ସୀମାନ୍ତ ମହୋତ୍ସବର ୬ଷ୍ଠ ସନ୍ଧ୍ୟାରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ରକ୍ଷା କରିବା ପାଇଁ ଉତ୍କଳ ସମ୍ମିଳନୀର ଆହ୍ୱାନ…

ଜଳେଶ୍ୱର(ସମୃଦ୍ଧ ଓଡିଶା )ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ରକ୍ଷା କରିବା ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ଚାଟଶାଳୀ ଖୋଲାଯାଇ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଜଳେଶ୍ୱର ନୂଆବଜାର ଠାରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ସଭାରେ ଉତ୍କଳ ସମ୍ମିଳନୀର କର୍ମକର୍ତା ମାନେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟରେ ଓଡିଆ ଭାଷାଭାଷୀ ଅଂଚଳରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଓଡିଆ ଭାଷାକୁ ରକ୍ଷା କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ବକ୍ତା ମାନେ ଆହ୍ୱାନ କରିଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମାସକୁ ୩ହଜାର ଟଙ୍କା ପାଉଥିବା ବେଳେ ତାହା ୫ ହଜାରକୁ ବୃଦ୍ଧି କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ଠାରେ ଦାବୀ କରାଯାଇଛି ବୋଲି ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି ସଭାପତି ଡଃ ଅଦୈତ ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଥିଲେ । ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ସଭାପତି ଡଃ ଶ୍ରୀକାନ୍ତ ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ସମ୍ମିଳନୀର ସାଧାରଣ ସଂପାଦକ ଆଇନଜୀବି ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ଉପ ସଭାପତି ଉଷାରାଣୀ ମହାନ୍ତି, ରବିନ୍ଦ୍ର ନାଥ ଶତପଥୀ, କୋଷାଧ୍ୟକ୍ଷ ବିମଳ ଚନ୍ଦ୍ର ଷଡଙ୍ଗୀ, ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି କମଳ ଚକ୍ରବର୍ତୀ, ଆଇନଜୀବି କୁଂଜ ବିହାରୀ ଦାସ ପ୍ରମୁଖ ଯୋଗ ଦେଇ ବଙ୍ଗାଳୀ ମାନଙ୍କର ଓଡିଆ ମାନଙ୍କ ପ୍ରତି ଅତ୍ୟାଚାର ବଢିଥିବା ବେଳେ ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟରେ ସଂପ୍ରୀତି ଓ ସଦ୍ଭାବ ରହିବା ଉଚିତ ବୋଲି କହିଥିଲେ । ଏହି ଅବସରରେ ବିଚ୍ଛିନ୍ନାଂଚଳର ବିଭିନ୍ନ ଚାଟଶାଳୀରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ନିରୂପମା ପଣ୍ଡା, କ୍ରୀଷ୍ଣା ପଣ୍ଡା, ସୁମିତା ବାଗ, ବୀଣାପାଣି ଦାସ, ସୁଜାତା ପ୍ରଧାନ, ସୁମତୀ ପ୍ରଧାନ ଓ ଶିକ୍ଷକ ଜଳନ୍ଧର ସାହୁ, ଶକ୍ତି କୁମାର ପତି, ନରସିଂହ ଅଧିକାରୀଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସରୋଜ କୁମାର ପାଣିଗ୍ରାହୀ ଅତିଥି ମାନଙ୍କୁ ମଂଚ ଆମନ୍ତ୍ରଣ ଓ ଶେଷରେ ଉତ୍କଳ ସମ୍ମିଳନୀ ଜଳେଶ୍ୱର ସଂପାଦକ ତଥା ସୀମାନ୍ତ ମହୋତ୍ସବ କମିଟି ସଭାପତି ଚିନ୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟ : ଭୂପତି କୁମାର ପରିଡା