କଟକ (ସମୃଦ୍ଧ ଓଡିଶା) ଗତକାଲି ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ ମୋକିମ ସ୍ଥାନୀୟ ସିଟି ହସ୍ପିଟାଲ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଭୁତି ଭୂଷଣ ନାୟକ, ଏଡିଏମଓ(ମେଡିକାଲ ଅଧିକ୍ଷକ) ଡାକ୍ତର ମାନଭଞ୍ଜନ ଶତପଥୀ ଏବଂ ହସ୍ପିଟାଲର ବିଭାଗୀୟ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉକ୍ତ ହସ୍ପିଟାଲକୁ ହଜାର ସଂଖ୍ୟାରେ ରୋଗୀମାନେ ବହୁତ ବଡ ଆଶା ନେଇ ଆସୁଥିବାରୁ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ବିଭାଗୀୟ କର୍ମଚାରୀମାନେ ଆନ୍ତରିକତାର ସହ ସହାନୁଭୁତିଶୀଳ ହେବାକୁ ପରାମର୍ଶ ଦେଇଥିଲେ । ରୋଗ ନିଦାନ ପରୀକ୍ଷା ପାଇଁ ସମସ୍ତ ସୁବିଧା ରୋଗୀମାନଙ୍କୁ ଯୋଗାଇ ଦେବାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଆଇସିୟୁର ବ୍ୟବସ୍ଥା ନଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେବାକୁ ଉଦ୍ୟମ କରାଯିବା ସହିତ ନିହାତି ଗୁରୁତ୍ୱପୂର୍ଣ୍ଣ ରକ୍ତ ସଂରକ୍ଷଣ ଗୃହ, ଫିଜିଓ ଥେରାପିର ଆନୁସଙ୍ଗିକ ବ୍ୟବସ୍ଥା ଏବଂ ଇସିଜି ପରୀକ୍ଷା ଆଦିର ସୁବିଧା ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ବିଧାୟକ ଶ୍ରୀ ମୋକିମ ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ଫାର୍ମାଶିଷ୍ଟ ଓ ନର୍ସିଙ୍ଗ ପ୍ରଶିକ୍ଷଣ ଦିଆଯାଉଥିବାରୁ ସିଟି ହସ୍ପିଟାଲ ସର୍ବାଙ୍ଗୀନ ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶ ପାଇଁ ସମସ୍ତ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ ବୋଲି ଆଲୋଚନାରେ କହିଥିଲେ । ଏହି ଆଲୋଚନାରେ ଡାକ୍ତର ଉମେଶ ରାୟ, ଡାକ୍ତର ଉମାକାନ୍ତ ସାହୁ, ଡାକ୍ତର କୃଷ୍ନା କାବେରୀ ପଟ୍ଟନାୟକ, ଡାକ୍ତର ଏସବି ନନ୍ଦ, ଡାକ୍ତର ତପନ ମିଶ୍ର, ଡାକ୍ତର ନିହାର ରଞ୍ଜନ ପଟ୍ଟନାୟକ, ଡାକ୍ତର ଅଭୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା