ସୈନିକ ଦେଶ ରକ୍ଷା କରେ ଓ ସାମ୍ବାଦିକ ଦେଶ ଗଠନ କରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜାତୀୟ ପ୍ରେସ୍ ଦିବସ ଅବସରରେ ଆଜି ମଂଗଳବାର ବାଲେଶ୍ୱର ଜିଲାର ଜଳେଶ୍ୱର ସ୍ଥିତ ପୁର୍ତ୍ତବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ସୈନିକ ଦେଶ ରକ୍ଷା କରୁଥିବା ବେଳେ ସାମ୍ବାଦିକ ଦେଶ ଗଠନ କରିଥାଏ ବୋଲି ମତପ୍ରକାଶ ପାଇଛି । ଉତ୍ତର ଓଡିଶା ପ୍ରେସ୍ କ୍ଲବ ପକ୍ଷରୁ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ୍ କ୍ଲବର ସଭାପତି ଅବନୀ ଚାନ୍ଦ ପୌରହିତ୍ୟ କରି ସାମ୍ବାଦିକମାନେ ଏକତାବଦ୍ଧଭାବେ କାର୍ଯ୍ୟ କରି କଲମକୁ ବଲମ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ପ୍ରେସ୍‌କ୍ଲବର ସଂପାଦକ ପତିତପାବନ ପ୍ରଧାନ, ବରିଷ୍ଠ ବିଜେପି ନେତା ଅରୁଣ ବେଜ, ନିତ୍ୟାନନ୍ଦ ଦାସ, କଂଗ୍ରେସ ନେତା ରିଆଜ୍ ଖାଁ, ବିଜେଡି ଯୁବନେତା କାଳିଚରଣ ଦାସ ଓ ପୁର୍ତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ କୁମାର ପଣ୍ଡା ଯୋଗ ଦେଇ ସମ୍ବାଦାତାମାନଙ୍କ ବିଭିନ୍ନ ସମସ୍ୟା ଓସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ । ଭାରତୀୟ ସମ୍ବିଧାନକୁ ସୁରକ୍ଷା ଓ ସମ୍ମାନ ଦେଇ ନିରପେକ୍ଷ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ତଥା ଆଇନ୍‌ଜିବୀ ଶ୍ରୀକୃଷ୍ଣ ଗୁପ୍ତା, ବରିଷ୍ଠ ସାମ୍ବାଦିକ ଅମର ମହାନ୍ତି, ଅରୁଣ ଜେନା, ଦିଲ୍ଲିପ ଦାସ, ରବିନାରାୟଣ ପାତ୍ର, ଦୀନବଂଧୁ ପ୍ରଧାନ, ମୃତ୍ୟୁୂଞ୍ଜୟ ଦାସ, ମନୋରଂଜନ ଦାସ, ହାସିରୁଦ୍ଦିନ ବକ୍ତ ପ୍ରମୁଖ ବକ୍ତବ୍ୟ ରଖି ସମ୍ବିଧାନର ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଭଳି ୩ଟି ସ୍ତମ୍ବ ରହିଥିବା ବେଳେ ଗଣମାଧ୍ୟମକୁ ୪ର୍ଥ ସ୍ତମ୍ଭ ମାନ୍ୟତା ଦେବା ସହିତ ସାମ୍ବାଦିକତା ବୃତ୍ତି ନୁହେଁ ବରଂ ବ୍ରତ ହେବା ଉଚିତ୍ ବୋଲି କହିଥିଲେ । ଏଥିରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ବ୍ଲକର ବହୁ ସମ୍ବାଦିକମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା