ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସକାଳଠାରୁ ଜଳେଶ୍ୱର ଅଂଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଏହି ବର୍ଷାରେ ଜଳେଶ୍ବର ମ୍ୟୁନିସିପାଲଟିର ବିଭିନ୍ନ ସ୍ଥନାରେ ଜଳନିଷ୍କାସନ ହୋଇପାରିନାହିଁ । ଏ ସଂପର୍କରେ କେତେକ ବାସିନ୍ଦା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜଳେଶ୍ୱର ମ୍ୟୁନିସିପାଲଟିର ୧୭ଟି ୱାର୍ଡ । ଲୋକ ସଂଖ୍ୟା ପ୍ରାୟ ୩୧ହଜାର । ଏହାର କେତେକୱାର୍ଡରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ପ୍ରତିବର୍ଷ ରାସ୍ତା ବୁଡି ପାଣିର ସୁଅ ଛୁଟେ ତ ଅନ୍ୟ କେତେକଙ୍କ ଘରେ ପାଣି ପଶେ । ଅଳ୍ପ ବର୍ଷା ଫଳରେ ୪ନଂ ୱାର୍ଡର ସାପ୍ତାହିକ ହାଟ ନିକଟ କେତେକ ସ୍ଥାନ ପାଣିରେ ବୁଡି ଯାଇଛି । କଂକ୍ରିଟ ରୋଡ ଥିଲେ ମଧ୍ୟ ତା ଉପରେ ପାଣି ଛିଡା ହୋଇଛି । ଜଳ ନିଷ୍କାସନର ରାସ୍ତା ହୋଇ ପାରୁନଥିବାରୁ ଆଜି ସେଠାରେ ବସବାସ କରୁଥିବା ପରିବାରବର୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ କିଛିବର୍ଷ ଧରି ଏପରି ଘଟଣା ଘଟି ଆସୁଥିଲେ ମଧ୍ୟ କତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଆସୁଛନ୍ତି । ଅନ୍ୟପକ୍ଷରେ ମ୍ୟୁନିସିପାଲଟିର ୱାର୍ଡ ନଂ ୩, ୭, ୮, ୯, ୧୦, ୧୧ରେ ମଧ୍ୟ ବର୍ଷା ପାଣିନିଷ୍କାସନ ହୋଇନପାରୁଥିବାରୁ ସେ ଅଂଚଳ ଉବୁଟୁବୁ ଅବସ୍ଥାକୁ ଆସିଛି । ଏ ସଂପର୍କରେ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ମ୍ୟୁନିସିପାଲଟିର ବିଭିନ୍ନ ସ୍ଥାନ ଜଳ ନିଷ୍କାସନ ରାସ୍ତା ବନ୍ଦ ହୋଇ ଯାଇଥିବାରୁ ଚଳିତତବର୍ଷ ବର୍ଷା ପୂର୍ବରୁ କେତେକ ସ୍ଥାନରେ ଜେସିବି ଲଗାଇ ଜଳନାଳୀ ପରିସ୍କାର କରାଯାଇଛି । ଜଳ ନିଷ୍କାସନ ହୋଇପାରୁନଥିବା ସ୍ଥାନର ଅଧିବାସୀଙ୍କ ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା