ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ:ରୋଗୀମାନଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ରତିକ୍ଷା ଗୃହ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତ୍ୟେକ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷା ଗୃହ ସହିତ ସଂଲଗ୍ନ ଶୌଚାଳୟ କରାଯିବ । ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଏଥିରେ ଆବଶ୍ୟକୀୟ ପଙ୍ଖାର ବ୍ୟବସ୍ଥା ଓ ଟେଲିଭିଜନର ବ୍ୟବସ୍ଥା କରାଯିବ । ଗୃହ ଗୁଡିକୁ ଆକର୍ଷଣୀୟ ରଙ୍ଗ ଦିଆଯିବ । ତତ ସହିତ ରୋଗୀମାନଙ୍କର ଯେଉଁ ସହଯୋଗୀ ମାନେ ଆସୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବିଶ୍ରାମ ଗୃହ କରାଯିବ । ଏହାର ରଙ୍ଗ ଆକର୍ଷଣୀୟ ହେବା ସହିତ ଅନ୍ୟ ସବୁ ସୁବିଧା ଉପଲବ୍ଧ ରଖାଯିବ ଏହା ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ପରିଷ୍କାର ପରିଚ୍ଛନ୍ନତା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିଛନ୍ତି । ସେହିଭଳି ପ୍ରତ୍ୟେକ ଡାକ୍ତରଖାନାରେ ବର୍ଜ୍ୟ ବସ୍ତୁ ପାଇଁ ଅଲଗା ଅଲଗା ଧାରକ ପାତ୍ର ରଖାଯିବ । ଲୋକମାନେ ଏଥିରେ ବର୍ଜ୍ୟ ବସ୍ତୁ ପକାଇବା ପାଇଁ ସଚେତନ କରାଯିବ । ଡାକ୍ତରଖାନା ପରିସରରେ ଥିବା ଖାଲି ସ୍ଥାନ ମାନଙ୍କରେ ଫୁଲ ଗଛ ଲଗାଯିବ । ସ୍ୱାସ୍ଥ୍ୟ ବିଭାଗର ନିର୍ମାଣାଧୀନ ଗୃହ ନିରୁପିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ କୁହାଯାଇଛି । ପ୍ରତ୍ୟେକ ସ୍ୱାସ୍ଥ୍ୟ ବିଭାଗ ଅଟ୍ଟାଳିକା ଗୁଡିକରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ରହିବ । ବଡ ଅଟ୍ଟାଳିଆ ଗୁଡିକୁ ସେଣ୍ଟ୍ରାଲ ଏୟାର କଣ୍ଡିସନ କରାଯିବ । ଚିକିତ୍ସାଳୟର ବାହ୍ୟ ଦୃଶ୍ୟପଟରେ ସମାନ ରଙ୍ଗ କରାଯିବ । ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାରେ ଥିବା ଔଦଗୀକ ସଂସ୍ଥା ମାନେ ସେମାନଙ୍କର ପାରିପାର୍ଶ୍ଵିକ ଉନ୍ନୟନ ପାଣ୍ଠି ବିନିଯୋଗ କରିବେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ପ୍ରଶାସନ ଦାୟିତ୍ୱରେ ଥିବା ଅନ୍ୟାନ୍ୟ ଅଧିକାରୀ ନିୟମିତ ବ୍ୟବଧାନରେ ଡାକ୍ତରଖାନା ଗୁଡିକୁ ପରିଦର୍ଶନ କରିବେ । ବ୍ରହ୍ମପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ ଗୋଦାମ ଘର ପ୍ରତିଷ୍ଠା କରିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ହିଞ୍ଜିଳିଠାରେ ଗୋଷ୍ଠୀ କେନ୍ଦ୍ରକୁ ପରିବର୍ଦ୍ଧିତ କରାଯାଇ ନିର୍ମାଣ କରାଯାଉଥିବା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳାମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ପାଣିଗ୍ରାହୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା