ସୁବର୍ଣ୍ଣରେଖାରେ ବିପଦ ସଙ୍କଟରେ ବନ୍ୟାପାଣି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ଜଳେଶ୍ୱର ଅଂଚଳ ଦେଇ ପ୍ରବାହିତ ହୋଇଥିବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ୟାସ ବାତ୍ୟା ପ୍ରଭାବରେ ନଦୀର ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ବନ୍ୟା ଆସିବା ଆଶଙ୍କା ଦେଖା ଦେଇଛି । ଫଳରେ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ମାଇକ୍ ଯୋଗେ ପ୍ରଚାର କରାଯାଇଛି । ଗତକାଲି ୪ଟାରେ ଗାରୁଡିବନ୍ଧରୁ ୯ ମିଟର (୯ଲକ୍ଷ୩୨ ହଜାର) କ୍ୟୁସେକ୍ ପାଣି ନଦୀକୁ ଛଡା ଯାଇଥିବା ଜଣାଯାଇଛି । ଏହି ପାଣି ରାଜଘାଟଠାରେ ଆଜି ରାତ୍ରୀ ୯ଟା ପରେ ପହଞ୍ଚିବାର ସମ୍ଭାବନା ରହିଛି । ଏହି ପାଣି ସ୍ତର ୧୦ ମିଟର ଉପରେ ପ୍ରବାହିତ ହେବ ବୋଲି ଇରିଗେସନ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ସେଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଖବର ଲେଖା ହେବା ବେଳକୁ ତାହା ୭.୬୨ ମିଟରରେ ପ୍ରବାହିତ ହେଉଥିବା ଜଣାଯାଇଛି । ସମୁଦ୍ରରେ ଜୁଆର ରହିଥିବା ଓ ୟାସ ଫଳରେ ତଳିଆ ଅଞ୍ଚଳରେ ଆସିଥିବା ଲୁଣାପାଣି ନିଷ୍କାସନ ହୋଇ ନଥିବାରୁ ବନ୍ୟା ଆଶଙ୍କା ଦେଖା ଦେଇଛି । ଫଳରେ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି ।