

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସହରର ବିଭିନ୍ନ ସ୍ଥାନକୁ ବୁଲି ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାର ତଦାରଖ କରିବା ସହ କହିଛନ୍ତି ଯେ ନିୟମ ନ ମାନିଲେ ୭ ଦିନ ପାଇଁ ସିଲ ହେବ ଦୋକାନ । ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଗୁଆ ପଦକ୍ଷେପ ଗ୍ରହଣ କରିବା ସହ ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ ହଟସ୍ପଟ ଅଞ୍ଚଳରୁ ରାଜ୍ୟକୁ ଫେରୁଥିବା ବ୍ୟକ୍ତି ମାନଙ୍କ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାହାର ରାଜ୍ୟରୁ ଜିଲ୍ଲାକୁ ଫେରିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ନିଜ ନିଜ ଆରଟିପିସିଆର ସାର୍ଟିଫିକେଟ ଆଣିବା ପାଇଁ ବାଧ୍ୟତାମୁଳକ କରାଯାଇଛି । ଆଜି ସନ୍ଧ୍ୟା ୬ ଟା ବେଳେ ଜିଲ୍ଲାପାଳ ପେଟ୍ରଲ ପମ୍ପ ନିକଟରେ ଥିବା ମାର୍କେଟ କମ୍ପେ୍ଲକ୍ସର ଦୋକାନକୁ ଦୋକାନ ବୁଲି ସ୍ୱଚ୍ଛତା ଉପରେ ସଚେତନତା କରିବା ସହ ପଞ୍ଚସୂତୀ ନିୟମ ମାନି ଚଳିବାକୁ କହିଥିଲେ । କିଛି ଦୋକାନ ସମ୍ମୁଖରେ ଅଳିଆ ଆବର୍ଜନା ପଡିଥିବା ଦେଖି ଜିଲ୍ଲାପାଳ ଦୋକାନୀମାନଙ୍କୁ ତାଗିଦ୍ କରିବା ସହିତ ନିଜ ନିଜ ଦୋକାନ ସମ୍ମୁଖରେ ପଡିଥିବା ଅଳିଆ ଆବର୍ଜନାକୁ ନିଜେ ସଫା କରିବା ନିମନ୍ତେ କହିଥିଲେ । ଆଗାମୀ ଦିନରେ ଏସବୁରେ ସୁଧାର ନ ଆଣିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଦୋକାନ ଗୁଡିକୁ ୭ ଦିନ ନିମନ୍ତେ ସିଲ୍ କରାଯିବ ବୋଲି ଚେତାବନୀ ଦେଇଥିଲେ । ଜିଲ୍ଲାପାଳଙ୍କ ସହ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ ଓ ଏନଏସିର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

