ସମ୍ଭାବ୍ୟ ବାତ୍ୟା ‘ଗୁଲାବ୍’ : ବାତ୍ୟା ପୂର୍ବ ଓ ପରବର୍ତ୍ତି କାର୍ଯ୍ୟ ଖସଡା ପ୍ରସ୍ତୁତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ପୂର୍ବ ସୂଚନା ମୁତାବକ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପର ପ୍ରଭାବରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ବାତ୍ୟାରୂପ ନେବ । ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଶୁ ପଦକ୍ଷେପ ବ୍ୟବସ୍ଥା କରାଯାଇ ବାତ୍ୟାର ପୂର୍ବ ଓ ପରବର୍ତ୍ତି କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ଅଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗତ ବିଳମ୍ବିତ ରାତିରେ ଜୁମ୍ ଭିସି ଏବଂ ଆଜି ଶନିବାର ପୂର୍ବାହ୍ନ ସମୟରେ ଓସ୍ବାନ୍ ହଲ୍ ରେ ଆଭାସୀ ବୈଠକରେ ସମସ୍ତଙ୍କୁ ସଜାଗ ରହିବା ନେଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଅଧିକରୁ ଅତ୍ୟଧିକ ବର୍ଷା ହେବା ସହିତ ପବନର ବେଗ ୭୦ରୁ ୯୦ ମଧ୍ୟରେ ରହିବାର ସମ୍ଭାବନା ଯୋଗୁଁ ଗଞ୍ଜାମ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏଥିଯୋଗୁ ଆଗାମୀ ୨୬ ଏବଂ ୨୭ ତାରିଖରେ ସମ୍ଭାବ୍ୟ ବାତ୍ୟା ଗୁଲାବ୍ (GUL-AAB)ର ପ୍ରଭାବ ରହିବ । ପୂର୍ବ ବର୍ଷାରେ ଭୂମିର ଜଳ ସ୍ତର ସମ୍ପୂର୍ଣ୍ଣ ହୋଇଥିବା ହେତୁ ଭୂମି କୁ ଜଳ ପ୍ରବେଶ ନ କରିପାରି ବନ୍ୟାର ସ୍ଥିତି ଦେଖାଯିବାର ସମ୍ଭାବନା ରହିଛି । ବିଶେଷକରି ସ୍ଥାନେ ସ୍ଥାନେ ଖାଲୁଆ ଅଞ୍ଚଳ ଗୁଡିକରେ ଜଳ ମଗ୍ନ ହୋଇ ରହିବ । କଚ୍ଚା ରୋଡ୍, କଚ୍ଚା ଘର ବା କଚ୍ଚା କାନ୍ଥ ଧସିଯିବା ସମ୍ଭାବନା ରହିଛି । ଅଣ୍ଡର ପାସ୍ ରାସ୍ତାରେ ଜଳମଗ୍ନ ହୋଇ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେବ । ନଦୀର ଜଳ ସ୍ତର ବୃଦ୍ଧି ହୋଇ ବନ୍ୟାସ୍ଥିତି ଦେଖାଯିବ । ଧାନଚାଷ ସମେତ ପନିପରିବା ଚାଷ ଜମିରେ ଜଳ ମଗ୍ନ ଓ ବାଲିଚର ମାଡିବାର ସମ୍ଭାବନା ରହିଛି । ଏ ସମସ୍ତ କାରଣ ଯୋଗୁଁ ପ୍ରଶାସନକୁ ପୂର୍ବ ପ୍ରସ୍ତୁତି କରିବା ସହିତ ବାତ୍ୟା ପରବର୍ତ୍ତି କାର୍ଯ୍ୟ ଖସଡା ପ୍ରସ୍ତୁତ କରି ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଛନ୍ତି । ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଆଗାମୀ ୪/୫ ଦିନ ପର୍ଯ୍ୟନ୍ତ ନିଜ ନିଜର ସଦର ମହକୁମାରେ ରହିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇ ଅଛି । ରବିବାର ଏବଂ ସୋମବାର ଏହି ଦୁଇ ଦିନ ଗୋପାଳପୁର, ସୋନପୁର ସମେତ ସମୁଦ୍ର ଅଞ୍ଚଳକୁ ବୁଲିଯିବା ନିମନ୍ତେ ଲୋକଙ୍କୁ ବାରଣ କରାଯାଇଅଛି । ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ମଧ୍ୟକୁ ନ ଯିବାପାଇଁ ସତର୍କ କରାଇ ଦିଆଯାଇଅଛି । ଜିଲ୍ଲା ସ୍ତରରୁ ଆରମ୍ଭ କରି ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲି ତାର ଯୋଗଯୋଗ ନମ୍ବର ଜାରି କରାଯିବାକୁ କୁହାଯାଇଅଛି । ଶତକଡା ୧୦୦ ପ୍ରତିଶତ ବର୍ଷା ହେବ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଭାରପ୍ରାପ୍ତ ଥାନା ଅଧିକାରୀ, ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ କୁ ସଜାଗ କରି ରଖିବାକୁ କୁହାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜ ଅଞ୍ଚଳର ସୁରକ୍ଷା ଦିଗରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ନଦୀ ଓ ପୋଖରୀରେ ଜଳ ସ୍ତର ବୃଦ୍ଧି ହେବା ହେତୁ ସେଥିରେ ଗାଧୋଇବା ନିମନ୍ତେ ଜନ ସାଧାରଣଙ୍କୁ ବାରଣ କରାଯାଇଅଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣ ନିଜ ନିଜ ଅଞ୍ଚଳର ଲୋକ ପ୍ରତିନିଧି ମାନଙ୍କୁ ନେଇ ବୈଠକ ଦ୍ବାରା ସଚେତନତା ଏବଂ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି । ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ରାସ୍ତାଘାଟ, କୋଠାବାଡି, ମାଟିଘର, ଚାଳଘର ଗୁଡିକ ଚିହ୍ନଟ କରି ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ କିମ୍ବା ଉଚ୍ଚ ସ୍ଥାନରେ ଥିବା ବିଦ୍ୟାଳୟ ମାନଙ୍କରେ ସ୍ଥାନାନ୍ତର କରି ସେମାନଙ୍କର ରହିବା, ଖାଇବା ଓ ପାନୀୟ ଜଳର ବ୍ୟବସ୍ଥା କରିବାକୁ କୁହାଯାଇଛି । ତଳିଆ ଏବଂ ବିପଦ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳା ମାନଙ୍କୁ ସୁରକ୍ଷିତ ସ୍ଥାନ କିମ୍ବା ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବାତ୍ୟା ଏବଂ ବନ୍ୟା ରୋଗରୁ ସୁରକ୍ଷିତ ସକାଶେ ଔଷଧ ଓ ହାଲୋଜେନ୍ ବଟିକା ପୂର୍ବ ପ୍ରସ୍ତୁତି କରି ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଚୁଡା ଗୁଡ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଯୁଦ ସକାଶେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କୁହାଯାଇଛି । ପୂର୍ବ ଅଭିଜ୍ଞତାକୁ ଆଧାର କରି ଜଳମଗ୍ନ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ସକାଶେ ରବର ବୋଟ୍ ର ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଶୁ ସମ୍ପଦର ସୁରକ୍ଷା ସକାଶେ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ନେଇ ଜଣାଇବାକୁ କୁହାଯାଇଛି । ଡ୍ୟାମ୍, ନଦୀ ଗୁଡିକର ଜଳ ସ୍ତର ପ୍ରତି ଦୃଷ୍ଟି ରଖି ଜଳର ପରିଚାଳନା ନେଇ କାର୍ଯ୍ୟ ଖସଡା ଦିଗରେ ପୂର୍ବ ପ୍ରସ୍ତୁତି କରିବାକୁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ କୁହାଯାଇଛି । ଜିଲ୍ଲାର କୌଣସି ଜନଜୀବନ କ୍ଷୟକ୍ଷତି ହେବ ନାହିଁ ଜିରୋ କାଜୁଆଲିଟି ରହିବ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଶନିବାର ଅନୁଷ୍ଠିତ ଆଭାସୀ ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଲାଇନ୍ ବିଭାଗୀୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀଗଣ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା