ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସ୍ୱଚ୍ଛ ପରିଷ୍କାର ଏବଂ ଆଦର୍ଶ ବିଦ୍ୟାଳୟରେ ଗଢିବା ନେଇ ସରକାରୀ ସ୍ତରରେ ବହୁ ଯୋଜନା ଏବଂ ପାଠ୍ୟ ଖସଡା ଆଦି ପ୍ରସ୍ତୁତ ହେଉଛି । ଗୁଣାତ୍ମକ ଶିକ୍ଷାଦାନ ସହିତ ସାକ୍ଷରତା ଆଡକୁ ଆକୃଷ୍ଟ କରିବା ନେଇ ମଧ୍ୟ ସରକାର ବହୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ପିଲାମାନଙ୍କୁ ଶିକ୍ଷା ଦିଗରେ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ ସରକାରୀ ସ୍ତରରେ ଚେଷ୍ଟା କରାଯାଉଥିଲେ ହେଁ ସବୁ ଦିଗପହଣ୍ଡି ବ୍ଳକରେ ଫଳପ୍ରଦ ହୋଇପାରୁନଥିବା ଦେଖିବାକୁ ମିଳିଛି । ବ୍ଳକର ଚଷାନିମଖଣ୍ଡି ପେଣ୍ଠ ପଞ୍ଚାୟତର ଚଷାନିମଖଣ୍ଡି କ୍ଲଷ୍ଟର ଅଧିନସ୍ଥ ରହିଥିବା ଏନ୍.ଲକ୍ଷ୍ମୀନାରାୟଣପୁର ପ୍ରାଥମିକ ବିଦ୍ୟାଳୟ ସତେ ଯେମିତି ଶିକ୍ଷା ବିଭାଗର ସମ୍ପୂର୍ଣ୍ଣ ଦୃଷ୍ଟି ଅଢୁଆଳରେ ରହିଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ସେଗୁଡିକର ସମାଧାନ ନେଇ ପ୍ରତିକାର ସ୍ୱରୂପ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସେହିପରି ବିଦ୍ୟାଳୟର ଆନୁସଙ୍ଗିକ ବ୍ୟବସ୍ଥା ଏବଂ ରୂପରେଖରେ ପରିବର୍ତ୍ତନ ଆଣିବା ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ପ୍ରତିବର୍ଷ ପିଲା ସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ପ୍ରକାଶଯେ, ୧୯୬୭ ମସିହାରେ ସ୍ଥାପିତ ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଚଳିତ ଶିକ୍ଷା ବର୍ଷରେ ୨୮ଜଣ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଛନ୍ତି । ପୂର୍ବରୁ ଏହି ବିଦ୍ୟାଳୟରେ ଗତ ୨୦୧୭-୧୮ ଶିକ୍ଷା ବର୍ଷ ୪୨ଜଣ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ୨୦୧୮-୧୯ ଶିକ୍ଷା ବର୍ଷରେ ୩୨ ଜଣ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଥିଲେ । ପୂର୍ବରୁ ରହିଥିବା ବିଦ୍ୟାଳୟର ସମସ୍ତ କୋଠା ବିପଦ୍ଜନକ ସ୍ଥିତି ଦେଖାଯିବା ପରେ ଏକ ଅତିରିକ୍ତ ଶ୍ରେଣୀ କୋଠା ନିର୍ମାଣ କରାଯାଇଥିଲା । ଗତ ୨୦୧୭ ମସିହାରେ ପୁରୁଣା ସ୍କୁଲର ସମସ୍ତ କୋଠାକୁ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବା ପରେ ସେବେ ଠାରୁ ସେଠାରେ ଆଉ ଶିକ୍ଷା ଦାନ କାର୍ଯ୍ୟକ୍ରମ ବନ୍ଦ ରହିଛି । ନିର୍ମାଣ ହୋଇଥିବା ଗୋଟିଏ ମାତ୍ର ଅତିରିକ୍ତ କୋଠାରେ ଶିକ୍ଷା ଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବିଦ୍ୟାଳୟଟି ରାସ୍ତା ପାଶ୍ୱର୍ରେ ରହିଥିବା ବେଳେ ରାସ୍ତାର ଅପରପାଶ୍ୱର୍ରେ ଘୋଡାହାଡ ଡ୍ୟାମ୍ର ଏକ କେନାଲ ରହିଛି । ବିଦ୍ୟାଳୟଟି ମୁଖ୍ୟ ରାସ୍ତା ପାଶ୍ୱର୍ରେ ରହିଥିବା ବେଳେ ମୁଖ୍ୟ ରାସ୍ତାରୁ ୬ ଫୁଟ ତଳକୁ ରହିଛି । ଫଳରେ ପାଚେରୀ ବିହୀନ ଏହି ବିଦ୍ୟାଳୟରେ ବର୍ଷା ହେଲେ ରାସ୍ତା ଉପରୁ ପାଣି ଭାସି ହୋଇ ବିଦ୍ୟାଳୟ ମଧ୍ୟରେ ଜମି ରହୁଛି । ସେହି ପାଣି କାଦୁଅରେ ବିଦ୍ୟାର୍ଥୀ ମାନେ ଯାତାୟତ କରୁଥିବା ବେଳେ ବିଦ୍ୟାଳୟ ମଧ୍ୟକୁ ପାଣି ପଶିଯାଉଥିବା ଅଭିଯୋଗ ହୋଇଛି । ଲଗାଣ ବର୍ଷା ହୋଇଗଲେ ବିଦ୍ୟାଳୟ ମଧ୍ୟରେ ବର୍ଷା ପାଣା ଜମି ରହି କୃତ୍ରିମ ପୋଖରୀ ପରିସ୍ଥିତି ସୃଷ୍ଟି କରୁଛି । ବିଦ୍ୟାଳୟ ପାଶ୍ୱର୍ରେ ଉଚ୍ଚକ୍ଷମତା ସମ୍ପନ୍ନ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ରହିଛି, ସେଥିରେ ମଧ୍ୟ କୌଣସି ପ୍ରକାର ପାଚେରୀ ନାହିଁ । ଗ୍ରାମବାସୀଙ୍କ ଉଦ୍ୟମ ବଳରେ ବିଦ୍ୟାଳୟ ଚତୁଃପାଶ୍ୱର୍ରେ ସମ୍ପ୍ରତ୍ତି ବାଉଁଶରେ ଅସ୍ଥାୟୀ ପାଚେରୀ ନିର୍ମାଣ କରାଯାଇଛି । ସେହିପରି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଏମ୍ସିଏଲ୍ ପ୍ରକଳ୍ପ ମାଧ୍ୟମରେ ହୋଇଥିବା ପାଇଖାନା ଏବଂ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଅବ୍ୟବହୃତ ହୋଇ ରହିଥିବା ଦେଖିବାକୁ ମିଳିଛି । ଗୋଟିଏ କୋଠରୀହିଁ ଭଲ ଭାବେ ରହିଥିବା ହେତୁ ସେଠାରେ ହିଁ ବିଦ୍ୟାଳୟର ଆନୁସଙ୍ଗିକ ସାମଗ୍ରୀ ବିଭିନ୍ନ ସରକାରୀ କାଗଜାତ ଆଦି ରହୁଛି । ଯେଉଁ କଠୋରୀରେ ଶିକ୍ଷା ଦାନ କରାଯାଉଛି ସେଠାରେ ହିଁ ରୋଷେଇ ସାମଗ୍ରୀ ରହୁଛି ଏବଂ ଅଫିସ୍ କାର୍ଯ୍ୟାଳୟ କରାଯାଇଛି । ସେହି କଠୋରୀରେହିଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୨୮ ଜଣ ବିଦ୍ୟାର୍ଥୀଙ୍କୁ ୨ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବାରୁ ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି । ଶିକ୍ଷା ବିଭାଗ ପକ୍ଷରୁ ଚାଲୁ ରହିଥିବା ଉଜ୍ଜଳ ଏବଂ ଉତ୍ଥାନ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟକୁ ବିଭିନ୍ନ ସମୟରେ ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ପରିଦର୍ଶନରେ ଆସି ବିଦ୍ୟାଳୟର୍ ବେହାଲ୍ ଜନିତ ସମସ୍ୟା ପ୍ରତି ଅବଗତ ହୋଇଯାଉଥିଲେ ମଧ୍ୟ କୌଣସି ପ୍ରକାର ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଥିବା ପ୍ରକାଶ ପାଇଛି । ବିଦ୍ୟାଳୟର ଯାବତୀୟ ସମସ୍ୟା ନେଇ ପୂର୍ବରୁ ବହୁବାର ଅଭିଯୋଗ କରିଥିଲେ ହେଁ ନିକଟରେ ପୁଣିଥରେ ଲିଖିତ ଅଭିଯୋଗ ପତ୍ର ବିଡିଓ ଏବଂ ବିଇଓଙ୍କୁ ପ୍ରଦାନ କରିଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ ଏବଂ ହରିଶ୍ଚନ୍ଦ୍ର ନାଇକ ଜଣାଇଛନ୍ତି । ପ୍ରାଥମିକ ସ୍ତରରେ ଶିକ୍ଷା ଦାନକୁ ହସଖୁସି ଏବଂ ଖେଳକୁଦ ମାଧ୍ୟମରେ କୋମଳମତି ଶିଶୁଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ସହ ସର୍ବ ଶିକ୍ଷା ଅଭିଯାନରେ ସାମିଲ କରିବା ପାଇଁ ସରକାରୀ ସ୍ତରରେ ଆପ୍ରାଣ ଉଦ୍ୟମ କରାଯାଉଥିବା ନେଇ ସର୍ବତ୍ର ଡିଣ୍ଡିମ ପିଟାଯାଉଥିବା ବେଳେ ଦିଗପହଣ୍ଡି ବ୍ଳକରେ ଏହା କିଭଳି କାର୍ଯ୍ୟ କରୁଛି ତାହା ଏନ୍.ଲକ୍ଷ୍ମୀନାରାୟଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ରୂପରେଖ ଏବଂ ଭିତ୍ତିଭୂମୀକୁ ଦେଖିଲେ ବେଶ୍ ଅନୁମେୟ ହେଉଛି । ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଖୋଦ୍ ଏହାର ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା