ସୌମ୍ୟରଞ୍ଜନ ବିଜେଡି ରାଜ୍ୟ ଉପସଭାପତି ପଦରୁ ଆଉଟ : ନିର୍ଵାଚନ ବର୍ଷ ଯୋଗୁଁ ଦଳକୁ ମହଙ୍ଗା ପଡ଼ିବ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ସଂପ୍ରତି ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ପ୍ରକାଶିତ ଲେଖାକୁ ନେଇ ରାଜ୍ୟରେ ଚର୍ଚ୍ଚିତ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ରାଜ୍ୟ ଉପସଭାପତିରୁ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ହଟାଇ ଦେଇଛନ୍ତି । ଏହାକୁ ନେଇ ପୁଣି ରାଜନୀତି ସରଗରମ ହୋଇଛି । ଚର୍ଚ୍ଚା ପୁଣି ଜୋର ଧରିଛି ଯେ ସେ କହିଲେ ଏହା ନବୀନଙ୍କ ଦସ୍ତଗତ ଅସଲି ନା ନକଲି ? ଏଭଳି ବିଜେଡିର ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଖୋଲା ଚ୍ୟାଲେଞ୍ଜ କରିବା ସତ୍ତ୍ୱେ ତାଙ୍କୁ ଦଳରୁ ବିଦା କରିବାର ସାହାସ ପାଇ ପାରୁନି ବିଜେଡି ଦଳ । ବିଜେଡି ଆଜି ତାଙ୍କୁ ଦଳର ଉପସଭାପତି ପଦରୁ କାଢ଼ି ଦେଇଛି ସତ ମାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କିମ୍ବା ଦଳରୁ ନିଲମ୍ବନ କରିବା ଭଳି ନିଷ୍ପତ୍ତି ନେବାକୁ ବୋଧହୁଏ ସାହସ କରି ପାରୁନି ବିଜେଡି ଦଳ । ନିର୍ବାଚନୀ ବର୍ଷରେ ସୌମ୍ୟଙ୍କ ଉପରେ ଚାପ ସୃଷ୍ଟି ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଥିବା ବିଜେଡି ଏବେ ବ୍ୟାକଡୋରରେ ସଲାସୁତୁରା ନିମନ୍ତେ ପ୍ରୟାସ କରୁଥିବା ଖବର ମିଳୁଛି । କାହିଁକି ନା ତାଙ୍କ ଲେଖା ସମସ୍ତଙ୍କ ମନକୁ ଛୁଇଁଥିଲେ ମଧ୍ୟ ଖୋଲା ଖୋଲି ସମର୍ଥନ ଦେବାକୁ କେହି ସାହସ କରିପାରୁ ନାହାନ୍ତି ତେବେ ତାଙ୍କୁ ଉପସଭାପତି ପଦରୁ ବିଦା କରିବା ପରେ ତାଙ୍କ ପ୍ରତି ଜନସମର୍ଥନ ବଢିବାକୁ ଲାଗିଛି । ସେଥିପାଇଁ ସୌମ୍ୟଙ୍କୁ ଦଳରୁ ବିଦା କରିବା ପାଇଁ ବିଜେଡି ସାହସ ଯୋଗାଡ଼ କରି ପାରୁ ନ ଥିବା ସୂଚନା ମିଳୁଛି । ଏପଟେ ନବୀନଙ୍କ ଦସ୍ତଖତରେ ଜାରି ଉପସଭାପତି ପଦରୁ ବରଖାସ୍ତର ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ଅସଲି କି ନକଲି ବୋଲି କହି ଆଉ ଏକ ବିବାଦକୁ ଆମନ୍ତ୍ରଣ କରିଥିବା ଯୋଗୁଁ ପୁଣି ଚର୍ଚ୍ଚା ସରଗରମ ହୋଇଛି । ବିଜେଡି କାହାର ପୈତୃକ ସମ୍ପତି ନୁହେଁ ଏହା ଓଡିଶା ବାସୀଙ୍କର ବୋଲି ଚ୍ୟାଲେଞ୍ଜ କରିଥିଲେ । ଉପସଭାପତି ପଦରୁ ହଟାଯିବା ଚିଠିକୁ ନେଇ ସୌମ୍ୟରଞ୍ଜନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ନବୀନ ପଟ୍ଟନାୟକଙ୍କ ଯେଉଁ ଦସ୍ତଖତରେ ତାଙ୍କୁ ଉପସଭାପତି ପଦରୁ ବରଖାସ୍ତ କରାଯାଇଛି ତାହା ଅସଲି ନା ନକଲି ବୋଲି ପ୍ରଶ୍ନ କରି ଆହୁରି ଚର୍ଚ୍ଚିତ ହୋଇଛନ୍ତି । ପୁଣି ସେ କହିଛନ୍ତି ଯେ ଦଳରେ ଅନେକଗୁଡ଼ିଏ ପଦପଦବୀରେ ନେତାମାନେ ଅଛନ୍ତି । ସେମାନେ ପ୍ରାୟତଃ କିଛି କରନ୍ତି ନାହିଁ । ଉପସଭାପତି ପଦରେ ମୁଁ ରହି କ’ଣ କରୁଥିଲି ଯେ, ପଦ ଚାଲିଗଲା ବୋଲି ଭାବିବି । ସଭାପତି ହିସାବରେ ନବୀନବାବୁ କାହାକୁ ନିଜ ସହଯୋଗୀ କର୍ମକର୍ତ୍ତା ବାଛିବେ ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ । ତେଣୁ ଏହି ଉପସଭାପତି ପଦଟି ତାଙ୍କ ପାଇଁ କେବଳ ଆଳଙ୍କାରିକ ଥିଲା ବୋଲି ସୌମ୍ୟ କହିଛନ୍ତି । ଏହାସହିତ ନବୀନଙ୍କୁ ଭେଟିବା ପାଇଁ ସେ ଗତ ସପ୍ତାହରେ ଚିଠି ଲେଖି ସମୟ ମାଗିଥିଲେ କିନ୍ତୁ ମିଳି ନ ଥିଲା । ଏବେ ବରଖାସ୍ତ ନିର୍ଦ୍ଦେଶନାମା ଆସିଛି । ତେଣୁ ତାଙ୍କର ସନ୍ଦେହ ରହିଛି ବୋଲି  ସୌମ୍ୟ କହିଛନ୍ତି । ୨୦୨୦ ଜୁଲାଇ ମାସରେ ବିଜେଡିର ଉପସଭାପତି ଭାବେ ନିଯୁକ୍ତି ପାଇଥିବା ସୌମ୍ୟରଞ୍ଜନଙ୍କୁ ଆଜି ଦଳର ଉପସଭାପତି ପଦରୁ ବରଖାସ୍ତ କରାଯାଇଛି । ମାତ୍ର ତାଙ୍କର ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି । ଏପଟେ ସୌମ୍ୟରଞ୍ଜନଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବିଜେଡି ପକ୍ଷରୁ ଗତ କିଛିଦିନ ଧରି ବେଶ୍ ପ୍ରୟାସ ହେଉଛି ବୋଲି ମଧ୍ୟ ସୂଚନା ମିଳୁଛି । ସୌମ୍ୟଙ୍କ ମାଲିକାନାରେ ଥିବା ରାଜ୍ୟର ଆଗଧାଡ଼ିର ଖବରକାଗଜ ‘ସମ୍ବାଦ’କୁ ରାଜ୍ୟ ସରକାର ବିଜ୍ଞାପନ ବନ୍ଦ କରି ଦେଇଛନ୍ତି । ଏହାପରେ ସୌମ୍ୟଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବା ପାଇଁ କିଛି ମନ୍ତ୍ରୀ ଓ ନେତା ‘ବ୍ଲାକମେଲର’ ଆଖ୍ୟା ଦେବାକୁ ପଛାଇନାହାନ୍ତି ।ସୌମ୍ୟଙ୍କ ବିଧାନସଭା କ୍ଷେତ୍ର ଖଣ୍ଡପଡ଼ାରେ ତାଙ୍କ ବିରୁଦ୍ଧରେ ମାହୋଲ ତିଆରି ପାଇଁ ଦଳ ପକ୍ଷରୁ ପ୍ରୟାସ ଚାଲିଛି । ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପିତା ଅରୁଣ ପଟ୍ଟନାୟକଙ୍କର ଆଜି ୨୭ତମ ଶ୍ରାଦ୍ଧଦିବସ ସମାରୋହ ଖଣ୍ଡପଡ଼ାରେ ଦଳ ପକ୍ଷରୁ ପାଳିତ ହୋଇଛି । ଦଳର ଉପସଭାପତି ଦେବୀ ମିଶ୍ର ଓ ସାଂସଦ ମାନସ ମଙ୍ଗରାଜ ସେଥିରେ ଯୋଗ ଦେଇ ସୌମ୍ୟଙ୍କ ଉପରେ ଚାପ ସୃଷ୍ଟି ପାଇଁ ପ୍ରୟାସ କରିଛନ୍ତି । ସାଂସଦ ଶ୍ରୀ ମଙ୍ଗରାଜ ସେହି ଶ୍ରାଦ୍ଧଦିବସ ସମାରୋହ ମଂଚରୁ  ରାଜନୀତିରେ ରହି ଗର୍ବ ଓ ଅହଙ୍କାର ଦେଖାଇଲେ ଚଳିବ ନାହିଁ ବୋଲି ପରାମର୍ଶ ଦେବା ସହ ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟ ଆଦୌ ଠିକ୍ ନୁହେଁ ବୋଲି କହିଛନ୍ତି । ଏହାସହିତ ଅନୁଭବଙ୍କୁ ପ୍ରଶଂସାରେ ପୋତି ୨୦୨୪ ସାଧାରଣ ନିର୍ବାଚନରେ ଖଣ୍ଡପଡ଼ାର ନେତୃତ୍ୱ ଅନୁଭବଙ୍କୁ ମିଳିବ ବୋଲି ପରୋକ୍ଷରେ ସଙ୍କେତ ଦେଇଛନ୍ତି । ମଙ୍ଗରାଜ ଏକଦା ସୌମ୍ୟଙ୍କ ପାଖରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ଓ ଏବେ ସେ ସର୍ବସାଧାରଣରେ ସୌମ୍ୟଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି । ସୌମ୍ୟଙ୍କ ଉପରେ ଚାପ ସୃଷ୍ଟି ପାଇଁ ଦଳୀୟ ନେତାମାନଙ୍କ ଏଭଳି ବୟାନବାଜି ଜାରି ରହିଥିବାବେଳେ ତାଙ୍କ ସହ  ମୂଲଚାଲ ନିମନ୍ତେ ବ୍ୟାକଡୋରରେ ଆଲୋଚନା ଆରମ୍ଭ ହୋଇଥିବା ସୂଚନା ମିଳିଛି । ସୌମ୍ୟ ଗତସପ୍ତାହରେ ନବୀନଙ୍କୁ ଚିଠି ଲେଖି ଭେଟିବା ପାଇଁ ସମୟ ଲୋଡ଼ିଥିବା ବେଳେ ଏପର୍ଯ୍ୟନ୍ତ ଚିଠିର ଉତ୍ତର ତାଙ୍କୁ ମିଳିନି । ମାତ୍ର ବିଜେଡି ପକ୍ଷରୁ ବ୍ୟାକଡୋରରେ ମୂଲଚାଲ ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ସୌମ୍ୟ ଧରାଛୁଆଁ ଦେଉ ନ ଥିବା ଜଣାପଡ଼ିଛି । ତେବେ ସମ୍ବାଦ ପତ୍ରିକା ଓ କନକ ଟିଭି ର ବହୁଳ ପ୍ରଚାର ପ୍ରସାର ଯୋଗୁଁ ରାଜ୍ୟରେ ସୌମ୍ୟାଙ୍କ ପତିଆରା ଢ଼େର ରହିଛି ଠିକ ନିର୍ବାଚନ ବର୍ଷରେ ତାଙ୍କୁ ଦଳରୁ ବିଦା କରିବାରେ ବିଜେଡିକୁ ମହଙ୍ଗା ପଡ଼ିବନି ତ ।

ରିପୋର୍ଟ : ଆଡ଼ଭୋକେଟ ସୁଧୀର ପଟ୍ଟନାୟକ