ସୁବର୍ଣ୍ଣରେଖା ନଦୀର ମହମ୍ମଦନଗର ପାଟଣାବାଲିଖାଦାନ ଉପରେ ପ୍ରଶାସନର ଚଢାଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରୁ ବାଲିମାଫିଆମାନଙ୍କ ଦ୍ୱାରା ବାଲି ଚୋରୀକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଯେତେ ବି ପ୍ରୟାସ କଲେ ମଧ୍ୟ ରୋକିବା ସମ୍ଭବପର ହେଉ ନାହିଁ । ସ୍ୱମ୍ପ ପମ୍ପ ଦ୍ୱାରା ବାଲି ଉତୋଳନକୁ ବନ୍ଦ କରିବା ପାଇଁ କୋର୍ଟ ରାୟ ଶୁଣାଇବା ପରେ ମଧ୍ୟ ବାଲି ମାଫିଆମାନେ ନିର୍ବିକାର ଭାବରେ ବାଲି ଉତୋଳନ କରି ଚାଲିଛନ୍ତି । ପଶ୍ଚିମବଙ୍ଗ ବାଲିମାଫିଆ ମାନେ ଓଡିଶାର ବାଲିକୁ ଯେତିକି ଲୁଟକରି ନେଇ ଯାଉଛନ୍ତି ତାଠାରୁ ଅଧିକ ନିଜ ରାଜ୍ୟର ମାଫିଆ ମାନେ ଲୁଟୁଛନ୍ତି । କୋର୍ଟର ନିୟମକୁ ପାଳନ କରିବା ପାଇଁ ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅନ୍ତର୍ଗତ ମହମ୍ମଦନଗର ପାଟଣା (ବି) ବାଲିଖାଦାନ ଉପରେ ରବିବାର ଦିନ ବାଲେଶ୍ୱର ଜିଲ୍ଲା ଉପ ଜିଲ୍ଲାପାଳ ନିଲୁ ମହାପାତ୍ର, ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା, ଏସ୍.ଡି.ପି.ଓ ରାମ ଚନ୍ଦ୍ର ଗୈାଡୁ, ଆଇ.ଆଇ.ସି ପ୍ରଦୀପ ମାଝୀ ଓ ୨ ପ୍ଲାଟୁନ ପୋଲିସ ବାହିନୀ ଉପସ୍ଥିତିରେ ଚଢାଉ କରାଯାଇ ବେଆଇନ ଭାବେ ବାଲି ଉତୋଳନ କରୁଥିବା ୧ଟି ସ୍ୱମ୍ପ ପମ୍ପ, ୫ଟି ଡମ୍ପର, ୧ଟି ଜେସିବି ମେସିନ, କେତେକ ଯନ୍ତ୍ରାଂଶ ଓ ୧ଟି ଟ୍ରାକ୍ଟରକୁ ଜବତ କରାଯାଇଛି । ଏ ସମ୍ପର୍କରେ ବାଲେଶ୍ୱର ଉପ ଜିଲ୍ଲାପାଳ କହିଛନ୍ତି ଯେ, ବାଲି ଉତୋଳନ ସମ୍ପର୍କିତ ଗାଇଡଲାଇନ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରିପୋର୍ଟ : ଭୂପତି କୁମାର ପରିଡ଼ା