ଅବାରିତ ଏ ସମୟର ଧାରା । ଚିର ପ୍ରବହମାନ।କାହାର ବା ଶକ୍ତି ଅଛି ତାର ଗତି ରୋଧ କରିବ ? ସମୟକୁ ଜିତିଯିବାର ପ୍ରଚେଷ୍ଟାରେ ସମସ୍ତେ ଅହରହ ଧାଇଁଥାଆନ୍ତି । ଏ ଦୌଡରେ ଯିଏ ପଛରେ ପଡିଯାଏ ନିକମା ବୋଲି ଗଣା ହୁଏ । ସେଦିନ ଗାଁ ଶେଷ ମୁଣ୍ଡ, ଛକରେ ପ୍ରଦୋଷ ପିଲାଦିନର ସାଙ୍ଗ ପରେଶକୁ ଭେଟିବାରୁ ନିକମାଟା ବୋକାଟା ବୋଲି ଆକ୍ଷେପ କଲା । ଚା ଦୋକାନରେ ଦୁଇ ବନ୍ଧୁ ଚା ପିଉଥିବା ବେଳେ ପ୍ରଦୋଷ କହିଲା “ଆରେ ପରେଶ ମୁଁ ଶୁଣିଲି ତୁ ଭୁବନେଶ୍ୱର ରହଣୀ ଛାଡି ଗାଁକୁ ଫେରିଆସିଛୁ । କଥାଟା ସତ ନା କ’ଣ?” ଢୋକେ ଚା ପିଉ ପିଉ ପରେଶ କହିଲା “ହଁ ତୁ ଠିକ୍ ହିଁ ଶୁଣିଛୁ । ବାପା ବୋଉଙ୍କୁ ଗାଁରେ ଛାଢି ମୁଁ ଭୁବନେଶ୍ୱରରେ ଶାନ୍ତିରେ ରହିପାରିଲି ନାହିଁ । ଏଇ ମାତ୍ର ଚାରି ପାଞ୍ଚ ବର୍ଷ ପୂର୍ବେ, ସେମାନେ ଗାଁରେ ଏକା ଏକା ଚଳି ଯାଉଥିଲେ । କିନ୍ତୁ ବୟସ ଅଶିଟପିଲାଣି,ଏକା ରହିବାକୁ ଡରିଲେଣି । ବୋଉ ଆଉ ରୋଷେଇ କରିପାରୁନି।ବାପା ସଉଦାପତ୍ର ଆଣିପାରୁନାହାନ୍ତି । ପୁଣି ଆଜିକା ସମୟ ଏପରି ଯେ –ଯେଝା ହାତରେ ଯେଝା ଚଉଦ ପା ।କେହି କାହା ବୋଲ ଶୁଣିବାର ନାହିଁ, କି ବିପଦ ଆପଦରେ ଠିଆ ହେବାର ନାହିଁ । ଗାଁର ମାଟି ରାସ୍ତା ଆଜି କଙ୍କ୍ରିଟ୍ । ତା ସାଙ୍ଗରେ ଗାଁ ମଣିଷଙ୍କ ମନ ହୃଦୟ ବି ଆଜି କଙ୍କ୍ରିଟ୍ ।” “ସେକଥା ଠିକ୍ ଯେ ତୋ ଛୁଆପିଲାଙ୍କ ଭବିଷ୍ୟତ ତୁ ଅନ୍ଧାର କରିଦେଲୁ । ଗାଁରେ ରହି ସେମାନଙ୍କ ଜୀବନ ମାଟି ହୋଇଯିବ।”—–ଦୁଇ କପ୍ ଚା,ର ପଇସା ଦୋକାନୀକୁ ଦେଉଦେଉ ପ୍ରଦୋଷ କହିଲା । ଦୁଇ ବନ୍ଧୁ ନିଜ ନିଜର ଗନ୍ତବ୍ୟ ପଥରେ ଚାଲିଗଲେ । ପ୍ରଦୋଷ ଭୁବନେଶ୍ୱରରେ ରହି ତା ଏକମାତ୍ର ପୁଅର ଭବିଷ୍ୟତ ଗଢିବାକୁ ପ୍ରାଧାନ୍ୟ ଦେଲା । ତା ବାପା ବୋଉ ମଧ୍ୟ ଗାଁ ଛାଡି ଭୁବନେଶ୍ୱର ଯାଇନଥିଲେ । ରୋଗ ବଇରାଗରେ ଔଷଧ ପାନେ ପାଉନଥିଲେ । ହନ୍ତସନ୍ତ ହେଉଥିଲେ । ପ୍ରଦୋଷ ସବୁ ଜାଣୁଥିଲା । କିନ୍ତୁ ଧୃତରାଷ୍ଟ୍ର ପରି ପୁତ୍ର ସ୍ନେହରେ ଏପରି ଅନ୍ଧ ହୋଇଥିଲା ଯେ ବାପା ବୋଉଙ୍କ ତତ୍ତ୍ୱ ନେଇପାରିଲା ନାହିଁ । ବଡ କଷ୍ଟରେ କିଛି ବର୍ଷ ବଞ୍ଚି ତା ବୋଉ ବାପା ଆଗପଛ ହୋଇ ଚାଲିଗଲେ । ପରେଶ କିନ୍ତୁ ତା ସାଧ୍ୟ ମୁତାବକ ବାପା ବୋଉଙ୍କ ଯତ୍ନ ନେଉଥିଲା । ତା ପୁଅ ଦୁଇ ଜଣ ଗାଁ ସ୍କୁଲରେ ପାଠ ପଢିଲେ । ଅବଶ୍ୟ ତାକୁ ଗାଁ’ରୁ ଭୁବନେଶ୍ୱର ଯିବା ଆସିବା କରି ଚାକିରି ସମ୍ଭାଳିବାକୁ ପଡୁଥିଲା । ସମୟ ତା ବାଟରେ ଚାଲିଥିଲା । ନା ସେ ପ୍ରଦୋଷକୁ ଅପେକ୍ଷା କରୁଥିଲା ନା ପରେଶକୁ । ଦୁହେଁ ପ୍ରୌଢ ହୋଇଯାଇଥିଲେ । (ସମୟର ଦୋଛକି)ରେ ପୁଣି ବୁଇ ବନ୍ଧୁ ଭେଟ ହୋଇଗଲେ ସେହି ଗାଁ ଶେଷ ମୁଣ୍ଡ, ଛକ ଚା ଦୋକାନରେ । ନୁଆଁଣିଆ ଚାଳଘରଟି ଏବେ ଦୁଇ ବଖୁରିଆ କୋଠାଘର ହୋଇ ଯାଇଥିଲା । କାଠ ବେଞ୍ଚ୍ ବଦଳରେ ଟେବୁଲ୍ ଚେଆର୍ ସଜା ହୋଇ ପଡିଥିଲା । ନିଧି ସାହୁ ଜାଗାରେ ତା ପୁଅ ହରି ସାହୁ ଦୋକାନ ଚଳଉଥିଲା୍ । ଦୋକାନ ଆଗରେ “ସାହୁ ସୁଇଟ୍ ଷ୍ଟଲ୍” ସାଇନ୍ ବୋର୍ଡ ମରାଯାଇଥିଲା । ପରେଶ ପଚାରିଲା ପ୍ରଦୋଷକୁ”ପୁଣି ଗାଁକୁ କେବେ ଆସିଛୁକି?ତୋ ବାପା ବୋଉ,ତ ବଡ କଷ୍ଟ ପାଇ ଚାଲିଗଲେ । ଆଉ ତୋ ଖବର ସବୁ କ’ଣ?” ପ୍ରଦୋଷ କହିଲା –“ପୁଅ ମୋର ଯୋଗ୍ୟ ହୋଇଛିରେ । ସେ ଗାଁ କ’ଣ, ତ ଜାଣିନି । ଭୁବନେଶ୍ୱର ବି ତାକୁ ଛୋଟ ଲାଗିଲା ।ସେ ଏବେ ଆମେରିକାରେ ସ୍ଥାୟୀ ନାଗରିକତ୍ବ ପାଇଯାଇଛି । ସେଠିକା ଝିଅ ନୋରାକୁ ଜୀବନସାଥୀ କରିଛି । ଆମେ ବୁଢା ବୁଢ଼ୀ ଦୁଇଟା କେବଳ ଖବର ହିଁ ଶୁଣିଛୁ । ଭୁବନେଶ୍ୱରରେ ଘରଭଡା ନେଇ ଆଉ କାହିଁ ପଡିରହିଥାଆନ୍ତୁ? ଗାଁକୁ ପଳେଇ ଆସିଲୁ ।” ସ୍ତବ୍ଧ ହୋଇଗଲା ପରେଶ । କହିଲା—“ମୋ ପୁଅ ଏତେ ଯୋଗ୍ୟ ହୋଇନାହାନ୍ତିରେ । କିନ୍ତୁ ମୁଁ ଭଲରେ ଅଛି । ଦୁଇ ପୁଅ ସରକାରୀ ଚାକିରି ପାଇଛନ୍ତି । ପୁଅ ବୋହୂ ନାତି ନାତୁଣୀରେ ମୋ ଘର ଭରପୁର । ବୟସର ଅପରାହ୍ନରେ ଏକା ଏକା ଚଳିବା ବଡ କଷ୍ଟରେ ହଁ ତୋର କିଛି ବି ଆବଶ୍ୟକ ହେଲେ, ଅସୁବିଧା ପଡିଲେ ତୋ ପୁଅକୁ ଜଣା କି ନଜଣା, ମତେ ନିଶ୍ଚୟ ଜଣାଇବୁ । ପର ଭାବିବୁନି ।” ଏତିକି ବେଳେ ପରେଶର ପୁଅ ପ୍ରତ୍ୟୁଷ କାର୍ ନେଇ ପହଞ୍ଚିଲା । “ବାପା ଆଜି କ’ଣ ଛକରେ ଏତେ ଡେରି କଲଣି ? ଘରେ ସମସ୍ତେ ବ୍ୟସ୍ତ ହେଉଛନ୍ତି ।” “ମୋ ପିଲାଦିନର ସାଙ୍ଗ ଭେଟ ହୋଇଗଲା, ତ ଅଟକିଗଲି । ମଉସାଙ୍କୁ ନମସ୍କାର ହୋ ।ସାଙ୍ଗରେ ନେଇଚାଲ । ତାଙ୍କ ଘରେ ଛାଡି ଦେଇଆସିବା୍” ସମସ୍ତେ କାର୍ ରେ ବସି ବାହାରି ପଡିଲେ ।
ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ
ଗ୍ରନ୍ଥାଗାର ଅଧିକ୍ଷକା
ଡେରାବିସ ମହା ବିଦ୍ୟାଳୟ