ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ଖରିଫ ଋତୁରେ ମେ, ଜୁନ, ଜୁଲାଇ ମାସରେ ଆବଶ୍ୟକୀୟ ବର୍ଷାର ଏକ ତୃତୀୟାଂଶ ବର୍ଷା ହୋଇଥିବାରୁ ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଅଗଷ୍ଟ ମାସରେ ଘନ ଘନ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳେଶ୍ୱର ବ୍ଲକରେ ପ୍ରାୟ ୬୦ଭାଗ ଜମି ଆବାଦ ହୋଇ ପାରିଛି । ଗତ ୫ଦିନ ତଳେ ସୁବର୍ଣ୍ଣରେଖାର ଉପରମୁଣ୍ଡାରେ ବର୍ଷା ଯୋଗୁଁ ଗାଲୁଡିହର ୬ଟି ଗେଟ୍ ଖୋଲାଯାଇ ଜଳନିଷ୍କାସନ ହେବା ଓ ପଶ୍ଚିମବଂଗର ଉଦ୍ବୃତ୍ତ ବର୍ଷାପାଣି ତଳିଆ ଅଂଚଳରେ ବନ୍ୟା ସୃଷ୍ଟି କରିଥିଲା । ପାଣିଛାଡିବାର ୨ ଦିନ ପରେ ମିଳିଥିବା ସମ୍ବାଦ ଅନୁଯାୟୀ ଜାମସେଦପୁରରେ ୩୮ ମିମି, ଜାମଶୋଳା ଘାଟରେ ୧୨୬.୮ ମିମି, ଘାଟଶିଳାରେ ୩୨ ମିମି, ଫେକଘାଟରେ ୧୭.୪ ମିମି, ରାଜଘାଟରେ ୫୦.୬ ମିମି ବର୍ଷା ହୋଇଥିବା ଜଣାଯାଇଛି । ଆଜି ଦିନତମାମ ବାଲୁଡିହ ବେରେଜ୍ର ୪ଟି ଗେଟ୍ ଖୋଲା ଯାଇଥିବାରୁ ସୁବର୍ଣ୍ଣରେଖା ନଦୀକୁ ପ୍ରତି ସେକେଣ୍ଡେକୁ ୬୦୦ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ଏହି ପାଣି ସୁବର୍ଣ୍ଣରେଖାର ରାଜଘାଟ ଗେଜ୍ ନିକଟରେ ପହଞ୍ଚିବାକୁ ଅନ୍ୟୁନ ୩୦ଘଣ୍ଟା ଲାଗୁଥିବାରୁ ଆସନ୍ତା ମଙ୍ଗଳବାର ସଂଧ୍ୟାରେ ବନ୍ୟା ଦେଖାଯିବାର କେନ୍ଦ୍ରୀୟ ଜଳ ଆୟୋଗ କାର୍ଯାଳୟ ସୂତ୍ରରୁ ପ୍ରକାଶ । ଏହି ବନ୍ୟାପାଣି ଆସିଲେ ଜଳେଶ୍ୱର, ଭୋଗରାଇ ବ୍ଲକର ୧୮୨ଟି ତଳିଆ ଗ୍ରାମ ଜଳପ୍ଳାବିତ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଏଥିପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା