


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବ୍ରହ୍ମପୁର-୨ର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ସୌରୀନ୍ଦ୍ର କୁମାର ରାଉତରାୟ ଉଦଘାଟନ କରିଥିଲେ ଏବଂ ଏନଫୋର୍ସମେଣ୍ଟ ଅଫିସର ତୁଷାରକାନ୍ତ ମୁଖ୍ୟବକ୍ତା ଭାବେ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ଛାତ୍ରମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଉତ୍ସବରେ ଜିଲ୍ଲା କ୍ରୀଡା ନିରୀକ୍ଷକ ଭାଗିରଥି ସ୍ୱାଇଁ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଡ଼. ସାବିତାରାଣୀ ଦାଶ ଆଜିର କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ବିଷୟରେ ସୂଚନା ଦେଇ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ ଉତ୍ସବରେ ଛାତ୍ରୀମାନଙ୍କ ଦ୍ୱାରା ଜିରୋ ପିରିୟଡ଼, ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବରିଷ୍ଠ ଶିକ୍ଷକ ବିଜୟ କୁମାର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଚାରୁସ୍ମିତା ଦାଶ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ବିଷୟରେ ଛାତ୍ରୀମାନଙ୍କୁ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ପୁନଶ୍ଚ ଛାତ୍ରୀମାନଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ଶିକ୍ଷୟତ୍ରୀ ଶ୍ରୀମତୀ ସରୋଜ ପାଢ଼ୀ ଡେଙ୍ଗୁ, ମ୍ୟାଲେରିଆ ଓ “ପିଲାଟିଏ ଗଛଟିଏ” ବିଷୟ ଉପରେ ସ୍ୱରଚିତ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ପରିଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





