ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁଣି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଞ୍ଚଳରେ ଥିବା ଏକ ସେବାଶ୍ରମରେ ଲଜ୍ଜାଜନକ ଘଟଣା ଘଟିଛି ଯାହା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ଦାରିଙ୍ଗିବାଡ଼ି ବ୍ଲକ୍ ଅନ୍ତର୍ଗତ ଏକ ସେବାଶ୍ରମରେ ୮ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଗର୍ଭାବସ୍ଥାହୋଇ କନ୍ୟା ସନ୍ତାନ ଜନ୍ମଦେବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଛି । ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଛାତ୍ରୀ ଜଣକ ସେବାଶ୍ରମ ପରିସରରେ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ । ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିପାରି ଚିକିତ୍ସା ନିମନ୍ତେ ଉଭୟ ନାବାଳିକା ଓ ଶିଶୁକୁ ବାଲିଗୁଡ଼ା ମେଡ଼ିକାଲରେ ଭର୍ତି କରିବା ପରେ ଘଟଣା ପଦାକୁ ଆସିଥିଲା । ଏହି ଘଟଣା ପ୍ରସାରିତ ହେବା ପରେ ସାରାରାଜ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ସେଠାର ଉତ୍ତେଜିତ ଜନତା ୫୯ ନଂ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତାରୋକ ସହ ସେବାଶ୍ରମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉତ୍ତେଜିତ ଅଭିଭାବକମାନେ ମଧ୍ୟ ମିଳିତ ଭାବେ ପ୍ରଧାନଶିକ୍ଷୟତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସ୍ଥାନୀୟ ପୋଲିସ୍ ପ୍ରଶାସନ ଏସଡ଼ିପିଓ ନିତିନ୍ କୁଶଲକର ନେତୃତ୍ୱରେ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀମାନଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ରାସ୍ତାରୁ ହଟିଥିଲେ । ପ୍ରାଥମିକ ତଦନ୍ତରୁ ପୋଲିସ୍ ଦାରିଙ୍ଗିବାଡ଼ି ଥାନା ଅଧିକାରୀ ଅଲେଖ ଗରଡ଼ିଆ ସେବାଶ୍ରମରେ ପହଞ୍ଚି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଆଣି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ପୋଲିସ୍ ଏହି ଘଟଣାରେ ଜଣେ ଯୁବକ ଶ୍ରବଣ ପ୍ରଧାନକୁ ଗିରଫ କରି ଥାନାରେ ପଚରା ଉଚୁରା କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏ ନେଇ ଶ୍ରବଣ କିଏ, ସେବାଶ୍ରମରେ କିଭଳି ଛାତ୍ରୀ ଜଣକ ଗର୍ଭବତୀ ହେଲେ ଏହି ସଂପର୍କରେ ସ୍କୁଲ କର୍ତୃପକ୍ଷ କିଭଳି ଜାଣିପାରିନାହାନ୍ତି ଓ ଛାତ୍ରୀ ଜଣକ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ସେ ନେଇ ବର୍ତମାନ ରାଜ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ଘଟଣାକୁ ଅତି ଗମ୍ଭୀରତାର ସହ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ନେଇ ଗଂଜାମ ଜିଲ୍ଲା ରାଜନୀତି ମହଲରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି ।ଗଂଜାମ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ ଏଭଳି ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ତଥା
ଶିଶୁ ଓ ମହିଳା ଆମ ରାଜ୍ୟରେ ଏତେ ଅସୁରକ୍ଷିତ ତାହା କହିଲେ ନସରେ ବୋଲି କହିଛନ୍ତି । ବିଦ୍ୟାଳୟମାନଙ୍କରେ କେବଳ ମୀରାବାଇ କକ୍ଷ, ସକୁନ୍ତଳା କକ୍ଷ ଖୋଲିଦେଲେ ଯେ ବିଦ୍ୟାଳୟ ପରିବେଶ ସ୍ୱର୍ଗୀୟ ହୋଇଯିବ ତାହା ନୁହେଁ । ଶିକ୍ଷାଦାନ ପାଇଁ ସରକାର ନୈତିକତା ପୂର୍ଣ୍ଣ ସ୍ୱାଭାବର ଚରିତ୍ରମାନଙ୍କୁ ନିଯୁକ୍ତି ଦେବା ନିହାତି ଜରୁରୀ । କାରଣ ବାଳିକାର ଭବିଷ୍ୟତ କେହି ଫେରାଇ ଆଣିପାରିବେ ନାହିଁ । ତେଣୁ ଛାତ୍ରୀକୁ ନ୍ୟାୟ ନ ଦିଆଗଲେ ଆଗାମୀ ଦିନରେ କଂଗ୍ରେସର ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର ନିଜ ପ୍ରତିକ୍ରିୟାରେ ମହିଳା ମାନଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଅକ୍ଷମ ଓ ଅସଫଳ ଏହା ରାଜ୍ୟ ସରକାର । ସେବାଶ୍ରମ ବିଦ୍ୟାଳୟ ଗୁଡ଼ିକରେ ନାବାଳିକା ମାନଙ୍କୁ ଯେଉଁଭଳି ଶାରିରୀକ ଶୋଷଣ ଓ ନିର୍ଯ୍ୟାତନ ହେଉଛି ସେସବୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା କହିବା ସହ ନିନ୍ଦା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା