ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଏବଂ ଭିଭିପ୍ୟାଟ୍ ର ଶୁଦ୍ଧତା ଅଧିକ ଲୋକ ଲୋଚନକୁ ଆଣିବା ପାଇଁ ସଚେତନତା ରଥ ଗତକାଲି ଠାରୁ ଗଂଜାମ ଜିଲ୍ଲା ପରିକ୍ରମା କରିବା ଆରମ୍ଭ ହୋଇଯାଇଛି । ଏହି ସଚେତନତା ରଥକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଗଂଜାମ ଜିଲ୍ଲାରେ ମୋଟ ୭୩ ଗୋଟି ସଚେତନତା ରଥ ପରିକ୍ରମା କରିବ । ଏଥି ମଧ୍ୟରୁ ପ୍ରତ୍ୟେକ ବ୍ଲକରେ ୩ଗୋଟି ଲେଖାଏଁ ରଥ ଏବଂ ମୋ ୩୦୬୩ ବୁଥରେ ଏହା ପହଂଚିବା ସହିତ ବିଭିନ୍ନ ବ୍ଲକ ସ୍ଥାନ ମାନଙ୍କରେ ଜନସାଧାରଣ ଏଥିରେ ଭୋଟଦେବା ଅଭ୍ୟାସ କରିବେ । ଜିଲ୍ଲାର ଗ୍ରାମାଞ୍ଚଳରେ ୨୬୫୩ ଗୋଟି ବୁଥ୍ ହୋଇଥିବା ସ୍ଥଳେ ସହରାଞ୍ଚଳରେ ୪୧୦ଗୋଟି ବୁଥ କରାଯାଇଛି । ଏହି ରଥ ଗୁଡିକରେ ଥିବା ଭିଭିପ୍ୟାଟ ଏବଂ ଇଭିଏମ୍ ରେ ଗୋଟିଏ ସ୍ଥାନରେ ଅନୁନ୍ୟ ୧୦୦ଗୋଟି ଭୋଟ ଗ୍ରହଣ କରାଯିବ । ପ୍ରତ୍ୟେହ ଅନୁନ୍ୟ ଚାରିଗୋଟି ସ୍ଥାନରେ ଗୋଟିଏ ରଥ ଭୋଟ ଗ୍ରହଣ ପ୍ରଦର୍ଶନ କରିବେ । ଏହି ସଚେତନତା ରଥ ଶୁଭାରମ୍ଭ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ.ବିଜୟାନନ୍ଦ ସେଠୀ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାସ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ମାଧ୍ୟମରେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭଲ ସଫଳତା ହୋଇଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ସଚେତନତା ନିମନ୍ତେ ରଥ ବୁଲିବାର ଶୁଭାରମ୍ଭ ହୋଇଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା