ସମ୍ବିଧାନକୁ ଭୁଲିଯାଇ ଏବର କେନ୍ଦ୍ର ସରକାର ସବରକର ଅଘୋଷିତ ସମ୍ବିଧାନ ଓ ମହାତ୍ମାଗାନ୍ଧିଙ୍କୁ ହତ୍ୟା କରିଥିବା ନାଥୁରାମ ଗହସେକୁ ପୂଜା କରିବା ପାଇଁ ହୀନ ଚକ୍ରାନ୍ତ ଚଳାଇଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶିର ହୁଇ, ପୂର୍ବତନ ବିଧାୟକ ପ୍ରଦିପ୍ତ ପଣ୍ଡା, ଜୟନ୍ତ ଦାସ, ଅରୁଣ ଜେନା, ଦିଲ୍ଲିପ ଗିରି, କମଳ ଚକ୍ରବର୍ତ୍ତୀ, ଜିତାଂଶୁ ନନ୍ଦି, ରିଆଜ ଖାଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ୍ ଅବଦୁଲ ରହିମ୍‌, ସେକ୍ ହାସିରୁଦ୍ଦିନ ବକ୍ସ, ସତ୍ୟନାରାୟଣ ଗୁପ୍ତା, ଅବଦୁଲ ହାକିମ୍ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଆଇନ୍‌ଜିବୀ ସତ୍ୟସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଝାଡେଶ୍ୱରପୁର ଠାରୁ ଏକ ବିଶାଳ ସଭାଯାତ୍ରା ସହର ପରିକ୍ରମା କରି ଟାଉନହଲ ପଡିଆଠାରେ ପହଞ୍ଚିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାଯାତ୍ରାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ମହିଳା ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା