ସୁବର୍ଣ୍ଣରେଖା ଓ ରାଜଘାଟରେ ବିପଦ ସଂକୁଳ..

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ଧରି ଲଘୁଚାପ ଜନୀତ ପ୍ରବଳ ବର୍ଷା ହେବାରାୁ ସୁବର୍ଣ୍ଣରେଖାନର ୫ଟି ଅବବାହିକାରେ ୮୮୦ମିମି ବର୍ଷା ହୋଇଛି । ସେଥିମଧ୍ୟରୁ ରାଜଘାଟ ଅବବାହିକାରେ ସର୍ବାଧିକ ୨୮୧ ମିମି ବର୍ଷା ହୋଇଥିବା ସିଡବ୍ଲୁସି ରିପୋର୍ଟରୁ ପ୍ରକାଶ । ଆଜି ଦିନ ତମାମ ଗାଲୁଡିହ ବ୍ୟାରେଜର ୧୭ଟି ଗେଟ୍ ଖୋଲାଯାଇଥିବାରୁ ୨ଲକ୍ଷ ୩୦ ହଜାର କ୍ୟୁସେକ୍ ପାଣି ନିର୍ଗତ ହେଉଥିବାରୁ ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖାରେ ବନ୍ୟା ଦେଖା ଦେଇଛି । ଆଜି ସଂଧ୍ୟାରେ ରାଜଘାଟଠାରେ ଜଳପତ୍ତନ ୮ମିଟର ଥିବା ବେଳେ ରାତିରେ ସତର୍କସ୍ତର ୯.୪୫ ଡେଇଁବ ବୋଲି ସତର୍କ କରାଯାଇଛି । କିନ୍ତୁ ବନ୍ୟାପାଣି ରାଜଘାଟଠାରେ ବିପଦ ସଂକେତ ୧୦.୩୬ମିଟର ସ୍ପର୍ଷ କରିବାର ଆକଳନ କରାଯାଇଛି ।ଗତ ୨୨ ତାରିଖ ରାତିରୁ ଲଘୁଚାପ ଜନୀତ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ନଦୀର ଜାମସେଦପୁର ଅବବାହିକାରେ ୧୮୫ମିମି ବର୍ଷା ହୋଇଛି । ଜାମଶୋଳାରେ ୧୧୩ମିମି, ଘାଟ ଶିଳାରେ ୧୯୪ ମିମି ଓ ଫେକଘାଟରେ ୧୦୭ ମିମି ବର୍ଷା ହୋଇଥିବା ବେଳେ ରାଜଘାଟ ଅବବାହିକାରେ ୨୮୧ ମିମି ବର୍ଷା ହୋଇଥିବା ଜିଲା ପ୍ରଶାସନ ଓ ସିଡବ୍ଲୁସି ସୂତ୍ରରୁ ପ୍ରକାଶ । ସୁବର୍ଣ୍ଣରେଖା ଉପର ମୁଣ୍ଡର ବର୍ଷାପାଣି ଜଳେଶ୍ୱରର ରାଜଘାଟ ରେଳ ଲାଇନ୍ସ୍ଥିତ ସିଡବ୍ଲୁସିର ଗେଜ୍ ନିକଟରେ ପହଞ୍ଚିବାକୁ ଅନ୍ୟୁନ ୩୦ରୁ୩୬ ଘଣ୍ଟା ସମୟ ଲାଗିଥାଏ । ଫଳରେ ଗତ ୨୨ ତାରିଖ ଦିନ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ରାଜଘାଟଠାରେ ୪.୨୭ ଥିବା ବେଳେ ଆଜି ସଂଧ୍ୟ। ୮ମିଟରରେ ପହଞ୍ଚିଛି । ରାତିରେ ଏହା ସତର୍କସ୍ତର ଟପିବା ସହିତ ନଦୀର ବିପଦ ସଂକେତ ଟପିବା ସଂପର୍କରେ ଆକଳନ କରାଯାଇଛି । ବର୍ଷାଯୋଗୁଁ ସୁବର୍ଣ୍ଣରେଖା ନଦୀର ୨ଟି ବ୍ୟାରେଜରୁ ବ୍ୟାପକ ବନ୍ୟାପାଣି ପ୍ରବାହିତ ହେଉଥିବା ଖବର ମିଳିଛି । ସେଥିରୁ ଜାମଶୋଳାଘାଟ ସନ୍ନିକଟରେ ଥିବା ଗାଲୁଡିହ ବ୍ୟାରେଜର ଆଜି ସକାଳେ ୮ଟାରୁ ୧୭ଟି ଫାଟକ ଦେଇ ୨ଲକ୍ଷ ୩୦ହଜାର କ୍ୟସେକ୍ ବନ୍ୟାଜନ ନିଷ୍କାସନ ହେଉଥିବା ଖବର ମିଳିଛି । ଏହା ରାଜଘାଟଠାରେ ପହଞ୍ଚିବାକୁ ଆସନ୍ତା ରବିବାର ସନ୍ଧ୍ୟା ହେବାର ସମ୍ଭାବନା ରହିଛି । ଫଳରେ ବନ୍ୟାପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏବେ ଧାନ ଗଛରେ ଗର୍ଭ ସଂଚାର ହୋଇଥିବା ବେଳେ କେତେକ ଧାନଗଛରେ ଫୁଲଉଡିବା ଆରମ୍ଭ ହୋଇଛି । ଏହା ବନ୍ୟାପାଣିରେ ବୁଡିଗଲେ ତାହା ବ୍ୟାପକ ଧତି ହେବାର ସମ୍ଭାବନ ଦୃଷ୍ଟିରୁ ଧାନଚାଷୀଙ୍କ ଛାତିରେ ଛନକା ପଶିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କଚ୍ଚା ଘରଗୁଡିକ ଭୁଷୁଡି ପଡିଥିବା ଜଣାଯାଇଛି । ଜଳେଶ୍ୱର ମ୍ୟୁନିସିପାଲଟିର ୧୬ନଂ ୱାର୍ଡର ଗିରିଶ ଥାଟଙ୍କ ଘର ଭୁଷୁଡି ପଡିଥିବା ସେ ପ୍ରଶାସନକୁ ଜଣାଇଛନ୍ତି । ଲଗାଣ ବର୍ଷା ଯୋଗୁଁ ବହୁଘରେ ପାଣି ପଶିଯିବା ଫଳରେ ଅରାନ୍ଧ ଅବାଢ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଛୁଟିଦିନ ଥିବାରୁ ପ୍ରଶାସନୀକ ଅଧିକାରୀମାନଙ୍କ ନିକଟରେ ସମସ୍ତ ତଥ୍ୟ ପହଞ୍ଚିପାରିନଥିବା ଜଣାଯାଇଛି । କେବଳ ଧାନଚାଷ ନୁହେଁ ପରିବା ଯଥା ନୂଆକରି ଲଗାଯାଉଥିବା କୋବି, ବାଇଗଣ, କଖାରୁ, ମୁଳା, ବିରି ପ୍ରଭୃତିର ବ୍ୟାପକ କ୍ଷତି ହୋଇଥିବା ଜଣାଯାଇଛି । ପଶ୍ଚିମବଂଗର ଉଦବୃତ ବର୍ଷା ପାଣି ଯୋଗୁଁ ସୁବର୍ଣ୍ଣରେଖା ନଦୀର ଧୋଇଆ ଅଞ୍ଚଳ ଭାବେ ପରିଚିତ ୧୮୨ ଗାଁରେ ଚାଷୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାର ତଦନ୍ତ କରି ଆବଶ୍ୟକ ବିହନ ଓ ଚାରା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା