ହାତୀ କ୍ଷତିପୂରଣ ଦେଲେ ବନବିଭାଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଳମ୍ବରେ ହେଲେ ମଧ୍ୟ ରାଇବଣିଆ ଅଞ୍ଚଳରେ ଏକ ବର୍ଷ ଧରି ବାରମ୍ବାର ହାତୀଗୁଡିକ କ୍ଷତି ଘଟାଇଥିବା ଲୋକଙ୍କର କ୍ଷତି ପୂରଣ ବନବିଭାଗ ୨ ଦିନ ତଳେ ପ୍ରଦାନ କରିଛି । ଜଣେ ବ୍ୟକ୍ତିର ମୃତ୍ୟୁଲାଗି ୪ଲକ୍ଷ ଟଙ୍କା, ଫସଲ କ୍ଷତି ଲାଗି ୪ ଲକ୍ଷ ୨୫ ହଜାର ୬ ଶହ ଟଙ୍କା, ଘର ଭଙ୍ଗା ଲାଗି ୧ ଲକ୍ଷ ୭୦ ହଜାର ଟଙ୍କା, ବ୍ୟକ୍ତି ବିଶେଷଙ୍କ ବ୍ୟାଙ୍କ ପାସ୍‌ବୁକ୍‌କୁ ପଠାଯାଇଥିବା ଜଣାଯାଇଛି । ରାଇବଣିଆ ଥାନା ଅନ୍ତର୍ଗତ ଶ୍ୟାମନଗର, କାଳିକ, ରାଇବଣିଆ, ସର୍ଦ୍ଦାରବନ୍ଧ, ବରଡିହା, କଳମା ପଞ୍ଚାୟତରେ ଦୀର୍ଘ ୧ ବର୍ଷ ଧରି ବାରମ୍ବାର ହାତୀ ଗୁଡିକ ଆସି ବ୍ୟାପକ କ୍ଷତି ଘଟାଇଥିଲେ । ପ୍ରାୟ ୫୦ ଏକର ଜମିର ଫସଲ ଏବଂ ୮୦ଟି ଘର ଭାଙ୍ଗି ଥିବାର ସେତେବେଳେ ଅଭିଯୋଗ ହୋଇଥିଲା । ବନବିଭାଗ ଓ ରାଜସ୍ୱ ବିଭାଗ ମିଳିତଭାବେ କ୍ଷୟକ୍ଷତିର ଆକଳନ କଲାପରେ ଆର୍ଥୀକ ଅନୁଦାନ ସହାୟତା କରାଯାଇଛି ବୋଲି ଜଳେଶ୍ୱର ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି କହିଛନ୍ତି । ତଥ୍ୟ ଅନୁଯୟୀ ରାଇବଣିଆ ଅଞ୍ଚଳର ୧୨୧ଜଣ ବ୍ୟକ୍ତିଙ୍କର ୪୨ ଏକର ୫୬ଡିସିମିଲ ଜମିର ଫସଲ ହାତୀ ମାନେ ନଷ୍ଟ କରିଥିଲେ । ସରକାରଙ୍କ ନିତୀ ନିୟମ ଅନୁଯାୟୀ ଏକର ପିଛା ୧୦ହଜାର ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ ଥିବାରୁ ମୋଟ ୪ ଲକ୍ଷ ୨୫ ହଜାର ୬ ଶହ ଟଙ୍କା କ୍ଷତିଗ୍ରସ୍ତ ଚାଷୀକୁ ବ୍ୟାଙ୍କ ପାସ୍‌ବୁକ୍‌ରେ ଜମା କରାଯାଇଛି । ରାଇବଣିଆ ଥାନା ଅନ୍ତର୍ଗତ ଶ୍ୟାମନଗର ପଞ୍ଚାୟତର ଘାସିପଡା ଗାଁର ବାହାଦୁର ମାରାଣ୍ଡିକୁ ଏକ ଦନ୍ତା ଦଳି ମାରିଥିବାରୁ ତାଙ୍କ ବିଧବା ପତ୍ନ ଆଲାଦି ମାରାଣ୍ଡିକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯାଇଛି । ୧୦ଟି ସଂପୂର୍ଣ୍ଣ ଘର ଭାଙ୍ଗି ଯାଇଥିବାରୁ ୧୦ହଜାର ଲେଖାଏଁ ୧ଲକ୍ଷ ଟଙ୍କା ଓ ୩୫ଟି ଅଂଶିକ ଗୃହ ଭାଙ୍ଗି ଥିବା ବାବଦକୁ ୨ହଜାର ଟଙ୍କା ଲେଖାଏଁ ୭୦ହଜାରଟଙ୍କା ପ୍ରଦାନ କରାଯାଇଥିବା ରେଞ୍ଚର ଶ୍ରୀ ମହାନ୍ତି କହିଛନ୍ତି । ଚେକ୍ ଓ ଆର୍ଥୀକ ସହାୟତା ପ୍ରଦାନ ବେଳେ ସରପଞ୍ଚ ପ୍ରତିନିଧି ଚନ୍ଦନ ପାତ୍ର, ନାଏବ ସରପଞ୍ଚ ସୁରେନ୍ ମୁର୍ମୁ, ଫରେଷ୍ଟର ତପନ ସିଂ, ଲୁସୁ କିସ୍କୁ ଓ ଗ୍ରାମ୍ୟ ମୁଖ୍ୟ ସୁରେଶ ମହନ୍ତ ଉପସ୍ଥିତ ଥିଲେ । ଏପରି ଆର୍ଥୀକ ସହାୟତା ଦେବାପରେ ସେ ଅଞ୍ଚଳରେ ଚାଲିଥିବା ଉତ୍ତେଜନା ପ୍ରଶମିତ ହୋଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା