ସମ୍ବଲପୁର (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ ଜାରି କରିଛନ୍ତି । ଫଳରେ ଗତ ୨୨ ତାରିଖ ଠାରୁ ସାରା ଦେଶ ସୁନସାନ ହୋଇଯାଇଛି । ଓଡିଶା ରାଜ୍ୟ ଏହାକୁ ଅତି ସଫଳତାର ସହ ପାଳନ କରୁଛି । ସେଥିପାଇଁ ସାରା ରାଜ୍ୟ ଲକଡାଉନ ଯୋଗୁଁ ଶୂନଶାନ ହୋଇଯାଇଥିବା ବେଳେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଶିକ୍ଷକ ମାନେ ଅନଲାଇନ ମାଧ୍ୟମରେ ଇ-ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ବିଦ୍ୟାର୍ଥୀ ଓ ଅଭିଭାବକ ମହଲରେ ଆନନ୍ଦ ଦେଖାଦେଇଛି । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇ-କ୍ଲାସ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଯୋଗାଇ ଦେଉଥିବା ଖବର ପ୍ରଚାରିତ ହେବା ପରେ ବିଦ୍ୟାର୍ଥୀ ମହଲରେ ମଧ୍ୟ ଆନନ୍ଦର ମାହଲ ସୃଷ୍ଟି ହୋଇଛି । ଏଭଳି କର୍ତ୍ତବ୍ୟ ପରାୟଣ ଶିକ୍ଷକ ଉତ୍ତମ ଶିକ୍ଷାଦାନ ଦୃଷ୍ଟିରୁ ସମସ୍ତ ବିଶ୍ୱବିଦ୍ୟାଳୟରେ ରହିବା ଆବଶ୍ୟକ ବୋଲି ଛାତ୍ରମାନଙ୍କ ପକ୍ଷରୁ କୁହାଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅତନୁ କୁମାର ପତିଙ୍କ ମତାମତ ଲୋଡ଼ା ଯିବାରୁ ସେ କହିଛନ୍ତି ଯେ, ଯେହେତୁ କୋରନା ଭୂତାଣୁ ପାଇଁ ଲକଡାଉନ ଚାଲିଛି, ସାରାଦେଶ ଲକଡାଉନରେ ଅଛି ଏବଂ ଲକଡାଉନ ଆଗାମୀ ୧୪ ତାରିଖ ଯାଏଁ ରହିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ତେଣୁ ପାଠପଢା ଦୀର୍ଘଦିନ ଧରି ବନ୍ଦ କରିଦେବା ଉଚିତ ନ ଭାବି ଏହି ଇ-କ୍ଲାସକୁ କାର୍ଯ୍ୟକାରୀ କରାଯାଇଛି । ଏହା ମାଧ୍ୟମରେ ବହୁ ଛାତ୍ରଛାତ୍ରୀ ଉପକୃତ ହେବା ନିଶ୍ଚିତ ହେଇଛି । ଘରେ ବସି ବିଦ୍ୟାର୍ଥୀମାନେ ପାଠ ପଢିପାରୁଛନ୍ତି । ଅବୁଝା ଥିବା ବିଷୟକୁ ମଧ୍ୟ ଇ-କ୍ଲାସ ମାଧ୍ୟମରେ ବୁଝିବା ପାଇଁ ସକ୍ଷମ ହୋଇପାରୁଛନ୍ତି । ଏହାଦ୍ୱାରା ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ କୌଣସି ପ୍ରକାର ଅବୁଝା ରହିବ ନାହିଁ ବୋଲି ଆଶା କରାଯାଉଛି । ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡ଼.ଶ୍ରୀନିବାସ ଦାଶ, ଆସିଷ୍ଟାଣ୍ଟ ପ୍ରଫେସର ସୁବ୍ରତ କୁମାର ପ୍ରଧାନ, ଆସିଷ୍ଟାଣ୍ଟ ପ୍ରଫେସର ସୁଭଜିତ ରାଉଳ, ଆସିଷ୍ଟାଣ୍ଟ ପ୍ରଫେସର ମନୋଜ କୁମାର ସାହୁ, ଆସିଷ୍ଟାଣ୍ଟ ପ୍ରଫେସର ନମିତା ମଲ୍ଲଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଆମ ପ୍ରତିନିଧି ଅକ୍ଷୟ କୁମାର ପଟ୍ଟନାୟକ ଏବଂ ତାଙ୍କସହ ଥିବା ଛାତ୍ର ଗୌତମ କେଶରୀ ଦାସ ପଚାରି ବୁଝିଥିଲେ । ସେମାନେ ପ୍ରକାଶ କରିଛନ୍ତି ଯେ, ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ୨୨ ତାରିଖରୁ ଆଗାମୀ ୧୪ ତାରିଖ ଯାଏଁ ଦେଶରେ ଲକଡାଉନକୁ ଦୃଷ୍ଟିରେ ରଖି ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯାଇଛି । ବିଦ୍ୟାର୍ଥିମାନେ ଘରେ ବସି ଶିକ୍ଷା ଦାନ ପାଇ ପାରିବେ ବୋଲି ଆଶା କରାଯାଇଛି । ଲକଡାଉନ ପରେ ପରେ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପରୀକ୍ଷାକୁ ଦୃଷ୍ଟିରେ ରଖି ଆମେ ଅନଲାଇନ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ କରୁଛୁ । ବିଶ୍ୱବିଦ୍ୟାଳୟ ଖୋଲିବା ପରେ ପରେ ଯେହେତୁ ବିଦ୍ୟାର୍ଥୀମାନେ ପରୀକ୍ଷାରେ ବସିବେ ତାହାକୁ ଦୃଷ୍ଟିରେ ରଖି ଆମେ ଶିକ୍ଷାଦାନ ଆରମ୍ଭ କରିଛୁ । ଶିକ୍ଷା ଖସଡ଼ାର ଶତକଡା ୯୦ଭାଗ କୋର୍ସ ସରିଯାଇଥିବା ବେଳେ ଆଉ ମାତ୍ର ବାକି ରହିଥିବା ୧୦ଭାଗ ଏହି ଇ-କ୍ଲାସ ମାଧ୍ୟମରେ ସାରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଶିକ୍ଷକମାନେ କହିଛନ୍ତି । ସମସ୍ତେ ନ ହେଲେ ବି ପାଖାପାଖି ୫୦ ଭାଗ ଛାତ୍ରଛାତ୍ରୀ ଏହି ବ୍ୟବସ୍ଥା ଦ୍ୱାରା ଉପକୃତ ହୋଇପାରୁଛନ୍ତି । ୱାଟସପ ଗ୍ରୁପ ମାଧ୍ୟମରେ ସମସ୍ତ ପାଠ୍ୟକ୍ରମ ଉପଯୋଗୀ ବିଷୟବସ୍ତୁ ଛାତ୍ରଛାତ୍ରୀମାନଙ୍କ ପାଖକୁ ପଠାଇ ଦିଆଯାଉଛି । ଆମ ପ୍ରତିନିଧିକୁ ମିଶାଇ ବିଶ୍ୱବିଦ୍ୟାଳୟର ଏମ.ବି.ଏ. ଛାତ୍ର ଗୌତମ କେଶରୀ ଦାସ, ଶେଖର ଭୋଇ ଏହି ଇ-କ୍ଲାସ ଉପରେ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ସେମାନେ ପ୍ରକାଶ କରିଛନ୍ତି ଯେ, ଏକ ଅଜଣା ରାକ୍ଷସ କରୋନା ଭୁତାଣୁ ସଂକ୍ରମଣର ଭୟାଭୟ ଉପସ୍ଥିତିରେ ଆଜି ସାରା ବିଶ୍ୱ ଆତଙ୍କିତ ଥିବା ଅବସ୍ଥାରେ ସାରା ଭାରତ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରିଛି । ସେଥିପାଇଁ ଦେଶରେ ସମସ୍ତେ ବାହାରକୁ ନ ବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହା ହେଉଛି ଏକ ମାତ୍ର ପ୍ରତିଷେଧକ ବୋଲି ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛି । ଏହି ଘଡିସନ୍ଦି ମହୂର୍ତ୍ତରେ ଆମ୍ଭେ ଆମ୍ଭ ନିଜର ଓ ଦେଶର ଭବିଷ୍ୟତ ଗଠନ ପ୍ରକ୍ରିୟାରେ ପଛରେ ପଡିଯାଇନାହୁଁ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଆଦେଶରେ ଆମ୍ଭେ ଏହି ଲକଡାଉନକୁ ସମର୍ଥନ କରିବା ସହିତ ଏହି ଲକଡାଉନ ପ୍ରକ୍ରିୟାକୁ ସଠିକ ଦିଗରେ ପାଳନ କରୁଛୁ । ଲକଡାଉନ ସରିବା ପରେ ଏହି ବିଶ୍ୱବିଦ୍ୟାଳୟରେ ଦ୍ଵିତୀୟ ସେମିସ୍ଟେର ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ପରୀକ୍ଷାକୁ ଆଖିଆଗରେ ରଖି ବିଶ୍ୱବିଦ୍ୟାଳୟର ପ୍ରାୟ ସମସ୍ତ ବିଭାଗ ଇ-ଟିଚିଙ୍ଗର ଶୁଭାରମ୍ଭ କରିଛି । ଏହି ବ୍ୟବସ୍ଥା ମାଧ୍ୟମରେ ବିଦ୍ୟାର୍ଥୀ ସିଧାସଳଖ ଉପକୃତ ହେଉଥିବା ଲକ୍ଷ କରାଯାଇଛି ଏବଂ ୱାଟସପ୍ ଗ୍ରୁପ ମାଧ୍ୟମରେ ପାଠ୍ୟକ୍ରମ ଉପଯୋଗୀ ବିଷୟବସ୍ତୁ ଯୋଗାଇ ଦିଆଯାଉଛି । ଏଭଳି ଶିକ୍ଷକ ମାନଙ୍କର କର୍ତ୍ତବ୍ୟ ନିଷ୍ଠ ତଥା ସାଧୁତା ଯୋଗୁଁ ଆମ୍ଭେମାନେ ଏହି ପବିତ୍ର ବିଶ୍ୱବିଦ୍ୟାଳୟର ଛାତ୍ର ଭାବେ ନିଜକୁ ଗର୍ବିତ ମନେ କରୁଅଛୁ ।
ଶେଖର ଭୋଇ ଗୌତମ କେଶରୀ ଦାସ ବିନୀତ ପାଣିଗ୍ରାହୀ ସ୍ମୃତିମଞ୍ଜନୀ ପ୍ରଧାନ ଦେବାଶିଷ ଚାନ୍ଦ ମନୋଜ ଗୁପ୍ତା କୁନାଲ ବାନାର୍ଜୀ ଅରୁଣ କୁମାର ରାଉତ
ରିପୋର୍ଟ : ଅକ୍ଷୟ କୁମାର ପଟ୍ଟନାୟକ