ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡି କର୍ମୀ ଭାରତୀ ସ୍ଵାଇଁଙ୍କ ଆଜି ସକାଳେ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ଗଭୀର ଦୁଃଖ ପ୍ରକାଶ କରି ପରିବାରକୁ ସମବେଦନା ଜଣାଇବା ସହ ସ୍ୱର୍ଗତ ଭାରତୀ ସ୍ୱାଇଁଙ୍କୁ କରୋନା ଯୋଦ୍ଧା ଭାବେ ମାନ୍ୟତା ପ୍ରଦାନ କରି ରାଜ୍ୟ ସରକାରଙ୍କ ନିକଟକୁ ପତ୍ର ପ୍ରେରଣ କରିଥିବା ସୂଚନା ମିଳିଛି । ସ୍ୱର୍ଗତ ଭାରତୀ ସ୍ଵାଇଁ ଜଣେ ଦକ୍ଷ ଅଙ୍ଗନବାଡି କର୍ମୀ ଭାବେ ଖୋଳଖାଳି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ । କରୋନା ସଚେତନତା ପାଇଁ ସେ ବହୁ ପରିଶ୍ରମ କରିବା ସହ ନିଜେ କବିତା ରଚନା କରି ଓ ଗାୟନ କରି ପ୍ରଶଂସନୀୟ ହୋଇଥିଲେ । ସରପଞ୍ଚ ସୂର୍ଯ୍ୟମଣୀ ଗୌଡ଼ ଓ ସମିତି ସଭ୍ୟ ବିବେକାନନ୍ଦ ବାରିକ ଭାରତୀଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ସବୁକୁ ଆଧାର କରି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ । ଏଥିସହ ସ୍ୱର୍ଗତ ଭାରତୀଙ୍କ ଉଚ୍ଚ କୋଟିର କାର୍ଯ୍ୟ କଳାପ ନେଇ କେତକ ୱେବ ଇ ପେପରରେ ଖବର ପ୍ରକାଶ ପାଇ ଜିଲାପାଳଙ୍କ ଗୋଚରାର୍ଥେ ପ୍ରେରଣ କରାଯାଇଥିଲା । ସବୁ ଦିଗକୁ ବିଚାର କରି ଗଞ୍ଜାମ ଜିଲ୍ଳାପାଳ ସ୍ୱର୍ଗତ ଭରତୀ ସ୍ଵାଇଁଙ୍କୁ କରୋନା ଯୋଦ୍ଧା ଭାବେ ମାନ୍ୟତା ପ୍ରଦାନ କରି ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପତ୍ର ପ୍ରେରଣ କରିଛନ୍ତି । ଯାହାଦ୍ୱାରା ତାଙ୍କ ପରିବାରକୁ କରୋନା ଯୋଦ୍ଧା ପାଇଁ ଉଦ୍ଦିଷ୍ଟ ବୀମାରାଶି ମିଳି ପାରିବ ବୋଲି ଆଶା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା