ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସକାଳ ପ୍ରାୟ ୭ ଘଟିକା ସମୟରେ ବାଲେଶ୍ୱର-ଖଡଗପୁର ୬୦ ନଂ ଜାତୀୟ ରାଜପଥର ଚାଲନ୍ତିଠାରେ ଏକ ସିରିଜ୍ ସଡକ ଦୁର୍ଘଟଣା ଘଟିଯାଇଛି । କଟକରୁ କଲିକତା ଅଭିମୁଖେ ଯାଉଥିବା ଡବ୍ଲୁବି-୭୬ଏ-୫୭୬୭ ବାସୁଦେବ ନାମକ ଯାତ୍ରୀବାହୀ ବସ୍ଟି ଚାଲନ୍ତିଠାରେ ରାସ୍ତାକଡରେ ଛିଡା ହୋଇଥିବା ବେଳେ ଏହି ସମୟରେ ଟିଏନ୍-୦୧-ବିଏଫ-୦୩୯୭ କଣ୍ଟେନର ପଛପଟୁ ଆସି ଧକ୍କା ଦେଇଥିଲା । ଏହି ସମୟରେ ପଛପଟୁ ଦ୍ରୁତ ବେଗରେ ଆସୁଥିବା ଓଡି-୦୫କେ-୬୭୪୮ ନାମକ ଅନ୍ୟ ଏକ ଗୋମାଂସ ବୋଝେଇ ପିକ୍ଅପ୍ ଭେନ୍ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା । ଉକ୍ତ ପିକ୍ଅପ୍ ଭ୍ୟାନ୍ର ଡ୍ରାଇଭର ଓ ହେଲପର ଦ୍ୱୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଅଂଚଳବାସୀମାନେ ସମବେତ ହୋଇଥିଲେ । ମାତ୍ର ଉକ୍ତ ପିକ୍ଅପ୍ ଭ୍ୟାନ୍ରୁ ରକ୍ତ ଝରୁଥିବାର ଦେଖି ଗ୍ରାମବାସୀମାନେ ସନ୍ଦୋହ କରି ଘୋଡାଯାଇଥିବା ପାଲକୁ ଖୋଲିଥିଲେ । ଖୋଲିବା ପରେ ସେଥିରେ ଭତ୍ତି ହୋଇଥିବା ଗୋମାଂସ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ ପୁଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ଜଳେଶ୍ୱର ପୁଲିସ୍ ପହଞ୍ଚି ପିକ୍ଅପ୍ ଓ ଗୋମାଂସକୁ ଜବତ୍ କରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି । କିଛିଦିନ ତଳେ ଜିଲା ପ୍ରଶାସନ ବେଆଇନ୍ ଗୋଚାଲାଣକୁ ବନ୍ଦ କରିଥିବା ବେଳେ ଏହା ଅଭିନବ ଉପାୟରେ ଗୋ ମାଂସ ଚାଲଣ ଘଟଣା ସମଗ୍ର ଅଂଚଳରେ ପ୍ରଶାସନପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ରିପୋର୍ଟ : ଭୂପତି କୁମାର ପରିଡା