ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହର ମଧ୍ୟଦେଇ ବ୍ୟାପକ ଯାନ ଚଳାଚଳ ଯୋଗୁଁ ଜନସାଧାରଣ ବ୍ୟତିବ୍ୟକ୍ତ ହୋଇପଡିଛନ୍ତି । ସକାଳ ଠାରୁ ସଂଧ୍ୟାଯାଏ ଡମ୍ପର, ଟ୍ରାକ୍ଟର ଓ ଟ୍ରକ୍ରେ ବାଲି, ପଥର, ଇଟା ପରିବହନ ସହିତ ପିକ୍ଅପ୍, ଟ୍ରକ୍, ବସ୍, ମେଜିକ୍, ବାଇକ୍ ଇତ୍ୟାଦି ଯାନ ଚଳ।ଚଳ ଯୋଗୁଁ ଯାତାୟାତ ପଥ ରୁଦ୍ଧ ହୋଇଯାଉଛି । ଏପରିକି ରାସ୍ତାକଡରେ ବହୁ ଯାନ ଦୀର୍ଘ ସମୟ ଧରି ଛିଡା ହେଉଥିବା ଯୋଗୁଁ ପରିସ୍ଥିତିକୁ ଜଟିଳ କରୁଛି । ୪୫ନଂ ରେଳ ଓଭରବ୍ରିଜ୍ ନିର୍ମାଣ ଚାଲିଥିବାରୁ ପ୍ରାୟ ୧ କି.ମି ସ୍ଥାନରେ ପରିସ୍ଥିତି ଜଟିଳ ହେଉଛି । ଏହି ସ୍ଥାନରେ ଗୋଟିଏ ଯାନ ଗଲ ।ବେଳେ ଅନ୍ୟଏକ ଯାନ ଆସିବା ସମ୍ଭବ ହେଉନାହିଁ । ଏଭଳି ପରିସ୍ଥିତିକୁ ଲକ୍ଷ୍ୟକରି ବାଲେଶ୍ୱର ଜିଲାପାଳ ଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ପୌରପରିଷଦ ପକ୍ଷରୁ ଏକ ନିର୍ଦ୍ଦେଶନାମା ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଘୋଷଣା କରାଯାଇଛି । ଗତ ୨୪ ତାରିଖରେ ଘୋଷଣା ହୋଇଥିବା ଏହି ନିର୍ଦ୍ଦେଶ ଅନୁଯାୟୀ ଏଣିକି ପ୍ରତିଦିନ ପୂର୍ବାହ୍ନ ୮ଟାରୁ ୧୧ଟା ଓ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ ଅଂକୁଶ ଲଗାଯାଇଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ବ୍ୟବସାୟୀ ଓ ଜନସାଧାରଣଙ୍କୁ ଜଣାଇ ଦିଆଯାଇଛି । ଏହି ଆଇନ୍ ଭଙ୍ଗ କଲେ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନି ଦିଆଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା