ବିଜୟୱାଡା (ସମୃଦ୍ଧ ଓଡିଶା) ଅନ୍ତର୍ଜାତୀୟ ଖେଳ ହିସାବରେ ହକି ବହୁ ପୁରୁଣା କାଳରୁ ଲୋକପ୍ରିୟତା ଅର୍ଜନ କରିଆସିଛି । ୪ ହଜାର ବର୍ଷ ତଳେ ଉତ୍ତର ଆଫ୍ରିକାର ଇଜିପ୍ଟବାସୀ ଏହାକୁ ପ୍ରଥମେ ଆପଣେଇଥିଲେ । ହକି ମାଧ୍ୟମରେ ଦେଶ ବିଦେଶରେ ବନ୍ଧୁତ୍ୱ ତଥା ଭାଇଚାରା ସୃଷ୍ଟି କରାଯାଇଥାଏ । ସେତେବେଳ ଠାରୁ ଆଜିଯାଏଁ ହକିର ପ୍ରାଧାନ୍ୟତା ରହି ଆସିଛି । ଏଭଳି ଏକ ଜାତୀୟ ଖେଳାକୁ ଆନ୍ଧ୍ର ଯୁବକମାନେ ଆପଣେଇ ଥିବାରୁ ମୁଁ ବିଶେଷ ଗର୍ବିତ ବୋଲି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦ୍ର ପ୍ରକାଶ କରିଛନ୍ତି । ଗତକାଲି ଗୁଣ୍ଟୁର ସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଡେକମ୍ୟାନ ଅଡିଟରିୟମ କକ୍ଷରେ ଅନୁଷ୍ଠିତ ଆନ୍ଧ୍ର ପ୍ରଦେଶ ପଞ୍ଚମ ହକି ବାର୍ଷିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ ହକି ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ହକି ଭଳି ଖେଳାକୁ ଆନ୍ଧ୍ର ସରକାର ଓ ଏହି ରାଜ୍ୟର ଯୁବକମାନେ ପ୍ରାଧାନ୍ୟ ଦେଇଥିବାରୁ ବେଶ ଖୁସି ହୋଇଥିଲେ । ହକିକୁ ଭାରତ ଗୁରୁତ୍ୱ ଦେଇ ଆସିଥିବାବେଳେ ମେଜର ଦିଆନ ଚାନ୍ଦଙ୍କୁ ହକି ଖେଳର ମାଷ୍ଟ୍ର ଯୋଗୁଁ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ଜନ୍ମ ଦିନକୁ ଜାତୀୟ ଖେଳ ଦିବସ ରୂପେ ପାଳନ କରାଯାଉଛି ବୋଲି ସେ ଉଲ୍ଲେଖ କରିବା ସହ ଆନ୍ଧ୍ରର ୟାଲମଚିଲି, ବିଶାଖାପାଟଣା, ଧର୍ମାବରମ, ନନ୍ଦିଆଲ, ଅନନ୍ତପୁରମ ଏବଂ ଗୁଣ୍ଟୁରରେ ପୂର୍ବରୁ ଏହି ଖେଳ ବେଶ ଖ୍ୟାତି ଅର୍ଜନ କରି ଥିବା ଶୁଣି ସେ ବେଶ ଖୁସି ହୋଇଥିଲେ । ଏହି ଉତ୍ସବରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ହକି ଟିମର ଅଧକ୍ଷ ମୁକେଶ କୁମାର ମିନା (IAS) ସଭାପତିତ୍ୱ କରିଥିବା ବେଳେ ଗୁଣ୍ଟୁର ଜିଲ୍ଲାପାଳ ଆଇ.ସାମଲ ଆନନ୍ଦ କୁମାର, ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର କୋନା ରାମଜୀ, ଗୁଣ୍ଟୁର ଜିଲ୍ଲା ଯୁଗ୍ମ ଜିଲ୍ଲାପାଳ ଏ.ଏସ.ଦୀନେଶ କୁମାର, ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟର ଆଇ ରୋଷେୟା, ଦିଆନ ଚାନ୍ଦ ଆୱାର୍ଡ ତଥା ସ୍ୱର୍ଣ୍ଣ ପଦକ ବିଜେତା ଏସ.ଗୀତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ରାଜ୍ୟପାଳ ବିଭିନ୍ନ ଖେଳାଳିକୁ ହକି ଉପରେ ଉତ୍ସାହିତ କରିବା ସହ କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।