ସୁବର୍ଣ୍ଣରେଖା ନୌକା ଘାଟ ଗୁଡିକରେ ନାହିଁ ଲାଇଫ ଜ୍ୟାକେଟ୍ : ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ଫେରିଘାଟ ଦ୍ୱାରା ଯାତ୍ରୀମାନେ ନଦୀର ଏପାଖରୁ ସେ ପାଖକୁ ଯାତାୟାତ କରିଥାନ୍ତି । ଗତ ମଂଗଳବାର ଭରା ନଈରେ ମାକିଡିଆ ଫେରିଘାଟ ଠାରୁ ଏକ ନୌକା ଯାତ୍ରୀ ଧରି ଗଲାବେଳେ ମଝିନଈରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୌକାଟି ଅଟକି ଯାଇଥିବା ବେଳେ ସେଥିରେ ଥିବା ୩୦ଜଣ ଯାତ୍ରୀ ଆତଙ୍କରେ ଚିତ୍କାର କରିଥିଲେ । ଏହି ନୌକାରେ ଲାଇଫ ଜାକେଟ୍ ନ ଥିବାର ଜଣାଯାଇଛି । ସୁବର୍ଣ୍ଣରେଖା ନଦୀର କେତେକ ସ୍ଥାନରେ ସ୍ଥାୟୀ ପୋଲ ହୋଇଥିବାରୁ କେତେକ ଫେରିଘାଟ ବନ୍ଦ ହୋଇ ଯାଇଛି । ତଥାପି ଏବେ ମାକିଡିଆ ଠାରୁ ଦାନ୍ତୁନ ଯାତାୟାତ ପାଇଁ ଏକ ନୌକାଘାଟ ରହିଛି । ଗତ ମଂଗଳବାର ସବୁଦିନପରି ଯନ୍ତ୍ରଚାଳିତ ନୌକାଟି କୂଳ ଛାଡିଥିଲା ବେଳେ ମଝି ନଇରେ ଅଟକି ଯାଇଥିଲା । ନଦୀରେ ପ୍ରବଳ ଝଞ୍ଜି (ଦଳ) ଭାଇ ଅସୁଥିବାରୁ ତାହା ନୌକାର ଫେନ୍ରେ ଛନ୍ତି ହୋଇ ଯିବାରୁ ଏପରି ଅଭାବନୀୟ ଘଟଣା ଘଟିଯାଇଥିଲା । ସେଥିରେ ଥିବା ଯାତ୍ରୀମାନେ ଏକ ଆସନ୍ନ ବିପଦରେ ଥିବାର ଜାଣି ଆତଙ୍କିତ ହୋଇଥିବା ବେଳେ ପ୍ରାୟ ୬୦୦ ମିଟର ନୌକାଟି ସୁବର୍ଣ୍ଣରେଖା ନଦୀରେ ଭାଷି ଭାଷି ଯାଇ ଏକ ଚଡରେ ଲାଗିଥିଲା । ଫଳରେ ଅନ୍ୟଏକ ନୌକାଦ୍ୱାରା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ସୂଚନାଯୋଗ୍ୟ ଏହି ଫେରିଘାଟ ବ୍ୟତିତ ବିଳାଶପୁର, ପଶ୍ଚିମବାର୍ଡ, ଦହମୁଣ୍ଡା, ପଂତେଇ ଠାରେ ମଧ୍ୟରେ ଫେରିଘାଟ ରହିଛି । ଏ ସବୁ ଫେରି ଘାଟରେ ଲାଥଫ ଜାକେଟ୍ ନ ଥିବାର ଜଣାଯାଇଛି । ନିୟମ ଅନୁଯାୟୀ ବନ୍ୟା ସମୟରେ ଫେରିଘାଟ ନୌକାରେ ୨ଟି ମେସିନ୍ ରହିବା ସହ ଲାଇଫ ଜାକେଟ ରହିବା ଜରୁରୀ । ଏହାବ୍ୟତିତ ଏହି ସବୁ ଫେରିଘାଟ ଗୁଡିକରେ ନୌକା ଗୁଡିକୁ ରେଜିଷ୍ଟେସନ କରାଯାଇ ଲାଇସେନ୍ସ ଦେବାର ଥିଲା ବେଳେ କାହାର ଏପରି ଲାଇସେନ୍ସ ନ ଥିବାର ଜଣାଯାଇଛି । ନୌକାଘାଟରେ ପାରି ହେବା ପାଇଁ ମାସୁଲ ନିର୍ଦ୍ଧାରଣ କରିବାପାଇଁ ବିଡିଓଙ୍କ ଠାରେ କ୍ଷମତା ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ଫଳରେ ନୌଯାତ୍ରୀରେ ମାନେ ଶୋଷଣର ଶୀକାର ହେଉଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା