ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖାର ଶିଖରପୁର ଠାରେ ବେଆଇନ୍ ବାଲି ଉତ୍ତୋଳନକୁ କେନ୍ଦ୍ର କରି ଆଜି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅହରାତ୍ର ନିଲାମ ନେଇଥିବା ନିର୍ଦ୍ଧାରିତ ସ୍ଥାନ ବଦଳରେ ଅନ୍ୟସ୍ଥାନରୁ ୧୫ଫୁଟ ଗଭୀର ବାଲି ଉତ୍ତୋଳନ କରିବା, ବିନା ଟ୍ରାନ୍ଜିଟଥ ପାସ୍ରେ ବାଲି ପରିବହନ କରିବା, ନମ୍ବର ବିହିନ ଓ ଆବଶ୍ୟକୀୟ କାଗଜପତ୍ର ବିନା ଟ୍ରାକ୍ଟର ଗୁଡିକ ଦ୍ୱାରା ବାଲି ଉତ୍ତୋଳନ କରି ପଶ୍ଚିମବଂଗକୁ ଚାଲାଣ କରିବା ପ୍ରଭୃତି ଅଭିଯୋଗ ଗ୍ରାମବାସୀମାନେ ଦୀର୍ଘ ସମୟଧରି ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଟ୍ରାକ୍ଟରକୁ ଅଟକାଇ ବାଲି ଖାଦାନ ସମ୍ମୁଖରେ ଧାରଣାରେ ବସିଥିଲେ । ଗ୍ରାମର ସୁନୀଲ ଜେନା, ଅମରେଶ ଗିରି, ସାଗର ଗିରି, ପୂର୍ଣ୍ଣଚନ୍ଦ୍ର ବେହେରା, ରାଜୀବ ଗିରି, ସୁରଜ ଗିରି, ସୁନିଲ ଗିରି, ମିହିର ଗିରି, ଗଦାଧର ବେହେରା, ସୁଧିର ଗିରି, ନିଗମାନନ୍ଦ ସାମଲ, ଉତ୍ତମ ସାମଲ, ସୁଶୀଲ ଗିରି, ସମ୍ଭୁ ବେହେରା, ରଜନୀକାନ୍ତ ଜେନା, ଅନୀଲ ବେହେରା, ଜିତେନ୍ଦ୍ର ଗିରି, ଭାନୁ ଗିରି ପ୍ରମୁଖ ଏହି ଧାରଣାର ନେତୃତ୍ୱ ନେଇଥିଲେ । ଏହି ବେଆଇନ୍ ବାଲି ଚାଲାଣ ଫଳରେ ସୁବର୍ଣ୍ଣରେଖା ନଦୀର ବନ୍ୟା ସମସ୍ୟା ଦେଖା ଦେବା ସଂଗେ ସଂଗେ ପରିବେଶ ପ୍ରଦୂଷଣ ହେବାର ସମ୍ଭାବନା ରହିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଲିଜ୍ଧାରୀ ଚକହରି ଗ୍ରାମର ଅତୁଲ ଓଝା ବାଲି ଉତ୍ତୋଳନ କାର୍ଯ୍ୟରେ କୌଣସି ଶ୍ରମିକ ନ ଲଗାଇ ଜେସିବି ମେସିନ୍ ଦ୍ୱାରା ବାଲି ଉତ୍ତୋଳନ କରିବାଫଳରେ ଆଇନ୍ ଉଲଙ୍ଘନ କରୁଛନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି । ଏହି ଘଟଣା ସଂପର୍କରେ ଜଳେଶ୍ୱର ତହସିଲଦାର ଅଭିମନ୍ୟା ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଆର୍.ଆଇଙ୍କ ରିପୋର୍ଟ ଅନୁଯାୟୀ ଲିଜଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ଜୋରିମାନା କରିବେ ବୋଲି କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା