ହିଞ୍ଜିଳିକାଟୁ:ଭାରତୀୟ ଜାତୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ପୌରପରିଷଦ ମା’ ଶ୍ୟାମଳାଇ ମନ୍ଦିର ପ୍ରାଙ୍ଗଣରେ ଗତକାଲି ଗଞ୍ଜାମ ଜିଲ୍ଲା କଂଗ୍ରେସର କର୍ମୀ ସମ୍ମିଳନୀ ଜିଲ୍ଲା ସଭାପତି ଡ. ତ୍ରିନାଥ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ କଂଗ୍ରେସ ଉପସଭାପତି ଶୁଭେନ୍ଦୁ ମହାନ୍ତି ମୁଖ୍ୟ ଅତିଥି ରାଜ୍ୟ କଂଗ୍ରେସ ସମ୍ପାଦକ ଭୋକାଲି ସେଠି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ପୀତବାସ ପଣ୍ଡା, ବିଜୟ କୁମାର ସାହୁ, ଜିଲ୍ଲା ମହିଳା ସଭାନେତ୍ରୀ ସ୍ଵରୁପା ତ୍ରିପାଠୀ, ଜିଲ୍ଲା ସଂପାଦକ ରାମନାରାୟଣ ବିଶ୍ୱାସରାୟ, ଜିଲ୍ଲା ଉପସଭାପତି କୁନା ବିଷୋୟୀ, ଆଇନଜୀବୀ ଶମ୍ଭୁ ପାଣିଗ୍ରାହୀ, ହିଞ୍ଜିଳି ନଗର ସଭାପତି ସୁନାରାମ ସାବତ, ଶେରଗନ ଜୋନ ସଭାପତି ରାମକୃଷ୍ଣ ପଣ୍ଡା ପ୍ରମୁଖ ମଞ୍ଚସୀନା ଥିଲେ । ଏଥିରେ ମୁଖ୍ୟତଃ ଆଗାମୀ ନିର୍ବାଚନକୁ ଆଖି ଆଗରେ ଦଳକୁ ସାଙ୍ଗଠନିକ ସ୍ତରରେ ସୁଦୃଢ କରିବା ଉପରେ ଅତିଥିବୃନ୍ଦ ଉପସ୍ଥିତ କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେଇଛନ୍ତି । କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ ନିଜ ଅଭିଭାଷଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଆସିବା ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହି ଟଙ୍କା କୁଆଡେ ଗଲା ? ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିପରି ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିଜେଡି ଶିବିରରେ ଭୟ ଖେଳିଯାଇଛି । ଆଉ ଏହାକୁ ପ୍ରତିହତ କରିବାକୁ କିଛି ଯୁବକଙ୍କ ସହାୟତା ନିଆଯାଉଛି । ଆଗାମୀ ଦିନରେ କଂଗ୍ରେସ ଏହାର ଜବାବ ଦେବା ବୋଲି ସେ କହିଥିଲେ । ଅନ୍ୟ ନେତା ଓ କର୍ମୀମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା