ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ଗତ କିଛିମାସ ଧରି ଜଳେଶ୍ୱର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଚୋରାରେ ମାଟିଖୋଳି ପଶ୍ଚିମବଂଗକୁ କିମ୍ବା କୌଣସି ଇଟାଭାଟିକୁ ବ୍ୟାପକ ଭାବରେ ଚାଲାଣ ହୋଇ ଆସୁଛି । ପ୍ରଶାସନିକ ଉଦାସିନତା ଯୋଗୁଁ ଏହି କାର୍ଯ୍ୟରେ ଲିପ୍ତ ଥିବା ରାକେଟ ପ୍ରତ୍ସାହିତ ହେଉଛନ୍ତି । ସୁବର୍ଣ୍ଣରେଖା ନଦୀକୂଳ ଅଂଚଳରେ ଏପରି ଚୋରା ମାଟି ଚାଲାଣ ବ୍ୟାପକ ଭାବେ ହେଉଥିବା ବେଳେ ଏହାକୁ ଲକ୍ଷ୍ୟକରି ଗତ ୩ଦିନ ଧରି ନାମ୍ପୋ ଆରଆଇ ସର୍କଲ ଅଧିନରେ ଏକ ଜେସିବି ମାଟି ଖୋଳି ବିକ୍ରି ଆସୁଥିଲା । ଏ ସଂପର୍କରେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା ଓ ସ୍ଥାନୀୟ ପୋଲିସ୍ ଏଏସ୍ଆଇ ଭଗବାନ ଦାସଙ୍କ ନିକଟରେ ଅଭିଯୋଗ ହେବାପରେ ଏଏସ୍ଆଇ ଶ୍ରୀ ଦାସ ଆରଆଇ ସୁବ୍ରତ କୁମାର ମଙ୍ଗଲ ମିଳିତ ତଦନ୍ତରେ ଯାଇଥିଲେ । ନାମ୍ପୋ ଗାଁର ବଡଖାଳ ନିକଟ ଏକ ଗୋଚର ସ୍ଥାନରୁ ୪ ଫୁଟ ଗଭୀରର ମାଟି ଖୋଳାଯାଇ ନାମ୍ପୋ ଗାଁର ଦରବାଜ ଖାଁଙ୍କ ବାଡିରେ ପଡିଥିବା ଦେଖିବାକୁ ପାଇଥିଲେ । ଉଭୟେ ଜେସିବିକୁ ଥାନାରେ ଅଟକ ରଖିଥିବା କୁହଯାଇଛି । ଜେସିବିର ନମ୍ବର ଓଡି୦୧ଏଏ-୧୪୦୧ ବୋଲି ଜଣାପଡିଛି । ଏ ସଂପକରେ ଗତକାଲି ସଂଧ୍ୟାରେ ତହସିଲଦାର ଶ୍ରୀ ପଣ୍ଡାଙ୍କ ସହିତ ଯୋଗାଯୋଗ କରିବାରୁ ସରକାରୀ ଜମିରୁ ମାଟିଖୋଳା ସଂପର୍କରେ ଅଭିଯୋଗ ସତ୍ୟ ଓ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବା ସଂଗେ ସଂଗେ ଜୋରିମାନା ଆଦାୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା