ସ୍ୱାସ୍ଥ୍ୟ ବିଭାଗର ପ୍ରତିଶ୍ରୁତି ପାଣିରେ ଗାର:ଆଉଟସୋର୍ସିଂ କର୍ମଚାରୀଙ୍କ ତୁରନ୍ତ ଦାବି ପୂରଣ ନ କଲେ ପୁନଃ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଚେତାବନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅତ୍ୟାଵଧି ତାହା ପ୍ରତିଶ୍ରୁତିରେ ହିଁ ରହିଯାଇଛି ବୋଲି ଅଭିଯୋଗ ହୋଇଛି । ସୂଚନା ଯେ, ଗତ ଫେବୃୟାରୀ ୪-୫ ଦୁଇଦିନ ଧରି କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ୧୦ଦଫା ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ମେଡିକାଲ କର୍ତ୍ତୃପକ୍ଷ, ଉପଜିଲ୍ଲାପାଳ, ସଂଘର କର୍ମକର୍ତ୍ତା ଏବଂ ପୋଲିସର ଉପସ୍ଥିତିରେ ଏପ୍ରିଲ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଦୀର୍ଘ ୩ ମାସ ଅତିକ୍ରମ କରିଥିଲେ ମଧ୍ୟ ଏହି ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀଙ୍କ ଦାବି ପୂରଣ ହୋଇପାରିନାହିଁ । ଦାବିଗୁଡିକ ମଧ୍ୟରେ ରାଜ୍ୟର ଆଉଟସୋର୍ସିଂ ବ୍ୟବସ୍ଥାକୁ ଉଚ୍ଛେଦ କରିବା, ଶ୍ରମ ବିଭାଗ ନିୟମ ଅନୁଯାୟୀ ପ୍ରତି ମାସରେ ଦରମା ୮୦୭୦ ଟଙ୍କା, ପ୍ରତି ମାସରେ ୫ ତାରିଖ ମଧ୍ୟରେ ଦରମା ପ୍ରଦାନ, ପୂର୍ବରୁ ବକେୟା ଥିବା ୧୯ ମାସର ବର୍ଦ୍ଧିତ ଦରମା ପ୍ରଦାନ କରିବା, ଟେଣ୍ଡର ପରିବର୍ତ୍ତନ ହେଲେ ମଧ୍ୟ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତିରେ ପରିବର୍ତ୍ତନ ନ କରିବା, ସମସ୍ତ କର୍ମଚାରୀଙ୍କୁ ଇପିଏଫ, ଇଏସଆଇ ସଠିକ ଭାବେ ପ୍ରଦାନ କରିବା, ୪ ଦିନ ଛୁଟିର ଦରମା ପ୍ରଦାନ ଏବଂ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି । ଏ ସମ୍ପର୍କରେ କର୍ମଚାରୀମାନଙ୍କ ସାଧାରଣ ପରିଷଦ ବୈଠକ ବରିଷ୍ଠ କର୍ମଚାରୀ ନେତା ସୁରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସେଥିରେ ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣ ନୀତିର ତୀବ୍ର ସମାଲୋଚନା କରିବା ସହ ସ୍ୱାସ୍ଥ୍ୟ ବିଭାଗ ଗ୍ରୁପ ଡି କର୍ମଚାରୀଙ୍କ ପ୍ରତି ସାବତ ମାଆ ଭଳି ବ୍ୟବହାର କରୁଥିବାରୁ କର୍ମଚାରୀ ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଜୁଲାଇ ୧୦ ତାରିଖ ସୁଦ୍ଧା ଉକ୍ତ ଦାବିଗୁଡିକ ପୂରଣ ପାଇଁ ପଦକ୍ଷେପ ଗ୍ରହଣ ନ କଲେ ପୁଣିଥରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରି ଚେତାବନୀ ଦେଇଛନ୍ତି । ଏହି ବୈଠକରେ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ରାଜ୍ୟ ସଂଗଠନର ଉପସଭାପତି ସୁକାନ୍ତ ମୁଖି, ଶାଖା ସମ୍ପାଦକ ଲାଲୁ ମୋହନ ବେହେରା, ଚନ୍ଦ୍ରୁ ପାତ୍ର, ରବି ନାରାୟଣ ବେହେରା, କେଶବ ନାୟକ, ଘନ ନାୟକ, ପ୍ରକାଶ ବେହେରା, ରାଜୁ ଚିନ୍ନା, ଆନନ୍ଦ ମିଶ୍ର, ରମେଶ ରାଓ, ଗୌରହରି ମହାପାତ୍ର, ସନାତନ ନାୟକ, ଏଲ.ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

One thought on “ସ୍ୱାସ୍ଥ୍ୟ ବିଭାଗର ପ୍ରତିଶ୍ରୁତି ପାଣିରେ ଗାର:ଆଉଟସୋର୍ସିଂ କର୍ମଚାରୀଙ୍କ ତୁରନ୍ତ ଦାବି ପୂରଣ ନ କଲେ ପୁନଃ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଚେତାବନୀ…

Comments are closed.