ସଂପ୍ରତି କରୋନା ଭୂତାଣୁ ସଂକ୍ରମଣର ଗତିରୋଧ କରିବା ପାଇଁ ଉଦ୍ଦିଷ୍ଟ ସର୍ବସ୍ୱାର୍ଥ ରକ୍ଷାକାରୀ ସରକାରୀ ବନ୍ଦ ବା ଲକ୍ଡାଉନଜନିତ ଦୂରାବସ୍ଥା ହସ୍ତଶିଳ୍ପୀମାନଙ୍କ ପାଇଁ ବିରାଟ ସମସ୍ୟା ସୃଷ୍ଟି କରିଛି । ରୋଜଗାର ବନ୍ଦ ହେଇଯିବା ଯୋଗୁଁ କାମ ଚାଲୁରଖିବାକୁ ମାନସିକ ଅବସ୍ଥା ଠିକ୍ ରହୁନି । ବଜାର ବନ୍ଦ ସକାଶେ କଂଚାମାଲ ମିଳି ପାରୁନାହିଁ । ଏଣୁ ଇଛା ଥିଲେ ମଧ୍ୟ କାମ କରିବା ସମ୍ଭବ ହେଉନାହିଁ । ଏଣେ ପରିବାରର ଆର୍ଥିକ ବୋଝ ମାଡ଼ି ପଡ଼ୁଛି । ଋଣ କରି କାମ କରୁଥିବା ଶିଳ୍ପୀମାନଙ୍କ ଉପରେ ଆହୁରି ଚାପ ଅଧିକ । ନିଜ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପର ବିକ୍ରିବଟା କରିବାର କୌଣସି ମାଧ୍ୟମ ଖୋଲା ନାହିଁ । ଯାନବହାନାଦି ବନ୍ଦ ସକାଶେ ଦୂରସ୍ଥାନକୁ ଯାଇ ବ୍ୟବସାୟ ବଂଚାଇ ରଖିବା ସମ୍ଭବ ହେଉ ନାହିଁ । ଆହୁରି ଆଗକୁ ଏ ସମସ୍ୟା ଉତ୍କଟ ହେବାର ଆଶଙ୍କା ଏବେଠାରୁ ଉଠିଲାଣି । ଲକ୍ଡାଉନ ପରେ ମଧ୍ୟ ପ୍ରଦର୍ଶନୀ ମେଳା ଆଦି ବନ୍ଦ ରହିବ ବୋଲି ଜଣାଗଲାଣି । ବଜାର ଖୋଲିଲେ ମଧ୍ୟ ଲୋକମାନେ ମନରୁ ଭୟ ତ୍ୟାଗକରି ଏତେ ଶୀଘ୍ର ହସ୍ତଶିଳ୍ପ କିଣିବା ପାଇଁ ଆଗ୍ରହୀ ହେବେ ସେ କଥା କହିହେବ ନାହିଁ । ଏଣୁ କର୍ତୃପକ୍ଷ କାରିଗରଙ୍କ ସମସ୍ୟା ବିଷୟ ହୃଦୟଙ୍ଗମ କଲେ ଏ କ୍ଷେତ୍ରର କଲ୍ୟାଣ ହେବ ଏବଂ କାରିଗରମାନେ ବଂଚିରହିବେ । ନହେଲେ ଭବିଷ୍ୟତରେ ହସ୍ତଶିଳ୍ପୀଙ୍କ ଅବସ୍ଥା ଅତୀତର କପାଚାଷୀଙ୍କ ଭଳି ଯେ ନହେବ ସେ କଥା କହିହେବ ନାହିଁ । ଏହି ସମସ୍ୟାର ନିରାକରଣ ପାଇଁ କେତେଗୋଟି ପ୍ରସ୍ତାବ ନିମ୍ନରେ ପ୍ରଦାନ କରାଗଲା ।
ପ୍ରସ୍ତାବ ନଂ ୧ – ବର୍ଷେ ତଳେ କାରିଗରଙ୍କ ପାଇଁ ଘୋଷିତ ପେନ୍ସନ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରାଯାଉ ।
ପ୍ରସ୍ତାବ ନଂ ୨ – ଲକ୍ଡାଉନ ସକାଶେ ରୋଜଗାର ହରାଇଥିବା କାରିଗରଙ୍କ ପାଇଁ ତ୍ୱରିତ ଅନୁଦାନର ବ୍ୟବସ୍ଥା କରାଯାଉ ।
ପ୍ରସ୍ତାବ ନଂ ୩ – ନାବାର୍ଡ ଏବଂ ଅନ୍ୟ ବ୍ୟାଙ୍କ ଜରିଆରେ କାରିଗରମାନଙ୍କ ପାଇଁ ସହଜ ଋଣ ପ୍ରଦାନ ବ୍ୟବସ୍ଥା କରାଯାଉ ।
ପ୍ରସ୍ତାବ ନଂ ୪ – ଉତ୍କଳିକା ଜରିଆରେ ଅଧିକରୁ ଅଧିକ ସଂଖ୍ୟକ କାରିଗରଙ୍କଠାରୁ ହସ୍ତଶିଳ୍ପ ଦ୍ରବ୍ୟ ସିଧାସଳଖ କିଣା ଯିବାର ବ୍ୟବସ୍ଥା କରାଯାଉ ।
ଦେବୀପ୍ରସନ୍ନ ନନ୍ଦ
ପୁରୀ