ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରୁ ବେଆଇନ୍ଭାବେ ବ୍ୟାପକ ବାଲି ଉତ୍ତୋଳନ ହେଉଥିବାରୁ ଏବଂ ଏନ୍ଜିଟି ନିର୍ଦ୍ଦେଶରେ ତଦରଖ କମିଟି ଗଠନ ହୋଇଥିଲେ ମଧ୍ୟ ଅଦ୍ୟାବଧି ଖଣି ଓ ପରିବେଶ ଆଇନ୍ର ଉଲଙ୍ଘନ ଯୋଗୁଁ ବ୍ୟାପକ ରାଜସ୍ୱ ହାନି ଘଟୁଥିବା ଆଜି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନାଗରିକ ଅଧିକାର ମଂଚ ପକ୍ଷରୁ ଅଭିଯୋଗ ହୋଇଛି । ଜଳେଶ୍ୱର ଇନ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ବରିଷ୍ଠ ସଦସ୍ୟ ସମୀର କୁମାର ପାତ୍ର, ସୁବ୍ରତ ବେରା, ଅଧିଳ କୁମାର ପ୍ରଧାନ ଓ ଧନଞ୍ଜୟ ପଲାଇ ନଦୀବାଲି ଉତ୍ତୋଳନ ଓ ପରିବହନରେ ଲିଜ୍ଧାରୀ ବ୍ୟାପକ ବେଆଇନ୍ କାର୍ଯ୍ୟ କରୁଥିବା ବେଳେ ପ୍ରଶାସନ ଆଖିବୁଜା ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି । ନିକଟରେ ଜଳେଶ୍ୱରର ରିଭାର ବ୍ଲକର ୨ଟି ଖାଦାନରୁ ପ୍ରତିଦିନ ଶହ ଶହ ଟ୍ରାକ୍ଟର ବାଲି ନେଉଥିବା ବେଳେ ବିନା ‘ୱା ଫର୍ମ’ରେ ବାଲି ପରିବହନ ହେଉଛି । ଲିଜଧାରୀମାନେ ଟ୍ରାକ୍ଟର ପିଛା ୧୦୦ରୁ ୧୨୦ଟଙ୍କା ସରକାରଙ୍କୁ ଦେଉଥିବା ବେଳେ ଏହାର ୧୦ଗୁଣା ଅର୍ଥାତ୍ ୧୦୦୦ଟଙ୍କାରେ ବିକ୍ରି କରୁଥିବା ଜଣାଯାଇଛି । ଏହା ବ୍ୟତିତ ନଦୀ ଉପରେ ବାଲି ପରିବହନ ପାଇଁ ପୋଲ ନିର୍ମାଣ, ବାଲି ପଠାରେ ବନ୍ଧ ନିର୍ମାଣ, ପରିବେଶ ଓ ଖଣି ଆଇନ୍ର ଉଲଙ୍ଘନ ହେଉଥିବା ବେଳେ ଶ୍ରମିକ ସହାୟତାରେ ବାଲି ଉତ୍ତୋଳନ ନ ହୋଇ ମେସିନ୍ ଦ୍ୱାରା ଇଚ୍ଛା ଅନୁଯାୟୀ ଗଭୀର କରି ବାଲି ଉତ୍ତୋଳନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନକୁ ଜଣାଇ ଦିଆଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଜିଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଥିଲେ । କାର୍ଯ୍ୟାନୁଷ୍ଠାନ ନ ହେବାରୁ ସମୀର ପାତ୍ର, ଲକ୍ଷ୍ମୀଧର ପଲେଇ ଓ ବାସନ୍ତୀ ବେରା ଏନ୍ଜିଟିର ଦ୍ୱାରସ୍ତ ହେବାରୁ ଏନ୍ଜିଟି ଏହାର ଅନୁଧ୍ୟାନ ଲାଗି ଜିଲାପାଳଙ୍କ ତତ୍ୱାବଧାନରେ ୪ଜଣିଆ ସଦସ୍ୟ ବିଶିଷ୍ଟ ଏକ ଅନୁଧ୍ୟାନ କମିଟିକୁ ଦାୟିତ୍ୱ ଦେଇଛନ୍ତି । ଏହି ୪ଜଣ ସଦସ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ସେମାନଙ୍କୁ ମଧ୍ୟ ଭୁଲ ତଥ୍ୟ ଦିଆଯାଇଥିବାର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଅନ୍ୟପକ୍ଷରେ ବିଭିନ୍ନ ସରରକାରୀ ଓ ଘରୋଇ କାର୍ଯ୍ୟ ପାଇଁ ଆବଶ୍ୟକ ବାଲି ସଂପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତି ତହସିଲଦାରଙ୍କ ଠାରେ ଆବଶ୍ୟକ ଅର୍ଥ ଜମାକରି ଲିଜଧାରୀଠାରୀ ବାଲି ନେବାର ସୁବିଧା କରାଯିବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା